ସାଇବର୍‌ ଠକେଇର ଅମୋଘ ଅସ୍ତ୍ର ମ୍ୟୁଲ୍‌ ଆକାଉଣ୍ଟ: ୨୦ହଜାର ଆକାଉଣ୍ଟରେ ୫ ହଜାର କୋଟି ଠକେଇ

ସମ୍ପ୍ରତି ସାଇବର୍‌ ଠକେଇ ପୂରା ଦେଶକୁ କବଳିତ କରିସାରିଲାଣି। ସାଇବର୍ ବିଶେଷଜ୍ଞଙ୍କ ସ‌ଚେତନତା ଓ ସାଇବର ପୁଲିସର ବ୍ୟାପକ ଗିରଫଦାରୀ ପରେ ବି ଏହି ଠକେଇର ମୂଳ ଉତ୍ପାଟନ ହୋଇପାରୁନାହିଁ।

cyber

ଭୁବନେଶ୍ବର: ସମ୍ପ୍ରତି ସାଇବର୍‌ ଠକେଇ ପୂରା ଦେଶକୁ କବଳିତ କରିସାରିଲାଣି। ସାଇବର୍ ବିଶେଷଜ୍ଞଙ୍କ ସ‌ଚେତନତା ଓ ସାଇବର ପୁଲିସର ବ୍ୟାପକ ଗିରଫଦାରୀ ପରେ ବି ଏହି ଠକେଇର ମୂଳ ଉତ୍ପାଟନ ହୋଇପାରୁନାହିଁ। ପୁଲିସ ଡାଳେଡାଳେ ଗଲେ, ସାଇବର ଠକମାନେ ପତ୍ରେପତ୍ରେ ଯାଇ ଲୋକଙ୍କୁ ଚୂନ ଲଗାଉଛନ୍ତି। ପୁଲିସ ତଥ୍ୟ କହୁଛି ସାଇବର୍‌ ଠକଙ୍କ ‌ଅମୋଘ ଅସ୍ତ୍ର ହେଉଛି ମ୍ୟୁଲ୍‌ ଆକାଉଣ୍ଟ। ନିରୀହ ଲୋକଙ୍କୁ ଅଳ୍ପ କିଛି ପଇସାର ଲୋଭ ଦେଖାଇ ସାଇବର ଠକମାନେ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଏହି ଠକେଇରେ ବ୍ୟବହାର କରୁଛନ୍ତି। ଠକେଇର ଶିକାର ବ୍ୟକ୍ତିଙ୍କ ଲକ୍ଷଲକ୍ଷ ଟଙ୍କାକୁ ଏକାଧିକ ମ୍ୟୁଲ୍‌ ଆକାଉଣ୍ଟ ଜରିଆରେ ଟ୍ରାନ୍‌ସଫର୍‌ କରି ନେଉଛନ୍ତି। ଧରପଗଡ଼ ହେଲେ ମ୍ୟୁଲ୍‌ ଆକାଉଣ୍ଟ୍‌ର ମାଲିକ ଗିରଫ ହେଉଛି ଏବଂ ସାଇବର୍‌ ଠକ ପାର୍‌ ହୋଇଯାଉଛି। କାଉ ପଣସ ଖାଉଛି ଏବଂ ବଗ ମୁଣ୍ଡରେ ଅଠା ବୋଳା ହେଉଛି ନ୍ୟାୟରେ ଗରିବ ଲୋକଟି ଫସିଯାଉଛି। କ୍ରାଇମ୍‌ବ୍ରାଞ୍ଜ ଠାରୁ ଆରମ୍ଭ କରି କମିସନରେଟ୍‌ ପୁଲିସ ଓ ସାଇବର ଥାନା ପୁଲିସ ୧୦୦ରୁ ଅଧିକ ମାମଲାରେ ୨୦ ହଜାରରୁ ଅଧିକ ମ୍ୟୁଲ୍‌ ଆକାଉଣ୍ଟ ଠାବ କରିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ୫ ହଜାର ‌କୋଟିରୁ ଊର୍ଧ୍ବ ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି। ବଡ଼ କଥା ଯେତିକି ମ୍ୟୁଲ୍‌ ଆକାଉଣ୍ଟ ଠାବ କରାଯାଇଛି, ତା’ଠାରୁ ବହୁ ଅଧିକ ମ୍ୟୁଲ୍‌ ଆକାଉଣ୍ଟ ଏବେ ବି ବଜାରରେ ବୁଲୁଛି।  

ଗରିବ ଯୁବପିଢ଼ିଙ୍କୁ ମୋହରା: ମ୍ୟୁଲ୍‌ ଆକାଉଣ୍ଟ ପ୍ରସ୍ତୁତ କରିବା ପାଇଁ ଗରିବ ଶ୍ରେଣୀର ଯୁବକମାନଙ୍କୁ ଟାର୍ଗେଟ୍‌ କରାଯାଉଛି। ମାସିକ ୧୦ରୁ ୧୫ ହଜାର ଟଙ୍କା ଦରମାରେ ନିଯୁକ୍ତି ପାଇଥିବା ଠକେଇ ରୢାକେଟ୍‌ର ଏଜେଣ୍ଟମାନେ ବୁଲିବୁଲି ଗାଁ’ଗଣ୍ଡାର ଗରିବ ଯୁବକଙ୍କୁ ଫସାଉଛନ୍ତି। ଏହି ଏଜେଣ୍ଟମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି। ସେମାନେ କିଭଳି ଯୁବକମାନଙ୍କୁ ଫସାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବେ, ସେବିଷୟରେ ତାଲିମ ଦିଆଯାଉଛି। ଏଜେଣ୍ଟମାନେ ଗ୍ରାମାଞ୍ଚଳର କମ୍‌ ପାଠପଢ଼ିଥିବା ଲୋକ ଓ ମହିଳାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଘରେ ବସି ବିନା ପୁଞ୍ଜି ନିବେଶରେ କିଭଳି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିହେବ, ସୁନେଲି ସ୍ବପ୍ନ ଦେଖାଉଛନ୍ତି। ସେହିଭଳି ସରକାରୀ ଯୋଜନା ମାଧ୍ୟମରେ ଟଙ୍କା ମିଳିବାର ଲୋଭ ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପ୍ରବର୍ତ୍ତାଉଛନ୍ତି। ଏହାପରେ ସେମାନଙ୍କ ଆଧାରକାର୍ଡ, ପାନ୍‌ କାର୍ଡ ଓ ପରିଚୟପତ୍ର ନେଇ ସେମାନଙ୍କ ନାଁରେ ସିମ୍‌ କିଣୁଛନ୍ତି। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ବେଳେ ଉକ୍ତ ସିମ୍‌କାର୍ଡକୁ ସେଥିରେ ସଂ‌ଯୋଗ କରୁଛନ୍ତି। ଏହାପ‌ରେ ଉକ୍ତ ମୋବାଇଲ୍‌କୁ ନିଜ ପାଖରେ ରଖି ପାସ୍‌ୱାର୍ଡ ବଳରେ ଆର୍ଥିକ କାରବାରର ନିୟନ୍ତ୍ରଣ ନିଜ ହାତରେ ରଖୁଛନ୍ତି। ଠକେଇ ଟଙ୍କାକୁ ବାରମ୍ବାର ଏକାଧିକ ମ୍ୟୁଲ୍‌ ଆକାଉଣ୍ଟ ଜରିଆରେ ଟ୍ରାନ୍‌ସଫର କରିକରି ଶେଷରେ ନିଜ ଆକାଉଣ୍ଟକୁ ନେଉଛନ୍ତି। ସନ୍ଦେହରେ ଘରୋଇ ବ୍ୟାଙ୍କ: ତଦନ୍ତରୁ ଜଣାପଡ଼ିଛି ଯେ ବିଶେଷକରି ଘରୋଇ ବ୍ୟାଙ୍କଗୁଡ଼ିକରେ ଏହି ମ୍ୟୁଲ୍‌ ଆକାଉଣ୍ଟ ପ୍ରସ୍ତୁତି ଦ୍ରୁତଗତିରେ ବଢ଼ିଚାଲିଛି। ଠକ ତଥା ଏଜେଣ୍ଟ ସହଜରେ ଏଭଳି ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲାଇ ପାରୁଛନ୍ତି। ଅନେକ ଘଟଣା ପଦାକୁ ଆସିବା ପରେ ମଧ୍ୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। 

ବିଦେଶୀ ଠକଙ୍କ ହାତରେ ଚାବିକାଠି: ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଏଭଳି ଅନେକ ଅନ୍ତରାଜ୍ୟ ସାଇବର୍‌ ଠକେଇ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି। ସେକ୍‌ ହାପିଜୁଲ, ସେକ୍‌ ଜାହାଙ୍ଗୀର, ଜମିରୁଦ୍ଦିନ, ସମିମ୍‌ ଇସ୍‌ଲାମଙ୍କ ଭଳି କୁଖ୍ୟାତ ସାଇବର୍‌ ଠକଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କଠାରୁ ୧୫ହଜାରରୁ ଊର୍ଦ୍ଧ୍ବ ମ୍ୟୁଲ୍‌ ଆକାଉଣ୍ଟ ଠାବ କରାଯାଇଛି। ଜଣାପଡ଼ିଛି ଯେ, ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଦୁବାଇ, ମାଲେସିଆ, ଚୀନ, ଭିଏତନାମ୍‌ ଭଳି ଦେଶରେ ଥାଇ ପରିଚାଳନା କରୁଛନ୍ତି। ମ୍ୟୁଲ୍‌ ଆକାଉଣ୍ଟ ମାଧ୍ୟ‌ମରେ ଟଙ୍କା ନେବା ପରେ ସେହି ଟଙ୍କାକୁ କ୍ରିପ୍ଟୋ, ବିଟ୍‌କଏନ୍‌ରେ ନିବେଶ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe