କଲବଲ କଲେଣି ସାଇବର ଠକ, ୩ ଦିନରେ ଉଡ଼ାଇନେଲେ ସାଢ଼େ ୧୦ ଲକ୍ଷ

Advertisment
ଅପରାଧ ତଦନ୍ତରେ ସାଇବର୍ ଓ ଫୋରେନସିକ୍‌ ବିଜ୍ଞାନର ଗୁରୁତ୍ବ

Sambad

ଭୁବନେଶ୍ବର : କଲବଲ କଲେଣି ସାଇବର ଠକ। ଗତ ୩ ଦିନ ଭିତରେ ସାଇବର ଠକମାନେ ରାଜଧାନୀରୁ ସାଢ଼େ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କମିସନରେଟ୍‌ ପୁଲିସର ହେଲ୍‌ପ ଡେସ୍କକୁ ଆସିଥିବା ଅଭିଯୋଗରୁ ଏହି ତଥ୍ୟ ମିଳିଛି।

ଗତ ୨୪ ତାରିଖରେ ୩ ଲକ୍ଷ ୮୬ ହଜାର ଟଙ୍କା, ୨୫ ତାରିଖରେ ୩ ଲକ୍ଷ ୫୪ ହଜାର ଟଙ୍କା ଓ ୨୬ ତାରିଖରେ ୨ ଲକ୍ଷ ୯୮ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ୩୮ ଜଣଙ୍କଠାରୁ ଏହି ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି। କାହାକୁ ଖାତା ଅପ୍‌ଡେଟ୍‌ କରିବା ବାହାନାରେ, କେତେ ଜଣଙ୍କୁ ଫୋନ୍‌ ପେ’ ୱାଲେଟ୍‌କୁ ଭାଉଚର ପଠାଇବା ନାଁରେ, କିଛି ଲୋକଙ୍କୁ ଲଟେରି ଲୋଭ , କିଛି ଲୋକଙ୍କୁ ମୋବାଇଲ୍‌ ଟାୱାର ବସାଇବା ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। କିନ୍ତୁ କିଛି ଲୋକ ଲୋକଲଜ୍ଜାକୁ ଡରି ପୁଲିସରେ ଅଭିଯୋଗ କରିନାହାନ୍ତି। ଏଣୁ ଏହି ଠକେଇ ପରିମାଣ ୨୦ ଲକ୍ଷ ଟଙ୍କା ହେବ ବୋଲି ଆଶଙ୍କା କରାଯାଉଛି। ତିନିଦିନର ଏହି ପରିସଂଖ୍ୟାନକୁ ତର୍ଜମା କଲେ ଦିନକୁ ଭୁବନେଶ୍ବରରୁ ଦିନକୁ ୫ ଲକ୍ଷ ଟଙ୍କା ଅନ୍‌ଲାଇନ୍‌ ଠକେଇ ହେଉଛି ବୋଲି କୁହାଯାଇପାରେ।

ସୂଚନାଯୋଗ୍ୟ, ସାଇବର ଠକେଇ ବଢ଼ି ବଢ଼ି ଚାଲୁଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ସାଇବର ହେଲ୍ପ ଡେସ୍କ ଖୋଲାଯାଇଛି। ତ୍ବରିତ୍‌ ଅଭିଯୋଗ ପାଇଁ ଟେଲିଫୋନ୍‌ ବ୍ୟବସ୍ଥା ହୋଇଛି। ତେଣୁ ଏବେ ଏହି ଡେସ୍କକୁ ଦିନକୁ ୨ ଶହରୁ ଊର୍ଦ୍ଧ୍ବ କଲ୍‌ ଆସୁଛି। ଏଥିରୁ ୮୦ ଭାଗ ଭୁବନେଶ୍ବର ବାହାରୁ ଆସୁଛି। ଗତ ତିନି ଦିନ ଭିତରେ ଏହି ଡେସ୍କକୁ ୧୨୦ କଲ୍‌ ଆସିଛି ଓ ଏଥିରୁ ୩୮ କଲ୍‌ ଭୁବନେଶ୍ବର ଭିତରୁ ରହିଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କେବଳ ସଚେତନ ହେଲେ ହିଁ ଏହି ଠକମାନଙ୍କ କବଳରୁ ବର୍ତ୍ତି ହେବ। ଏବେ ଠକମାନେ ବିଭିନ୍ନ ସଂସ୍ଥାର କଷ୍ଟମର କେୟାରର ନକଲି ଲୋଗୋ ବ୍ୟବହାର କରି ସାଇଡ୍‌ ଖୋଲିଛନ୍ତି। ମୋବାଇଲ୍‌ ଫୋନ୍‌ ଉପଭୋକ୍ତାମାନେ କୌଣସି କାରଣବଶତଃ ଏହି ସାଇଡ୍‌ରେ ପହଞ୍ଚିଗଲେ ଠକଙ୍କ ଜାଲରେ ପଡ଼ିବା ନିଶ୍ଚିତ ହୋଇଯାଉଛି। ଏଣୁ କଷ୍ଟମର୍‌ କେୟାର୍‌ ସାଇଡ୍‌କୁ ଭଲ ଭାବ‌େ ଯାଞ୍ଚ କରିବାକୁ ଡିସିପି ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe