କଟକ: କଟକର ଐତିହାସିକ ବାଲିଯାତ୍ରା ଆଜି ଶେଷ ହୋଇଛି। ବାଲିଯାତ୍ରାର ଶେଷ ସଂଧ୍ୟାରେ ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ପାଇଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ବୈଷ୍ଣବ ପାଣି ମଞ୍ଚରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଦର୍ଶକଙ୍କ ଭିତରେ ଠେଲାପେଲା ଯୋଗୁ ୫ରୁ ଅଧିକ ଦର୍ଶକ ବ୍ୟାରିକେଡ୍ ନିକଟରେ ଚାପି ହୋଇଯାଇଥିଲେ। ସେମାନେ ଅଚେତ ହୋଇଯିବାରୁ ପୁଲିସ କର୍ମଚାରୀମାନେ ଆମ୍ବୁଲାନ୍ସରେ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଘଟଣାସ୍ଥଳରେ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା।
ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ଅଭାବନୀୟ ସ୍ଥିତି
ବାଲିଯାତ୍ରାରେ ବେପାର ୧୦୦ କୋଟି ଟଙ୍କାରୁ ଅଧିକ
ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଦର୍ଶକମାନେ ସେ ସ୍ଥାନ ଛାଡ଼ିବାକୁ ଉଦ୍ୟମ କଲା ବେଳେ ଅଧିକ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା। ଗଣକବି ବୈଷ୍ଣବ ପାଣି ମଞ୍ଚ ନିକଟରେ ରାତି ପ୍ରାୟ ୮ଟା ବେଳେ ଠେଲାପେଲା ଆରମ୍ଭ ହୋଇଥିଲା। ମଞ୍ଚ ନିକଟକୁ ଆସିବା ପୂର୍ବରୁ ଲାଗିଥିବା ମେଟାଲ୍ ଡିଟେକ୍ଟର ନିକଟରେ ଠେଲାପେଲା ଦେଖିବାକୁ ମିଳିଥିଲା। ଶହ ଶହ ଦର୍ଶକ ଏକାସାଙ୍ଗରେ ପଶିବାକୁ ଉଦ୍ୟମ କରିବାରୁ ଏହି ରାସ୍ତାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଏଡିସିପି ଅମରେନ୍ଦ୍ର ପଣ୍ଡା ଓ ଅନ୍ୟ ଅଧିକାରୀମାନେ ସ୍ଥିତି ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇଥିଲେ।
ଅନ୍ୟପଟେ ବାଲିଯାତ୍ରା ଉପର ପଡ଼ିଆରେ ସମସ୍ତ ପାର୍କିଂରେ ଗାଡ଼ି ଭର୍ତ୍ତି ହୋଇଯାଇଥିଲା। ସ୍ଥିତି ଏଭଳି ହେଲା ଯେ ଏନ୍ସିସି ଅଫିସ ନିକଟରୁ ଡିଜି ଅଫିସ ଯାଏଁ, ପୁଲିସ ମୁଖ୍ୟାଳୟ ପଛପଟ ରାସ୍ତାର ଉଭୟ ପାର୍ଶ୍ବ, ଗଡ଼ଖାଇ ଭିତର, ଇଣ୍ଡୋର ଷ୍ଟାଡିୟମ୍ ରାସ୍ତାରେ ବେଆଇନ ପାର୍କିଂ ଦେଖିବାକୁ ମିଳିଥିଲା। ଯାହାଫଳରେ ଲୋକ ଚଳାଚଳ କରିବାରେ ସମସ୍ୟା ହେବା ସହିତ ସ୍ଥିତି ଅଧିକ ବିଗିଡ଼ି ଥିଲା।
କଟକ ବାଲିଯାତ୍ରା ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇ ୯ ଦିନ ଚାଲିବା ପରେ ଆଜି ଶେଷ ହୋଇଛି। ବାଲିଯାତ୍ରାରେ ଓରମାସ୍ ପରିସରରେ ୫୦ କୋଟିରୁ ଅଧିକ ଟଙ୍କାର କିଣାବିକା ହୋଇଥିବା ବେଳେ ବାଲିଯାତ୍ରାରେ ଚଳିତ ବର୍ଷର ବ୍ୟବସାୟ ଶହେ କୋଟି ଟପିବ ବୋଲି ଆକଳନ କରାଯାଉଛି।
Follow Us