ସାଇବର ଠକେଇର ଶିକାର ହେଲେ ଡାକ୍ତରୀ ଛାତ୍ର

Advertisment
ସାଇବର ଠକେଇର ଶିକାର ହେଲେ ଡାକ୍ତରୀ ଛାତ୍ର

ଭୁବନେଶ୍ବର: ମହାମାରୀ କରୋନାକୁ ଆଳ କରି ସାଇବର ଅପରାଧୀ ବିଭିନ୍ନ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରୁଥିବା ବେଳେ ଏବେ ନିଯୁକ୍ତି ଆଶାୟୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଦେଶ ତଥା ଆମ ରାଜ୍ୟରେ ନିଯୁକ୍ତିଜନିତ ସାଇବର ଠକେଇ ଯଦିଓ ନୂଆ ନୁହେଁ କିନ୍ତୁ ନକଲି ୱେବସାଇଟ୍ ଖୋଲି ଅନ୍‌ଲାଇନ୍‌ରେ ଟ୍ୟୁସନ୍ କରିବା ଆଳରେ ଟଙ୍କା ଲୁଟିବା ଏକ ଅଭିନବ ଉପାୟ। ନିକଟରେ ଜଣେ ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ର ଅନ୍‌ଲାଇନ୍‌ରେ ଟ୍ୟୁସନ୍ ଖୋଜିବାକୁ ଯାଇ ଏଭଳି ଅଭିନବ ଢଙ୍ଗରେ ଠକେଇର ଶିକାର ହୋଇଛନ୍ତି। ଏନେଇ ଡାକ୍ତରୀ ଛାତ୍ର ଖଣ୍ଡଗିରିର ଫରାଜ ଆଜି ଭୁବନେଶ୍ବରର ସାଇବର ଓ ଅର୍ଥନୈତିକ ଅପରାଧ ଶାଖାରେ ଠକେଇ ଅଭିଯୋଗ ଆଣିଛନ୍ତି।

ଫରାଜଙ୍କ ଅଭିଯୋଗ ଅନୁଯାୟୀ, ଯୁଦ୍ଧ ପାଇଁ ସେ ୟୁକ୍ରେନରୁ ଭୁବନେଶ୍ବର ଫେରିଥିଲେ। ଡାକ୍ତରୀ ଲାଇସେନ୍ସ ମିଳିନଥିବାରୁ ସେ ପାଠ ପଢ଼ିବା ସହିତ ଅନଲାଇନ୍ ଟ୍ୟୁସନ୍ ଜରିଆରେ ପକେଟ୍ ଖର୍ଚ୍ଚ ଉଠାଇବାକୁ ନୌକରି ଡଟ୍ କମ୍‌ରେ ଆବେଦନ କରିଥିଲେ। ପରେ ଏପ୍ରିଲ୍ ୨୦ ତାରିଖରେ ଟ୍ୟୁଟର୍‌ ମି ନାମକ ଏକ ସଂସ୍ଥା କର୍ତ୍ତୃପକ୍ଷ ତାଙ୍କୁ ଯୋଗାଯୋଗ କରିଥିଲା। ପିଲାଙ୍କୁ ପାଠ ପଢ଼ାଇବାକୁ ହେଲେ ୨୫୦୦ଟଙ୍କା ଦେଇ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଫରାଜ ଟଙ୍କା ଦେବା ପୂର୍ବରୁ ଟ୍ୟୁଟର୍ ମି ର ୱେବ୍‌ସାଇଟ୍ ଯାଇ ଖୋଜିବା ପରେ ଏହା ଏକ ଅସଲି ସଂସ୍ଥା ବୋଲି ଅନୁଭୂତ ହୋଇଥିଲା। ପରେ ସେ ଉକ୍ତ ସଂସ୍ଥା ପଠାଇଥିବା କ୍ୟୁଆର୍ କୋଡ୍ ସାହାଯ୍ୟରେ ଟଙ୍କା ଦେବା ପରେ ତାଙ୍କୁ କୌଣସି ଟ୍ୟୁସନ୍ ଦିଆଯାଇନଥିଲା। ଉକ୍ତ ହ୍ବାଟ୍‌ସଆପ୍ ଗ୍ରୁପରେ ଥିବା ଅନ୍ୟମାନଙ୍କୁ ଯୋଗାଯୋଗ କରିବା ପରେ ଏହା ଏକ ନକଲି ସଂସ୍ଥା ଏବଂ ଠକେଇର ଶିକାର ମଧ୍ୟ ହୋଇଥିବା ଜାଣିଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଭିନବ ଉପାୟରେ ଠକେଇ କରୁଥିବା ସାଇବର ଠକ ଜଣେ ବା ଦି’ଜଣ ଲୋକଙ୍କୁ ଟାର୍ଗେଟ କରି ସୀମିତ ରଖୁନାହିଁ। ବରଂ ଚାକିରି ହରାଇଥିବା ଯୁବଗୋଷ୍ଠୀ ବା ଅନଲାଇନ୍‌ରେ ନିଯୁକ୍ତି ଖୋଜୁଥିବା ଆଶାୟୀଙ୍କୁ ଟାର୍ଗେଟ୍ କରାଯାଉଛି। ଫସାଇବା ପାଇଁ ଚାକିରି ଯୋଗାଇବା ଆଳରେ ଅନେକ ଜାଲ୍ ୱେବସାଇଟ୍ ଖୋଲାଯାଇଛି। ଅପରପଟେ କରୋନା ପାଇଁ ଶିକ୍ଷାନୁଷ୍ଠାନରେ ପ୍ରତିବନ୍ଧକ ଲାଗିଥିବାରୁ ଅନଲାଇନ୍ ପାଠପଢ଼ା ବଢ଼ିଛି। ଆଉ ଏହାରି ସୁଯୋଗରେ ସାଇବର ଠକ ୱେବସାଇଟ୍ ଜରିଆରେ ଉଭୟ ଛାତ୍ର ଓ ଶିକ୍ଷକଙ୍କୁ ଠକେଇ କରୁଛନ୍ତି। ପଞ୍ଜୀକରଣ ଟଙ୍କା ଖୁବ୍ କମ୍ ରହିଥିବାରୁ ଆଶାୟୀଙ୍କ ବିଶ୍ବସନୀୟତା ମଧ୍ୟ ସହଜରେ ହାସଲ କରିହେଉଛି। ଅପରପକ୍ଷରେ ଅଳ୍ପ କିଛି ଟଙ୍କା ଠକେଇ ହେଉଥିବାରୁ ଲୋକେ ଏନେଇ ଥାନାରେ ଅଭିଯୋଗ କରୁନାହାନ୍ତି। ମାତ୍ର ବାସ୍ତବରେ ଏହିଭଳି ଶହ ଶହ ଲୋକଙ୍କ ଠାରୁ ୨୫୦୦ଟଙ୍କା ଲେଖାଏଁ ହିସାବରେ କୋଟି କୋଟି ଟଙ୍କା ଠକେଇ କରାଯାଉଥିବା ଅଭିଯୋଗରୁ ଜଣାପଡ଼ିଛି।

୨୧୨ଟଙ୍କା ଦିଅ ୩୬ହଜାର ନିଅ

ଅଳ୍ପ ଟଙ୍କାର ଥୋପ ଦେଖାଇ ହଜାର ହଜାର ଲୋକଙ୍କୁ ଚୂନ ଲଗାଉଥିବା ଘଟଣା ନୂଆ ନୁହେଁ। ପୂର୍ବରୁ ଯୁବକଙ୍କୁ ବେକାରୀ ଭତ୍ତା ଦେବା ଆଳରେ ଲକ୍ଷ ଲକ୍ଷ ପିଲାଙ୍କୁ ଚୂନ ଲଗାଯାଇଥିଲା। ଏହି ଠକେଇ ପାଇଁ ସାଇବର ଠକ ପଞ୍ଜୀକରଣ ବାବଦଙ୍କୁ ମାତ୍ର ୨୧୨ଟଙ୍କା ସ୍ଥିର କରିଥିଲା। ୨୧୨ଟଙ୍କା ଦେଇ ପଞ୍ଜୀକରଣ କଲେ ମାସିକ ୩ହଜାର ଲେଖାଏ ହିସାବରେ ବର୍ଷକୁ ୩୬ହଜାର ଟଙ୍କା ଦେବାକୁ ସାଇବର ଠକ ଉଲ୍ଲେଖ କରିଥିଲା। ଆଉ ଏହି ଠକେଇ ପାଇଁ କେନ୍ଦ୍ର ସରକାରୀଙ୍କ ମନ୍ତ୍ରଣାଳୟ ନାଁରେ ନକଲି ୱେବସାଇଟ୍ ତିଆରି ହୋଇଥିଲା। ତେବେ ଏନେଇ ପୂର୍ବରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଠକେଇର ଶିକାର ଯୁବଗୋଷ୍ଠୀଙ୍କ ପାଖକୁ ଟଙ୍କା ଫେରିନଥିଲା କି କୌଣସି ସାଇବର ଠକଙ୍କୁ ମଧ୍ୟ ପୁଲିସ ଧରିପାରିନଥିଲା। ସେହିଭଳି ଅନଲାଇନରେ ଟଙ୍କା ଦ୍ବିଗୁଣ କରିବା ନାଁରେ ରାଜ୍ୟରୁ ସାଇବର ଠକ ପ୍ରାୟ ୬୦ କୋଟି ଟଙ୍କା ଲୁଟିନେଇଛନ୍ତି। ଏନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲେ ମଧ୍ୟ ସାଇବର ଠକକୁ ଧରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe