ସାଇବର୍‌ ଠକେଇ: ଦିନକରେ ୧୦ ଅଭିଯୋଗ‌

ଆମେରିକା ବଜାରରେ ପୁଞ୍ଜିନିବେଶ ନାଁରେ ନେଇଗଲା ୨ଲକ୍ଷ, ଫୋନ୍‌ ପେ’ରେ ବ୍ୟବସାୟୀଙ୍କଠାରୁ ୫୦ହଜାର

ସିବିଆଇ ଅଫିସର ହୋଇ ସାଇବର ଠକ ଡାକ୍ତରଙ୍କଠୁ ଲୁଟିଲା ୪ ଲକ୍ଷ

ଭୁବନେଶ୍ବର: ଭୁବନେଶ୍ବର ସାଇବର୍‌ ଥାନାରେ ଆଜି ଦିନକରେ ୧୦ରୁ ଊର୍ଧ୍ବ ସାଇବର୍‌ ଠକେଇର ଅଭିଯୋଗ ଆସିଛି। ରାଜଧାନୀରେ ଥିବା ଉତ୍କଳ ପ୍ଲାଏ ଓ ଗ୍ଲାସ୍‌ ସଂସ୍ଥାର ମାଲିକଙ୍କୁ ସାଇବର୍‌ ଠକ ୪୯ ହଜାର ୯୯୯ଟଙ୍କା ଚୂନ ଲଗାଇଛି। ସଂସ୍ଥାର ଅନ୍‌ଲାଇନ୍‌ରେ ବିଜ୍ଞାପନ ଦେଖି ଗ୍ଲାସ୍‌ କିଣିବା ଜଣେ ଠକ କୋଟେସନ୍‌ ମଗାଇଥିଲା। ଠକ ନିଜକୁ ମୁମ୍ବାଇର ଜଣେ ସିଆଇଏସ୍‌ଏଫ୍‌ କର୍ମଚାରୀ ବୋଲି ପରିଚୟ ଦେଇଥିଲା। ହ୍ବାଟସ୍‌ଆପ୍‌ରେ ସଂସ୍ଥା ମାଲିକଙ୍କ ସହ କଥା ହୋଇ ୮୦ ହଜାର ଟଙ୍କାର ଜିନିଷ ଅର୍ଡର୍‌ କରି ନଖରା ଠିକଣାରେ ପହଞ୍ଚାଇବାକୁ କହିଥିଲା। ସେ ଫୋନ୍‌ ପେ’ ଜରିଆରେ ଟଙ୍କା ଦେଇଦେବ ବୋଲି କହିଥିଲା। ଠକ ପ୍ରଥମେ ସଂସ୍ଥାର ବିଜନେସ୍‌ ଆକାଉଣ୍ଟରେ ଫୋନ୍‌ ପେ’ ଜରିଆରେ ଟଙ୍କାଟିଏ ପଠାଇଥିଲା। ଆକାଉଣ୍ଟକୁ ଟଙ୍କା ଆସିଲା ବୋଲି ବ୍ୟବସାୟୀଜଣଙ୍କ ନିଶ୍ଚିତ କରିବାରୁ ଠକ ଆଉ ୪୯ ହଜାର ୯୯୯ ଟଙ୍କା ପଠାଇଲା ଓ ଯାଞ୍ଚ କରିବାକୁ ବ୍ୟବସାୟୀଙ୍କୁ କହିଥିଲା। କିନ୍ତୁ ଦ୍ବିତୀୟଥର ଟଙ୍କା ନଆସିବାରୁ ବ୍ୟବସାୟୀଜଣଙ୍କ ଫୋନ୍‌ କରି ଏ ସଂପର୍କରେ ଜଣାଇଥିଲେ। ପରେ ଠକ ତାଙ୍କୁ ବିଭିନ୍ନ ଉପାୟ ବତାଇଥିଲା। ତା’ କହିବାନୁଯାୟୀ ବ୍ୟବସାୟୀଜଣଙ୍କ ଫୋନ୍‌ ପ‌େ’ ଅପରେଟ୍‌ କରିବାରୁ ତାଙ୍କୁ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଠକ ଆକାଉଣ୍ଟକୁ ପଳାଇଥିଲା।

ଅନ୍ୟ ଏକ ଅଭିଯୋଗକ୍ରମେ, ଆମେରିକା ପୁଞ୍ଜିବଜାର (ସେୟାର ମାର୍କେଟ୍‌)ରେ ଟଙ୍କା ନିବେଶ କରିବାକୁ କହି କିଷାନ ବେହେରା ନାମକ ଜଣେ ଯୁବକଙ୍କୁ ସାଇବର୍‌ ଠକ ୨ ଲକ୍ଷ ଟଙ୍କାର ଚୂନ ଲଗାଇଛି। ଭାରତୀୟ ପୁଞ୍ଜିବଜାର ଅପେକ୍ଷା ଆମେରିକା ପୁଞ୍ଜିବଜାରରେ ଟଙ୍କା ନିବେଶ କଲେ ଅଧିକ ସୁଧ ମିଳିବ ବୋଲି ପ୍ରଲୋଭନ ଦେଖାଇ ଠକ ୨ଲକ୍ଷ ଟଙ୍କା ନିବେଶ କରିବାକୁ କିଷାନଙ୍କୁ କହିଥିଲା। ତା’ କଥା ମାନି ଏକ ଆପ୍‌ ଜରିଆରେ ସେ ୨ ଲକ୍ଷ ଟଙ୍କା ନିବେଶ କରିଥିଲେ। କିନ୍ତୁ ପ୍ରତିବଦଳରେ ତାଙ୍କୁ କୌଣସି ସେୟାର୍‌ ମିଳିନଥିଲା। ଏନେଇ ସେ ଠକକୁ ବାରମ୍ବାର ଯୋଗାଯୋଗ କରି ନିରାଶ ହେବା ପରେ ସାଇବର୍‌ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେହିପରି ଫେସବୁକ୍‌ରେ ଚିହ୍ନା ପରିଚୟ ହୋଇଥିବା ଜଣେ ଯୁବତୀ ଇଲେକ୍ଟ୍ରିକାଲ୍‌ ଇଂଜିନିୟର ଜ୍ଞାନରଂଜନ ଦାସଙ୍କୁ ୫ଲକ୍ଷ ଟଙ୍କାର ଚୂନ ଲଗାଇଛି। ଫେସ୍‌ବୁକ୍‌ରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହେବା ପରେ ଯୁବତୀଜଣଙ୍କ ତାଙ୍କୁ ବ୍ୟବସାୟର ବିଭିନ୍ନ ସ୍କିମ୍‌ ଦେଖାଇ ଟଙ୍କା ନିବେଶ ପାଇଁ ପ୍ରବର୍ତ୍ତାଇଥିଲା। ଜ୍ଞାନରଂଜନ ଆଗପଛ ବିଚାର ନ କରି ତା’ କଥାରେ ୫ଲକ୍ଷ ଟଙ୍କା ନିବେଶ କରିଦେଇଥିଲେ।

ଅଶ୍ଲୀଳ ଫଟୋ ଭାଇରାଲ୍‌ କରି‌ଦେବାକୁ ଧମକ ଦେଇ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ଅମିତ ଅଗ୍ରୱାଲ୍‌ଙ୍କୁ ସାଇବର ଠକ ୨ଲକ୍ଷ ଟଙ୍କା ମାଗିଥିଲା। କିନ୍ତୁ ଅମିତ୍‌ ଟଙ୍କା ନ ଦେଇ ଏ ସଂପର୍କରେ ସାଇବର୍‌ ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ, ମହମ୍ମଦ ସବୀର ନାମକ ଜଣେ ବ୍ୟବସାୟୀଙ୍କଠାରୁ ୩୦ହଜାର ଟଙ୍କା ଠକେଇ ହୋଇଛି। ଆଜି ଗୋଟିଏ ଦିନରେ ସାଇବର୍‌ ଥାନାରେ ଏଭଳି ମାଳମାଳ ଅଭିଯୋଗ ପୁଲିସ୍‌ର ନିଦ ହଜାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe