representational immage - InsideHook
ଭୁବନେଶ୍ୱର: ଅନ୍ଲାଇନ୍ରେ ପ୍ରେମ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରେମିକାର ଛଦ୍ମବେଶରେ ଥିବା ସାଇବର ସୁନ୍ଦରୀ ଯୁବକଙ୍କ ଘରେ ପହଞ୍ଚି ଲୁଟ୍ପାଟ୍ କରିଥିବା ଅଭିଯୋଗ ହୋଇଛି। ନିଶା ଦେଇ ଯୁବକଙ୍କ ଘରୁ ଟଙ୍କା ପଇସା ଓ ଗହଣା ଗାଣ୍ଠି ଲୁଟି ଫେରାର୍ ହୋଇଯାଇଛି। ଏୟାର୍ଫିଲ୍ଡ ଥାନା ହାଇଟେକ୍ ଅଞ୍ଚଳରେ ଘଟିଥିବା ଏହି ଘଟଣାଟି ଏବେ ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଏୟାର୍ଫିଲ୍ଡ ଥାନା ଓ ସାଇବର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲେ ବି ଯୁବତୀଙ୍କୁ ଟେର୍ ପାଇନଥିବା ଜଣାପଡ଼ିଛି।
ଲୁଟ୍ର ଶିକାର ହୋଇଥିବା ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଚିଣ୍ଟନ କୁମାର ଦାସ ଓରଫ୍ ଚିଣ୍ଟୁ (୪୨)ଙ୍କ ଅଭିଯୋଗ ଅନୁସାରେ, ଇନ୍ଷ୍ଟାଗ୍ରାମ୍ରେ ସେ ଯୁବତୀଙ୍କ ସହ ପରିଚିତ ହୋଇଥିଲେ। ଏହାପରେ ମେସେଜ୍ ଦିଆନିଆ ହୋଇଥିଲା ଏବଂ ଯୁବତୀ ତାଙ୍କ ଆଡ଼ୁ ପ୍ରେମ ନିବେଦନ କରିଥିଲେ। ଏମିତିକି କଥାରେ କଥାରେ ସେମାନେ ବିବାହ କରିବେ ବୋଲି ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ବିବାହ ପୂର୍ବରୁ ଯୁବତୀ ତାଙ୍କୁ ଥରକ ପାଇଁ ତାଙ୍କ ଘରେ ଭେଟିବା ପାଇଁ ଚାହାନ୍ତି ବୋଲି କହିଥିଲେ। ସର୍ତ୍ତ ଥିଲା ଘରେ କେହି ନଥିବା ବେଳେ ସେମାନେ ପରସ୍ପରକୁ ଭେଟିବେ। ପ୍ରେମିକା କଥାରେ ଚିଣ୍ଟୁ ଭଳି ଯାଇଥିଲେ ଏବଂ ସୁନ୍ଦରପଦା ନିକଟ ହାଇଟେକ୍ସ୍ଥିତ ତାଙ୍କ ଘରକୁ ସେ ଯୁବତୀଙ୍କୁ ନିମନ୍ତ୍ରଣ କରିଥିଲେ। ଚିଣ୍ଟୁ ଆତିଥେୟତା ପ୍ରଦାନ କରିବାରେ ବ୍ୟସ୍ତ ଥିବା ବେଳେ ଧୂର୍ତ୍ତ ଯୁବତୀ ମୃଦୁ ପାନୀୟରେ ନିଶା ମିଶାଇ ଦେଇଥିଲେ। ଚିଣ୍ଟୁ ସଂଜ୍ଞାହୀନ ଅବସ୍ଥାରେ ଘରେ ପଡ଼ି ରହିଥିବା ବେଳେ ଯୁବତୀ ତାଙ୍କ ଘରେ ଥିବା ସୁନା ଗହଣା ଓ ଟଙ୍କା ନେଇ ସହଜରେ ଫେରାର୍ ହୋଇଯାଇଥିଲେ।
Follow Us