ସାଇବର କମ୍ପ୍ଲେକ୍ସ ଖୋଲିବାଠାରୁ ଥାନାରେ ତାଲା, ଫେରୁଛନ୍ତି ଅଭିଯୋଗକାରୀ

ସାଇବର କମ୍ପ୍ଲେକ୍ସ ଖୋଲିବାଠାରୁ ଥାନାରେ ତାଲା, ଫେରୁଛନ୍ତି ଅଭିଯୋଗକାରୀ

ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଥିବା ସାଇବର ଅପରାଧର ମୁକାବିଲା ପାଇଁ ରାଜଧାନୀରେ ସାଇବର କମ୍ପ୍ଲେକ୍ସ ଖୋଲାଗଲା। ଗତ ୨ ତାରିଖରେ ପୁଲିସ ଡିଜିପି ଏହାର ଶୁଭ ଉଦ୍‌ଘାଟନ କରିଥିଲେ। ଏହା ଭିତରେ ଦୁଇ ସପ୍ତାହ ବିତିଗଲାଣି। କିନ୍ତୁ କମ୍ପ୍ଲେକ୍ସ ପରିସରରେ ଥିବା ସାଇବର ଥାନାରେ ତାଲା ଝୁଲୁଛି। ତେଣୁ ସାଇବର ଠକେଇର ଶିକାର ହେଉଥିବା ରାଜଧାନୀବାସୀ ଅଭିଯୋଗ କରିବାକୁ ଆସି ନିରାଶ ହୋଇ ଫେରୁଛନ୍ତି। କଟକରୁ ସାଇବର ଥାନା ଭୁବନେଶ୍ବର ସ୍ଥାନାନ୍ତର ହୋଇପାରିନଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେଣୁ ପୂର୍ବଭଳି ଅଭିଯୋଗକାରୀମାନଙ୍କୁ ପୁଣି କଟକ ସାଇବର ଥାନାକୁ ଯିବାକୁ ପଡ଼ୁଛି।

ପଟିଆ ଅଞ୍ଚଳର ମନୋଜ ବାଡ଼ତ୍ୟା ସାଇବର ଠକେଇର ଶିକାର ହୋଇଥିଲେ। କ୍ରେଡିଟ୍ କାର୍ଡ ଜରିଆରେ ତାଙ୍କ ଆକାଉଣ୍ଟରୁ ୭୧ ହଜାର ଟଙ୍କା ଗାଏବ୍ ହୋଇଥିଲା। ଏ ନେଇ ସେ ନୂତନ ଭାବେ ଖୋଲିଥିବା ସାଇବର କମ୍ପ୍ଲେକ୍ସକୁ ଯାଇ ନିରାଶ ହୋଇଛନ୍ତି। ବଡ଼ଗଡ଼ ବ୍ରିଟ୍ କଲୋନି ଅଞ୍ଚଳର ରମେଶ ନାମକ ଜଣେ ଯୁବକ ସାଇବର ଠକେଇର ଶିକାର ହୋଇ ଉକ୍ତ କମ୍ପ୍ଲେକ୍ସରେ ପହଞ୍ଚିଥିଲେ। କିନ୍ତୁ ଥାନାରେ ତାଲା ଝୁଲୁଥିବା ଦେଖି ହତାଶ ହୋଇଥିଲେ।

publive-image

ମିଳିଥିବା ସୂଚନା ଅନୁସାରେ, ସାଇବର ଥାନା କଟକରେ ଥିବା ବେଳେ ଭୁବନେଶ୍ବରରୁ ମଧ୍ୟ ଚାଲିବ ବୋଲି ଉଦ୍‌ଘାଟନ ସମୟରେ ଘୋଷଣା କରାଯାଇଥିଲା। କିନ୍ତୁ ଥାନା କାର୍ଯ୍ୟକ୍ଷମ ହୋଇପାରି ନଥିବାରୁ ସାଧାରଣରେ ପ୍ରଶ୍ନ ଉଠିଛି। ଆଇନଗତ ଦୃଷ୍ଟିରୁ ବିଧିବଦ୍ଧ ବିଜ୍ଞପ୍ତି ହୋଇ ନଥିବାରୁ ଥାନା କାର୍ଯ୍ୟକ୍ଷମ ହେବା ଅଟକିଛି ବୋଲି କୁହାଯାଉଛି। ସେହିପରି ସାଇବର ଅପରାଧର ଶିକାର ହେଉଥିବା ମହିଳା ଓ ଶିଶୁଙ୍କ ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ଭାବେ ୟୁନିଟ୍ ଖୋଲାଯାଇଛି। ଏଠାରେ କାମ କରିବାକୁ ଥିବା କର୍ମଚାରୀ ବିଭିନ୍ନ ପର୍ଯ୍ୟାୟରେ ତାଲିମ୍‌ ନେବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ପର୍ଯ୍ୟାୟ ତାଲିମ୍‌ ଶେଷ ହୋଇଛି। ତେବେ ଏହି ୟୁନିଟ୍ ମାତ୍ର ଜଣେ କର୍ମଚାରୀରେ ଚାଲିଛି। ତେଣୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଅଭିଯୋଗ ଗ୍ରହଣ କରିବାକୁ ଉକ୍ତ ୟୁନିଟ୍‌ ସକ୍ଷମ ହୋଇନାହିଁ। ଏହା ଆଉ ଏକ ଚ୍ୟାଲେଞ୍ଜ୍‌ ହୋଇ ଛିଡ଼ା ହୋଇଛି। ତେଣୁ ପୂରା କୋଠାରେ ମାତ୍ର ଜଣେ କର୍ମଚାରୀ ଉପସ୍ଥିତ ରହୁଛନ୍ତି। କାହିଁକି ଏହି କୋଠାକୁ ତରବରିଆ ଭାବେ ଉଦ୍‌ଘାଟନ କରାଗଲା? ଯଦି ଥାନା ସ୍ଥାନାନ୍ତର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ, ତାହାଲେ କାହିଁକି ସାଇବର କମ୍ପ୍ଲେକ୍ସ ଖୋଲାଗଲା? ଏହି କମ୍ପ୍ଲେକ୍ସ କେବେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବ? ଏହି ସବୁ କଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଗତ ୨ ତାରିଖରେ ଏହି ସାଇବର କମ୍ପ୍ଲେକ୍ସକୁ ପୁଲିସ ଡିଜି ଅଭୟ ଉଦ୍‌ଘାଟନ କରିଥିଲେ। କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଥିବା ସାଇବର ଥାନା, ମହିଳା ଓ ଶିଶୁ ବିରୋଧୀ ସାଇବର ଅପରାଧ ମୁକାବିଲା ସେଲ୍, କେନ୍ଦ୍ର ସରକାରଙ୍କ ସାଇବର ପୋର୍ଟାଲ କାମ ଏଠାରେ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଜାତୀୟ ପୁଲିସ ଏକାଡେମିର ନ୍ୟାସନାଲ ଡିଜିଟାଲ କ୍ରାଇମ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର(ଏନଡିସିଆର୍‌ଟିସି) ସହଯୋଗରେ ୮ଟି ପର୍ଯ୍ୟାୟରେ ତାଲିମ୍‌ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe