ଖୋଲିଲା ସାଇବର ସହାୟତା କେନ୍ଦ୍ର, ଜାରି ହେଲା ମୋବାଇଲ ନମ୍ବର ୭୪୪୦୦୦୬୭୦୯

ତୁରନ୍ତ ପଦକ୍ଷେପ ନେବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ, ବ୍ଲକ୍ ହେବ ଠକଙ୍କ ସିମ୍‌କାର୍ଡ

ଖୋଲିଲା ସାଇବର ସହାୟତା କେନ୍ଦ୍ର, ଜାରି ହେଲା ମୋବାଇଲ ନମ୍ବର ୭୪୪୦୦୦୬୭୦୯

ଭୁବନେଶ୍ବର: ଗୋଟିଏ ପଟେ ସାଇବର ଠକଙ୍କ ଉତ୍ପାତ ଶେଷ ସୀମାରେ ପହଞ୍ଚି ଥିବା ବେଳେ ଅନ୍ୟପଟରେ ସହାୟତା କେନ୍ଦ୍ର ଖୋଲିଛି କମିସନରେଟ ପୁଲିସ। ଠକାମିର ଶିକାର ହେଉଥିବା ବ୍ୟକ୍ତି ଏହି କେନ୍ଦ୍ରର ସହୟତା ନେଇପାରିବେ। ସେହିପରି ବାରମ୍ବାର ଅଜଣା କଲ, ଏସଏମଏସ ଆସୁଥିବା ସିମକାର୍ଡକୁ ମଧ୍ୟ ବ୍ଲକ୍(ବନ୍ଦ) କରିବାକୁ ପଦକ୍ଷେପ ନିଆଯିବ। ଫଳରେ ଅନ୍ୟ କେହି ଠକାମିରୁ ରକ୍ଷା ପାଇଯିବେ। ସେହିପରି ପ୍ରଥମ ଘଣ୍ଟାଏକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ଠକାମିର ଶିକାର ହୋଇଥିବା ବ୍ୟକ୍ତି ଯଦି ତୁରନ୍ତ ସହାୟତା କେନ୍ଦ୍ରକୁ ଏ ସମ୍ପର୍କରେ ସୂଚନା ଦିଏ, ତାହେଲେ ଠକାମି ହୋଇଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ସହାୟତା କେନ୍ଦ୍ରରେ ୪ଟି ସେବା ଉପଲବ୍ଧ ହେବ। ଖାଲି ସେତିକି ନୁହେଁ, ଯଦି ଥାନାକୁ ସାଇବର ଠକାମିର ଅଭିଯୋଗ ଆସିଲା, ତା’ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ପୁଲିସ୍‌ ସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସହାୟତା କେନ୍ଦ୍ର ପାଇଁ ମୋବାଇଲ ନମ୍ବର(୭୪୪୦୦୦୬୭୦୯) ଜାରି କରାଯାଇଛି। ଏହି ନମ୍ବର ଜରିଆର ଲୋକମାନେ ସାଇବର ଅପରାଧ ସମ୍ପର୍କିତ ଅଭିଯୋଗ ଦେବା ସହ ସେବା ପାଇପାରିବେ। ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ସ୍ପେସାଲ ସ୍କ୍ବାଡ୍ ଅଧୀନରେ ଏହି ଡେସ୍କ କାମ କରୁଛି। ଜଣେ ଅଭିଜ୍ଞ ସବ୍‌ଇନ୍ସପେକ୍ଟର ଓ ୭ ଜଣ କନଷ୍ଟେବଳ ଏହି ଡେସ୍କରେ କାମ କରିବେ। ଥାନା କାର୍ଯ୍ୟକାରୀ ହେବା ପରେ ଏହି ଡେସ୍କ ସେଠାକୁ ଉଠିଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଗୁଗୁଲ ସର୍ଚ୍ଚରେ ଆସୁଥିବା ୟୁଆରଏଲକୁ ବନ୍ଦ କରାଯିବ
ଵାସିଂ ମେସିନ୍ ହେଉ କିମ୍ବା ଆକ୍ବାଗାର୍ଡର ମରାମତି। କୋରିଅର କିମ୍ବା ଅନ୍ୟ କୌଣସି ସେବା ସମ୍ପର୍କରେ ଜାଣିବା ଲାଗି ଲୋକ ଏବେ ଗୁଗୁଲ ସର୍ଚ୍ଚ ଉପରେ ନିର୍ଭର କରୁଛନ୍ତି। ଏହି ସମୟରେ ସମ୍ପୃକ୍ତ ସେବାର ହେଲ୍ପ ଡେସ୍କ ନମ୍ବର ଆସୁଛି। କିନ୍ତୁ ସେହି ହେଲ୍ପ ଡେସ୍କରେ ଦିଆ ଯାଇଥିବା ଫୋନ୍ ନମ୍ବର ଅସଲି ନା ନକଲି ତାହାକୁ ଲୋକ ଅଧିକ ଯାଞ୍ଚ କରନ୍ତି ନାହିଁ। ସାଇବର ଠକ ବିଜ୍ଞାପନକୁ ଇଣ୍ଟରନେଟରେ ଛାଡ଼ି ଦିଅନ୍ତି। ଫଳରେ ଠକ ସେବା ଯୋଗାଇବାର ଲୋଭ ଦେଖାଇ ପ୍ରଥମେ ବ୍ୟବହାରକାରୀଙ୍କୁ ୧୦ ଟଙ୍କା ମାଗିଥାଏ। ସେହି ସମୟରେ ସେ ନିଜର ଏଟିଏମ୍ କାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭଳି ଅନେକ ତଥ୍ୟ ଦେଇଥାଏ। ଯାହାର ଫାଇଦା ଉଠାଇ ଠକ ଆକାଉଣ୍ଟରୁ ଟଙ୍କା ଲୁଟିନିଏ। ଏଥିରୁ ରକ୍ଷା ପାଇବା ଲାଗି ଗୁଗୁଲ ସର୍ଚ୍ଚରେ ଯେଉଁ ନମ୍ବର ମିଳୁଛି ତାହାର ସତ୍ୟାସତ୍ୟ ଜାଣିବା ପାଇଁ କମ୍ପାନିର ୱେବସାଇଟରୁ ଯାଞ୍ଚ କରିବା ପାଇଁ ପୁଲିସ କମିସନର ଅନୁରୋଧ କରିଛନ୍ତି। ସେହିପରି ଠକ ଗୁଗୁଲ୍ ସର୍ଚ୍ଚରେ ଯେଉଁ ୟୁଆରଏଲ୍ ଦେଉଛନ୍ତି ତାହାକୁ ବ୍ଲକ୍ କରିବା ପାଇଁ ବ୍ୟବସ୍ଥା କରାଯିବ।

ବ୍ଲକ୍ ହେବ ଠକଙ୍କ ସିମ୍‌କାର୍ଡ
ସାଇବର ଠକ ବିଶେଷ କରି ଲୋକମାନଙ୍କୁ ଫୋନ୍ କଲ୍ କରି ବ୍ୟାଙ୍କ ତଥ୍ୟ, ଓଟିପି ଆଦି ନେଇ ଆକାଉଣ୍ଟରୁ ଟଙ୍କା ଲୁଟି ନିଅନ୍ତି। କେତେକ ନିର୍ଦ୍ଦିଷ୍ଟ ରାଜ୍ୟରୁ ଏହି ଫୋନ କଲ୍ ଆସୁଥିବା ବେଳେ କିଛି ଲୋକ ଏହି ନମ୍ବର ସମ୍ପର୍କରେ ଜାଣିଥାନ୍ତି। କେତେକ ଏହାକୁ ରିସିଭ୍ କରନ୍ତି ଓ ଆଉ କେତେକ ଠକଙ୍କ କଲ ଆସୁଥିବା ଜାଣିପାରି କାଟି ଦିଅନ୍ତି। ଠକ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାରେ ସଫଳ ହେବା ପର୍ଯ୍ୟନ୍ତ ଏକାଧିକ ଲୋକଙ୍କୁ କଲ୍ କରିଥାଏ। ଯେଉଁଠି ସଫଳ ହୋଇଥାଏ ତା ପରେ ସିମ୍ କାର୍ଡ ବାହାର କରି ଫିଙ୍ଗିଦିଏ। କିନ୍ତୁ ଯେଉଁମାନେ ଠକଙ୍କ ଫୋନ କଲ ଆସୁଥିବା ଜାଣିପାରନ୍ତି ସେମାନେ ତୁରନ୍ତ ସାଇବର ସହାୟତା ଡେସ୍କ ନମ୍ବର(୭୪୪୦୦୦୬୭୦୯)କୁ କଲ୍ କରି ସେହି ନମ୍ବର ସମ୍ପର୍କରେ ସୂଚନା ଦେବାକୁ ପୁଲିସ କମିସନର ଅନୁରୋଧ କରିଛନ୍ତି। ଠକର ନମ୍ବରକୁ ସବୁଦିନ ପାଇଁ ବ୍ଲକ(ବନ୍ଦ) କରାଯାଇ ପାରିବ। ଫଳରେ ଅନ୍ୟ ଜଣେ ଠକାମିରୁ ବର୍ତ୍ତିପାରିବ।

ପ୍ରଥମ ଘଣ୍ଟାଏ ଗୁରୁତ୍ବପୂର୍ଣ୍ଣ
ଠକେଇର ପରବର୍ତ୍ତୀ ଘଣ୍ଟାଏ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପୁଲିସ କମିସନର। ଠକାମିର ଶିକାର ହୋଇଥିବା ବ୍ୟକ୍ତି ସାଇବର ସହାୟତା ଡେସ୍କକୁ ଫୋନ୍ କରି ଜଣାଇଲେ ଟଙ୍କା ଠକ ଆକାଉଣ୍ଟକୁ ଯିବା ପରେ ସେଠାରୁ କୁଆଡ଼େ କଲା ସେ ସମ୍ପର୍କରେ ଜାଣିହେବ। ଏହାକୁ ଟ୍ରାକ୍ କରାଯିବା ପରେ ଶେଷ ସମୟରେ ଯେଉଁ ଆକାଉଣ୍ଟରେ ଟଙ୍କା ଥିବ ତାହାକୁ ଅଚଳ କରି ଦିଆଯିବ। ସବୁ ଦିନ ପାଇଁ ଯେମିତି ଅଚଳ କରାଯିବ ସେ ନେଇ ବ୍ୟବସ୍ଥା କରାଯିବ। ଠକେଇ ଟଙ୍କା ଫେରସ୍ତ ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ।
ଫୋନ କରି ହଇରାଣ କରୁଥିବା ନମ୍ବର ବନ୍ଦ କରାଯିବ
ମହିଳା, ଯୁବତୀ, ଶିଶୁମାନଙ୍କୁ ଅଜଣା ନମ୍ବରରୁ ଫୋନ୍ କରି ହଇରାଣ କରୁଥିବା ଦେଖାଯାଉଛି। ବିଶେଷ କରି ରାଜ୍ୟ ବାହାରୁ ଏଭଳି ନମ୍ବରରୁ କଲ୍ ଆସୁଛି। ଏଭଳି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ସହାୟତା କେନ୍ଦ୍ରକୁ ଫୋନ କରି ଜଣାଇବା ପାଇଁ ପୁଲିସ କମିସନର କହିଛନ୍ତି। ଏହା ପରେ ସେହି ନମ୍ବରକୁ ବନ୍ଦ କରି ଦିଆଯିବ।

ବରିଷ୍ଠ ନାଗରିକ, ମହିଳାଙ୍କ ଘରେ ପହଞ୍ଚିବ ସୁବିଧା

ବରିଷ୍ଠ ନାଗରିକ, ମହିଳାମାନଙ୍କୁ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଯଦି ସେମାନେ ସାଇବର ସହାୟତା କେନ୍ଦ୍ରକୁ ଫୋନ କରି ଜଣାଇବେ ତାହେଲେ ସ୍ଥାନୀୟ ଥାନାକୁ ଅବଗତ କରାଯିବ। ସ୍ଥାନୀୟ ଥାନାର କର୍ମଚାରୀ ସେମାନଙ୍କ ଘରକୁ ଯାଇ ଅଭିଯୋଗ ଆଣିପାରିବେ। ଫୋନ ମାଧ୍ୟମରେ ମଧ୍ୟ ଅଭିଯୋଗ ଗ୍ରହଣ କରାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe