ବଦଳିବ ସାଇବର ସହାୟତା କେନ୍ଦ୍ରର ରୂପରେଖ : କଣ୍ଟ୍ରୋଲ ରୁମ୍ ଭଳି କରାଯିବ କଲ୍ ସେଣ୍ଟର

Advertisment

୨୪ ଘଣ୍ଟାରେ ଆସିଲାଣି ୨୫୦୦ କଲ୍, ସହାୟତା ଡେସ୍କ୍‌ ନମ୍ବର ୭୪୪୦୦୦୬୭୦

୨୪ ଘଣ୍ଟାରେ ଆସିଲାଣି ୨୫୦୦ କଲ୍, ସହାୟତା ଡେସ୍କ୍‌ ନମ୍ବର ୭୪୪୦୦୦୬୭୦

ବଦଳିବ ସାଇବର ସହାୟତା କେନ୍ଦ୍ରର ରୂପରେଖ : କଣ୍ଟ୍ରୋଲ ରୁମ୍ ଭଳି କରାଯିବ କଲ୍ ସେଣ୍ଟର

ଭୁବନେଶ୍ବର : ସାଇବର ଠକେଇର ଭୟାବହତା କେତେ, ତାହା ଏବେ ସହାୟତା କେନ୍ଦ୍ରକୁ ଆସୁଥିବା ଫୋନ୍‌ କଲ୍‌ରୁ ଜଣାପଡ଼ୁଛି। ଭୁବନେଶ୍ବର ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‌କୁ ଗୋଟିଏ ଦିନରେ ଯେତିକି ଫୋନ୍‌ କଲ୍ ଆସିନି, ତା’ଠାରୁ ଅଧିକ ଆସିଛି ସାଇବର ସହାୟତା କେନ୍ଦ୍ରକୁ। ଏହି କେନ୍ଦ୍ର କେବଳ ଭୁବନେଶ୍ବର ପାଇଁ ଖୋଲା ଯାଇଥିବା ବେଳେ ସାରା ରାଜ୍ୟରୁ ଶହ ଶହ ଫୋନ୍ କଲ୍ ଆସୁଛି। ଗତକାଲି ଅପରାହ୍‌ଣରେ ଗଣମାଧ୍ୟମରେ ପୁଲିସର ଟୋଲ୍‌ ଫ୍ରି’ ନମ୍ବର ଜାରି ହେବା ପରେ ୨୪ ଘଣ୍ଟା ଭିତରେ ଅଢ଼େଇ ହଜାରରୁ ଅଧିକ କଲ୍ ଆସିଛି। ଯାହାକୁ ନେଇ କମିସନରେଟ୍‌ ପୁଲିସର ଚିନ୍ତା ବଢ଼ିଯାଇଛି। ଏହାର ରୂପରେଖ ବଦଳାଇବା ପାଇଁ ଆଜି ଡିସିପିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ନିଷ୍ପତ୍ତି ନିଆଯାଇଛି।

ଡିସିପି ଉମାଶଙ୍କର ଦାଶଙ୍କ ସୂଚନା ଅନୁସାରେ, ସାରା ରାଜ୍ୟରୁ ଅଢ଼େଇ ହଜାର ଫୋନ୍ କଲ ଆସିଥିବା ବେଳେ ଭୁବନେଶ୍ବରରୁ ୩୦ଟି ଫୋନ୍‌ କଲ୍ ଆସିଛି। ସେଥିରୁ ପ୍ରାୟ ୨୦ଜଣ ଠକାମିର ଶିକାର ହୋଇଥିବା ଜଣାପଡ଼ିଛି। ୩୦ଟି ଫୋନ୍ ନମ୍ବରକୁ ଯାଞ୍ଚ କରିବା ପରେ ସେହି ସିମ୍‌କାର୍ଡକୁ ବ୍ଲକ୍ କରିବା ପାଇଁ ଅନୁରୋଧ କରାଯାଇଛି। ଏବେ କେବଳ ଗୋଟିଏ ମୋବାଇଲ୍‌ ଫୋନ୍‌ ନମ୍ବର ବ୍ୟବହାର ହେଉଥିବାରୁ ଅନେକ ସମୟରେ ବ୍ୟସ୍ତ(ବିଜି ଟୋନ୍) ଦେଖାଉଛି। ଫଳରେ ଜଣେ କଲର୍‌ଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏହାକୁ କଣ୍ଟ୍ରୋଲ ରୁମ୍ ଭଳି କଲ୍ ସେଣ୍ଟର କରାଯିବ। ଏକା ସାଙ୍ଗରେ ପ୍ରାୟ ୫ଜଣ ଫୋନ୍‌ କଲ୍‌ ଗ୍ରହଣ କରିବାର ବ୍ୟବସ୍ଥା କରାଯାଉଛି। ତେଣୁ କଲର୍‌ଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେହିପରି କେବଳ ଭୁବନେଶ୍ବର ପୁଲିସ ଜିଲ୍ଲା ଭିତରୁ ଯେମିତି କଲ୍ ଆସିପାରିବ, ସେ ନେଇ ମଧ୍ୟ କାମ ଚାଲିଛି। କଲ୍ ରେକର୍ଡିଂର ବ୍ୟବସ୍ଥା ମଧ୍ୟ କରାଯିବ। ଫଳରେ ଠକେଇ ସଂକ୍ରାନ୍ତୀୟ କଲ ରେକର୍ଡ ହୋଇ ରହିପାରିବ। ଦୁଇ ଦିନ ଭିତରେ ଏହି ସବୁ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗକୁ ଭୁବନେଶ୍ବର ଜନସାଧାରଣ ଉତ୍ତମ ସେବା ପାଇପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି।

କେମିତି ହେଉଛି ସିମ୍‌କାର୍ଡ ବ୍ଲକ୍
ସାଇବର ଅପରାଧ ସାରା ଦେଶରେ ଏକ ଚ୍ୟାଲେଞ୍ଜ୍‌ ହୋଇଥିବାରୁ ଏହାର ମୁକାବିଲା କରିବା ଲାଗି ଏକ ସାଇବର ସେଫ୍ ଆପ୍ ରହିଛି। ସାରା ଦେଶରେ ପୁଲିସ ବିଭାଗ, ବ୍ୟାଙ୍କ୍‌, ଟେଲିକମ୍ ସଂସ୍ଥା ଏହି ଆପ୍‌କୁ ବ୍ୟବହାର କରିପାରିବେ। ଏଥିପାଇଁ ପୁଲିସ ପାଖରେ ୟୁଜର୍‌ ଆଇଡି ଓ ପାସ୍‌ଵାର୍ଡ ରହିଛି। ପୁଲିସ ପାଖକୁ ଠକଙ୍କର ଯେଉଁ ନମ୍ବର ଆସିବ, ତାହାକୁ ପ୍ରଥମେ ଯାଞ୍ଚ କରାଯିବ। ଯଦି ଏହା ଠକଙ୍କ ନମ୍ବର ବୋଲି ସ୍ପଷ୍ଟ ହେବ, ତାହାଲେ ସେହି ଆପ୍‌ର ୟୁଜର୍‌ ଆଇଡି ଓ ପାସ୍‌ଵାର୍ଡ ବ୍ୟବହାର କରି ପୁଲିସ ସେଥିରେ ସନ୍ଦିଗ୍ଧ ନମ୍ବର ଦେବ। ଯେଉଁମାନେ ଏହାକୁ ପରିଚାଳନା କରୁଛନ୍ତି, ସେମାନେ ଯାଞ୍ଚ କରିବା ପରେ ଏହାକୁ ବ୍ଲକ(ବନ୍ଦ) କରିଦେଇପାରିବେ। ସେହିପରି ଠକାମିର ଶିକାର ହୋଇଥିବା ଲୋକଙ୍କ ଆକାଉଣ୍ଟରୁ ଠକ ଆକାଉଣ୍ଟକୁ ଟଙ୍କା ଗଲା ପରେ ସେଠାରୁ କାହା ପାଖକୁ ଯାଇଛି, ତାହାକୁ ଟ୍ରାକ୍ କରିବା ଲାଗି ମଧ୍ୟ ଏହି ଆପ୍‌‌ରେ ବ୍ୟବସ୍ଥା ଉପଲବ୍ଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe