ଦେହ ବ୍ୟବସାୟ ଆଳରେ ଜାଲ ବିଛାଇଛନ୍ତି ସାଇବର ଠକ

Advertisment

ଟେଲିଗ୍ରାମ୍‌ରେ ମାଳମାଳ ନକଲି ଅଶ୍ଳୀଳ ଚ୍ୟାନେଲ୍

ଟେଲିଗ୍ରାମ୍‌ରେ ମାଳମାଳ ନକଲି ଅଶ୍ଳୀଳ ଚ୍ୟାନେଲ୍

ଦେହ ବ୍ୟବସାୟ ଆଳରେ ଜାଲ ବିଛାଇଛନ୍ତି ସାଇବର ଠକ

www.indiatoday.in

ଭୁବନେଶ୍ବର, କଟକ, ପୁରୀ ସହର ନାଁରେ ବି ଖୋଲିଛନ୍ତି

ଭୁବନେଶ୍ବର,(ସୁରଜ କୁମାର ମଲ୍ଲିକ): ଏବେ ସବୁଠି ମାତିଛନ୍ତି ସାଇବର ଠକ। କେତେବେଳେ ଫଟୋ ଏଡିଟିଂ କରି ଭାଇରାଲ୍ କରିବା ନାଁରେ ଟଙ୍କା ଠକୁଛନ୍ତି ତ, କେତେବେଳେ କ୍ରେଡିଟ୍ କାର୍ଡ ଅପଗ୍ରେଡ୍ କରାଇବେ କହି ତଥ୍ୟ ଚୋରି କରି ଟଙ୍କା ଲୁଟି ନେଉଛନ୍ତି। ଏବେ କିନ୍ତୁ ସାଇବର ଠକମାନେ ଦେହ ବ୍ୟବସାୟ ଆଳରେ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ଜାଲ ବିଛାଇଥିବା ନଜର ଆସିଛି। ଭୁବନେଶ୍ବର, କଟକ, ପୁରୀ ଭଳି ପ୍ରମୁଖ ସହର ନାଁ’ରେ ଏହି ଠକମାନେ ଦେହ ବ୍ୟବସାୟ କରିବାକୁ ନେଇ ନକଲି ଚ୍ୟାନେଲ୍ ଖୋଲିଛନ୍ତି। ଆଉ ସହଜରେ ଗ୍ରାହକଙ୍କୁ ଫସାଇ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା।

ସାଇବର ଠକମାନେ ଟେଲିଗ୍ରାମରେ ଏଭଳି ନକଲି ଚ୍ୟାନେଲ୍‌କୁ ଏମିତି ଢଙ୍ଗରେ ବ୍ୟବସ୍ଥିତ କରିଛନ୍ତି ଯେ କେହି ଦେଖିଲେ ସହଜରେ ବିଶ୍ବାସ କରି ବସିବ। ଉଭୟ ପୁରୁଷ ଓ ମହିଳାଙ୍କୁ ଠକିବା ପାଇଁ କଲ୍ ଗାର୍ଲ ଓ କଲ୍ ବୟ ନାଁ’ରେ ଖୋଲାଯାଇଛି ଚ୍ୟାନେଲ୍। ଶାରୀରିକ ସମ୍ପର୍କ ସ୍ଥାପନ ନିମନ୍ତେ ଭିନ୍ନ ଭିନ୍ନ ପ୍ରକାର ବ୍ୟବସ୍ଥା ରହିଥିବା ବେଳେ ଘଣ୍ଟା ପିଛା ଦର ଏବଂ ରାତି ପିଛା ମୂଲ୍ୟ ଅଲଗା ଅଲଗା ରହିଛି। ବିଭିନ୍ନ ଚ୍ୟାନେଲରେ କଲେଜ୍ ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶତାଧିକ ଯୁବତୀ ଓ ମହିଳାମାନଙ୍କର ଫଟୋ ପୋଷ୍ଟ କରାଯାଇଛି। ବିଭିନ୍ନ ହୋଟେଲ୍‌ଠୁ ଆରମ୍ଭ କରି ଓୟୋ ଗେଷ୍ଟହାଉସ ଆଦି ବିଭିନ୍ନ ଜାଗାରେ ଏହି ଦେହ ବେପାର କରାଯାଉଥିବା କୁହାଯାଉଛି।

publive-image

ଏହିସବୁ ଟେଲିଗ୍ରାମ୍ ଚ୍ୟାନେଲ୍‌ରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କଲେ ସେପଟୁ ହ୍ବାଟ୍ସଆପ୍‌ରେ ଯୋଗାଯୋଗ କରିବାକୁ କୁହାଯାଉଛ। ଏହା ପରେ ହ୍ବାଟ୍ସଆପ୍‌ରେ ମେସେଜ୍ କଲେ ପ୍ରଥମେ ଏକ ନମ୍ବରରେ ୧୦୦୦ ଟଙ୍କା ଦେବାକୁ କୁହାଯାଉଛି। ତା’ପରେ ଯୁବତୀ ବାଛିବା ପାଇଁ ଫଟୋ ଦିଆଯିବ ବୋଲି କୁହାଯାଉଛି। ଫଟୋ ପସନ୍ଦ ନ ଆସିଲେ ଟଙ୍କା ଫେରସ୍ତ ମିଳିବ ‌ବୋଲି ଠକ ଉଲ୍ଲେଖ କରୁଛି।

ଅପରପକ୍ଷରେ ଟେଲିଗ୍ରାମ୍‌ର ଏହି ଚ୍ୟାନେଲ୍‌ଗୁଡ଼ିକର ଆରମ୍ଭ ବା ଡେଟ୍ ଅଫ୍ ଚ୍ୟାନେଲ୍ କ୍ରିଏଟେଡ୍ ଆଦି ଦେଖିଲେ ଜଣାପଡ଼ିଛି ଯେ ଗତ ଲକ୍‌ଡାଉନ୍ ସମୟରୁ ହିଁ ସାଇବର ଠକ ଏହି ନୂଆ ଉପାୟ ଆପଣାଇଛନ୍ତି। ଭୁବନେଶ୍ବର, କଟକ, ପୁରୀ ସମେତ ରାଜ୍ୟ ନାଁରେ ଖୋଲିଥିବା ଏହି ଅଶ୍ଳୀଳ ଚ୍ୟାନେଲ୍‌ର ଭ୍ୟୁୟର୍ସ ବା ସବ୍‌ସ୍କ୍ରାଇବର୍‌ଙ୍କ ସଂଖ୍ୟା ଚିନ୍ତାଜନକ ରହିଛି। ପ୍ରାୟ ୧୦ହଜାରରୁ ଅଧିକ ଲୋକ ଏହି ଚ୍ୟାନେଲ୍‌କୁ ସବସ୍କ୍ରାଇବ୍ କରିଥିବା ଜଣାପଡ଼ିଛି। ଅର୍ଥାତ୍ ଏଭଳି ଠକେଇ ପାଇଁ ସାଇବର ଠକମାନେ ବୁଣିଥିବା ଜାଲରେ ବର୍ଷକ ମଧ୍ୟରେ ଅନେକ ଲୋକଙ୍କୁ ଛନ୍ଦି ସାରିଛନ୍ତି। ତେବେ ଏଯାଏ କେତେ ଲୋକ ସାଇବର ଠକର ଏହି ନୂଆ ଚାଲ୍‌ରେ ଫସି ଟଙ୍କା ହରାଇଛନ୍ତି ତାହା ଜଣା ପଡ଼ିନାହିଁ। ଅନେକ ଲୋକ ଏପରି ମାୟ‌ାଜାଲରେ ଫସି ଟଙ୍କା ହରାଇଲେ ମଧ୍ୟ ଲୋକଲଜ୍ଜା ଭୟରେ ପୁଲିସରେ ଅଭିଯୋଗ କରୁ ନଥିବା ଅନୁମାନ କରାଯାଉଛି।

ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ସାଇବର ଠକମାନେ ଏବେ ଠକିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ଟଙ୍କା ନେବା ପରେ ସେମାନେ ଆପଣଙ୍କ ଆକାଉଣ୍ଟ୍ ବା କ୍ୟୁଆର୍ କୋଡ୍ ପଠାଇ ଆପଣଙ୍କଠୁ ଅଧିକ ଟଙ୍କା ଲୁଟିପାରନ୍ତି। ତେଣୁ ଯଥାସମ୍ଭବ ଏଭଳି ଅଜଣା ଚ୍ୟାନେଲ୍‌ରୁ ଦୂରେଇ ରହିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe