ସାଇବର ଠକଙ୍କ ନୂଆ ଭେଳିକି: ଫଟୋ ଡାଉନ୍‌ଲୋଡ୍‌ ନାମରେ ଠକେଇ, ଇଲେକଟ୍ରିକ ବିଲ୍ ପଇଠ ନାମରେ ୧୦ ମାମଲା

ଦିନକୁ ଦିନ ସାଇବର ଅପରାଧୀମାନେ ସାଧାରଣ ଲୋକଙ୍କୁ ଠକିବାକୁ ନୂଆ ନୂଆ ତରିକା ଖୋଜୁଛନ୍ତି। ‌ଏବେ ଦୁଇଟି ନୂଆ‌ ତରିକା‌ରେ ସାଇବର ଠକମାନେ ସାଧାରଣ ଲୋକଙ୍କୁ ଚୂନ ଲଗାଉଛନ୍ତି।

dfdfvcr

ଭୁବନେଶ୍ବର: ଦିନକୁ ଦିନ ସାଇବର ଅପରାଧୀମାନେ ସାଧାରଣ ଲୋକଙ୍କୁ ଠକିବାକୁ ନୂଆ ନୂଆ ତରିକା ଖୋଜୁଛନ୍ତି। ‌ଏବେ ଦୁଇଟି ନୂଆ‌ ତରିକା‌ରେ ସାଇବର ଠକମାନେ ସାଧାରଣ ଲୋକଙ୍କୁ ଚୂନ ଲଗାଉଛନ୍ତି। ଇଲେକଟ୍ରିକ୍‌ ବିଲ୍ ପଇଠ ନାମରେ ଠକେଇ କରୁଛନ୍ତି ତ କେତେବେଳେ ଫଟୋ ଡାଉନ୍‌ଲୋଡ୍‌ ନାମରେ ମୋବାଇଲ୍‌ ହ୍ୟାକ୍‌ କରି ଟଙ୍କା ଲୁଟୁଛନ୍ତି। ଇତିମଧ୍ୟରେ ଭୁବନେଶ୍ବର ସାଇବର ଥାନାରେ ଇଲେକ୍ଟ୍ରିକ୍‌ ବିଲ୍‌ ପଇଠ ନାମରେ ସାଇବର୍‌ ଅପରାଧୀମାନେ ୧୦ ଜଣ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ,  ସାଇବର ଅପରାଧୀମାନେ ବର୍ତ୍ତମାନ କିଛି ଲୋକଙ୍କ ମୋବାଇଲ୍‌କୁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ନେଇ ଏକ ଫଟୋ ପଠାଉଛନ୍ତି। ଏହାକୁ କେଉଁଠି ଦେଖିଛନ୍ତି କି ଅଜଣା ନମ୍ବରରୁ ମେସେଜ୍‌ ଆସୁଛି। ମେସେଜ୍‌ ରିପ୍ଲାଏ ନ ଦେଲେ ଅପରାଧୀମାନେ ହ୍ବାଟସ୍‌ଆପ୍‌ କଲ୍‌ କରୁଛନ୍ତି। ଏହା ସହିତ ଫଟୋରେ କିଛି ଭାଇରସ୍‌ ମଧ୍ୟ ଯୋଡ଼ିଦେଉଛନ୍ତି। ଫଳରେ ଫଟୋ ଡାଉନ୍‌ଲୋଡ୍‌ ହେବା ପରେ ସାଇବର୍‌ ଅପରାଧୀମାନେ ଭାଇରସ୍‌ ଜରିଆରେ ମୋବାଇଲ୍‌ ଡାଟା ଚୋରି କରିନେଉଛନ୍ତି। ପରେ ବ୍ଲାକ୍‌ମେଲ୍‌ ସହ ବ୍ୟାଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଉଠାଇ ନେଇଛନ୍ତି। 

ସେହିଭଳି ଗତ ସପ୍ତାହକ ମଧ୍ୟରେ ଭୁବନେଶ୍ବର ସାଇବର୍‌ ଥାନାରେ ଇଲେକଟ୍ରିକ୍‌ ବିଲ୍‌ ପଇଠ ନାମରେ ହୋଇଥିବା ଠକେଇ ସଂକ୍ରାନ୍ତୀୟ ପ୍ରାୟ ୧୦ଟି ମାମଲା ସାମ୍ନାକୁ ଆସିଲାଣି। ସାଇବର୍‌ ଠକମା‌ନେ ପ୍ରଥମେ ନିଜକୁ ବିଦ୍ୟୁତ୍‌ କମ୍ପାନିର କର୍ମଚାରୀ ବୋଲି ପରିଚୟ ଦେବା ସହିତ ବିଦ୍ୟୁତ୍‌ ବିଲ୍‌ ବକେୟା ରହିଥିବ‌ା କହୁଛନ୍ତି। ଏହାସହିତ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯିବ ବୋଲି ଭୟ ଦେଖାଉଛନ୍ତି। ଏହାପରେ ବିଲ୍‌ ସହ ଏକ ଲିଙ୍କ୍‌ ପଠାଉଛନ୍ତି।  ସେହି ଲିଙ୍କ୍‌ ମାଧ୍ୟମରେ ବକେୟା ବିଦ୍ୟୁତ୍‌ ବିଲ ପଠଇ କରିବାକୁ କହୁଛନ୍ତି। ଏହାପରେ ସାଧାରଣ ଲୋକଟିଏ ‌ଯେତେବେଳେ ଲିଙ୍କ୍‌ ଖୋଲୁଛି,  ସାଇବର୍‌ ଅପରାଧୀମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ହ୍ୟାକ୍‌ କରି ଟଙ୍କା ନେଇଯାଉଛନ୍ତି। ଏଭଳି ମାମଲା ଦିନକୁ ଦିନ ବୃ୍ଦ୍ଧି ପାଇବାରେ ଲାଗିଛି। ଏନେଇ ସାଇବର୍‌ ଥାନା ଅଧିକାରୀ କହିଛନ୍ତି ‌‌ଯେ କୌଣସି ଅଜଣା ନମ୍ବରରୁ ମେସେଜ୍‌ କିମ୍ବା ଲିଙ୍କ୍‌ ଆସିଲେ ବ୍ୟସ୍ତ ନ ହୋଇ ଯାଞ୍ଚକରନ୍ତୁ। ଅଜଣା ନମ୍ବରରୁ ଆସୁଥିବା ଲିଙ୍କ୍‌କୁ ଖୋଲନ୍ତୁ ନାହିଁ କିମ୍ବା ଫଟୋ ଡାଉନ୍‌ଲୋଡ୍‌ କରନ୍ତୁ ନାହିଁ। ଠକାମିରେ ଶୀକାର ହେଲେ ସାଇବର୍‌ ହେଲ୍ପଲାଇନରେ ଯୋଗାଯୋଗ କରନ୍ତୁ  ଅଥବା ଥାନାରେ ଅଭିଯୋଗ କରିବାକୁ ଥାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe