ପୁଣି ଲୁଟିଲେ ସାଇବର ଠକ: ଅଧିକ ସୁଧ ଆଳରେ ୧୦ ଲକ୍ଷ ଲୁଟ୍‌

Advertisment
ପୁଣି ଲୁଟିଲେ ସାଇବର ଠକ: ଅଧିକ ସୁଧ ଆଳରେ ୧୦ ଲକ୍ଷ ଲୁଟ୍‌

CPO Magazine

ଭୁବନେଶ୍ବର: ବର୍ଷ କି ମାସ ନୁହେଁ, ଦିନକୁ ୮ପ୍ରତିଶତ ସୁଧ ପାଇବାର ଲୋଭ ଦେଖାଇ ସାଇବର୍ ଠକ ଭରତପୁରର ଚିତ୍ତରଂଜନ ସାମନ୍ତରାୟଙ୍କ ସମେତ ତାଙ୍କର ୧୦ଜଣ ବନ୍ଧୁଙ୍କଠାରୁ ୧୦ ଲକ୍ଷରୁ ଊର୍ଧ୍ବ ଟଙ୍କା ଲୁଟି ନେଇଛି। ଏ ସଂପର୍କରେ ଚିତ୍ତରଂଜନ ଆଜି ଭୁବନେଶ୍ବର ସାଇବର୍‌ ହେଲ୍ପ-ଡେସ୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ୧ ତାରିଖରେ ଚିତ୍ତରଂଜନଙ୍କ ଜଣେ ବନ୍ଧୁ ତାଙ୍କୁ ‘ଓ-ରିଚ୍ ଆପ୍’ ଏବଂ ‘ଟ୍ରେଜର୍ ଆପ୍’ ସଂପର୍କରେ ସୂଚନା ଦେଇଥିଲେ। ଏହି ଆପ୍‌ ଜରିଆରେ ୫ହଜାର ଟଙ୍କା ନିବେଶ କଲେ, ପ୍ରତିଦିନ ୮% ହାରରେ ସୁଧ ମିଳିବ ବୋଲି କହିଥିଲେ।

ପୁଞ୍ଜି ଉଠାଣ ନ କଲେ, ୧୫ଦିନ ପରେ ଦିନକୁ ୩୫% ସୁଧ ମିଳିବ। ତେବେ ଆଗପଛ ବିଚାର ନ କରି ଚିତ୍ତରଂଜନଙ୍କ ସମେତ ତାଙ୍କର ୧୦ଜଣ ବନ୍ଧୁ ଏଥିରେ ଟଙ୍କା ନିବେଶ କରିଥିଲେ। ଟ୍ରେଜର୍ ଆପ୍‌‌‌‌ରେ ସେ ୨ ଲକ୍ଷ ଟଙ୍କା ନିବେଶ କରିବା ସହ ବନ୍ଧୁମାନଙ୍କୁ ବି ଟଙ୍କା ଲଗାଇବା ପାଇଁ କହିଥିଲେ। ଏହିଭଳି ଚିତ୍ତ ଓ ତାଙ୍କ ବନ୍ଧୁମାନେ ମୋଟ ୧୦ଲକ୍ଷ ଟଙ୍କା ନିବେଶ କରିଥିଲେ। ମାତ୍ର ଗତ ୩ ଦିନ ହେବ, ଏହି ଆପ୍‌ ଅଚଳ ହୋଇଯାଇଛି। ଗୁଗୁଲ୍‌ ପ୍ଲେ’ ଷ୍ଟୋର୍‌ରେ ବି ଏହାର ଆଉ ଚିହ୍ନବର୍ଣ୍ଣ ନାହିଁ। ତେଣୁ ଚିତ୍ତଙ୍କ ସମେତ ତାଙ୍କର ବନ୍ଧୁ ଆଜି ସାଇବର୍‌ ହେଲ୍ପ ଡେସ୍କର ଦ୍ବାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ବିଭିନ୍ନ ୱେବ୍‌ସାଇଟ୍‌ ଓ ଆପ୍‌ ଜରିଆରେ ଅଧିକ ସୁଧ ଦେବା ଆଳରେ ଲୋକଙ୍କୁ ଲୁଟୁଥିବା ‘ପାଵାର ବ୍ୟାଙ୍କ୍‌ ଆପ୍‌’ର ଗତ ଜୁଲାଇ ମାସରେ ପର୍ଦ୍ଦାଫାସ୍ ହୋଇଥିଲା। ଉତ୍ତରାଖଣ୍ଡ ଏସ୍‌ଟିଏଫ୍ ସମେତ ଦିଲ୍ଲୀ ସାଇବର ବ୍ରାଞ୍ଚ୍‌ ଏହି ସାଇବର ଠକେଇ ଆପ୍‌ଗୁଡ଼ିକର ପର୍ଦ୍ଦାଫାସ୍ କରି ସେଗୁଡ଼ିକୁ ନିଷେଧ କରିଥିଲା। ଗତ ଅକ୍ଟୋବରରେ ନୂଆ କରି ରାଜ୍ୟରେ ଏହି ଠକେଇ ଘଟଣା ଲୋକଲୋଚନକୁ ଆସିଥିଲା। ଅକ୍ଟୋବର ୨୫ରେ ପ୍ରାୟ ୬୦କୋଟି ଟଙ୍କା ରାଜ୍ୟରୁ ଅନ୍‌ଲାଇନ୍ ଚିଟଫଣ୍ଡ ଜରିଆରେ ଠକେଇ ହୋଇଥିବା କ୍ରାଇମବ୍ରାଞ୍ଚ୍‌ରେ ଅଭିଯୋଗ ମଧ୍ୟ ହୋଇଥିଲା। ମାତ୍ର ଏତେ ସବୁ ପରେ ବି ଏଭଳି ଅନେକ ଆପ୍‌ ଏବେ ବି ବିଭିନ୍ନ ପ୍ଲାଟ୍‌ଫର୍ମରେ ଘୂରି ବୁଲୁଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏନେଇ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନଥିବାରୁ ଲୋକେ ପ୍ରଲୋଭନରେ ପଡ଼ି ଠକେଇର ଶିକାର ହେଉଛନ୍ତି।

କେମିତି ବର୍ତ୍ତିବେ?
ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଅନଲାଇନ୍‌ରେ କୌଣସି ସଂସ୍ଥା ବା ଆପ୍‌ରେ ଟଙ୍କା ନିବେଶ କରିବା ପୂର୍ବରୁ ଉକ୍ତ ସଂସ୍ଥା ସଂପର୍କରେ ଭଲ ଭାବେ ତର୍ଜମା କରିବା ଆବଶ୍ୟକ। ସାଧାରଣତଃ ଏହି ଠକେଇ ଆପ୍‌ଗୁଡ଼ିକର ୱେବ୍‌ସାଇଟ୍‌ ନଥାଏ। ଯଦି ବା ଥାଏ, ତା’ର ପଂଜୀକୃତ ନମ୍ବର ଏବଂ ବିସ୍ତୃତ ଠିକଣା ଦିଆଯାଇନଥାଏ। ସେଇଥିରୁ ହିଁ ସଂସ୍ଥା ଅସଲ କି ଜାଲ୍‌, ଜଣେ ଜାଣିପାରିବ। ଏଭଳି ଗଦାଗଦା ମୋବାଇଲ୍‌ ଆପ୍‌ ଜରିଆରେ ସାଇବର୍‌ ଠକମାନେ ଲୋକଙ୍କୁ ଠକୁଛନ୍ତି। ତେଣୁ ଠକେଇର ଶିକାର ହେଲେ, ଶୀଘ୍ର ସାଇବର ବିଶେଷଜ୍ଞ ନଚେତ୍ ପୁଲିସକୁ ଅଭିଯୋଗ କରନ୍ତୁ ବୋଲି ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe