ଝଟ୍‌କା ଦେଉଛି ବୁଲ୍‌ବୁଲ୍‌, ୨୨ କିମି ବେଗରେ ବହୁଛି ପବନ

Advertisment

ସ୍କୁଲରେ ରହିବାକୁ କର୍ତୃପକ୍ଷଙ୍କୁ ନିର୍ଦେଶ, ଗଛ ସୁରକ୍ଷା ଉପରେ ଗୁରୁତ୍ବ ଦେଲା ଓଏଫ୍‌ଡିସି

ସ୍କୁଲରେ ରହିବାକୁ କର୍ତୃପକ୍ଷଙ୍କୁ ନିର୍ଦେଶ, ଗଛ ସୁରକ୍ଷା ଉପରେ ଗୁରୁତ୍ବ ଦେଲା ଓଏଫ୍‌ଡିସି

ଝଟ୍‌କା ଦେଉଛି ବୁଲ୍‌ବୁଲ୍‌, ୨୨ କିମି ବେଗରେ ବହୁଛି ପବନ

ଭୁବନେଶ୍ବର : ବାତ୍ୟା ପ୍ରଭାବରେ ଉପକୂଳ ଜିଲ୍ଲାରେ ଝଡ଼ବର୍ଷା ଲାଗିରହିଛି। ଅପରାହ୍‌ଣଠାରୁ ତୁହାକୁ ତୁହା ବର୍ଷା ହେବା ସହ ଆକାଶ ମେଘାଚ୍ଛନ୍ନ ରହିଛି। ରାତି ସୁଦ୍ଧା କେତେକ ସ୍ଥାନରେ ଗଛ ବି ଭାଙ୍ଗିଗଲାଣି। ଉପକୂଳବର୍ତୀ ୫ଟି ଜିଲ୍ଲାରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଏଥିରୁ ବାଦ୍‌ ପଡ଼ିନି ଭୁବନେଶ୍ବର। ସକାଳୁ ମେଘୁଆ ପାଗ ରହିଥିଲା। ହାଲକା ଥଣ୍ଡା ବି ଲାଗୁଥିଲା। ତେବେ ଦିନ ଯେତିକି ଗଡ଼ୁଥିଲା ଆକାଶର ଦୃଶ୍ୟ ପରିବର୍ତନ ହେଉଥିଲା। ଅପରାହ୍ନରୁ ବି ହାଲକା ବର୍ଷା ଆରମ୍ଭ ହୋଇଯାଇଥିଲା। ତେବେ ସନ୍ଧ୍ୟା ବେଳକୁ ଆକାଶର ଦୃଶ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ନାଲି ରଙ୍ଗରେ ରଙ୍ଗିନ ହୋଇଯାଇଥିଲା ଆକାଶ।

ସ୍ବଳ୍ପ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢ଼ିଥିଲା। ଘଣ୍ଟା ପ୍ରତି ୨୨ରୁ ୪୦ କିମି ବେଗରେ ପବନ ବହିଥିଲା। ରାତିରେ ପବନ ସାଙ୍ଗକୁ ବର୍ଷା ହେଉଥିବାରୁ ବସ୍ତିବାସିନ୍ଦା ତଥା ସହର ତଳି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ମାତ୍ର ୫ ମାସ ଆଗରୁ ବାତ୍ୟା ‘ଫନି’କୁ ସାମ୍ନା କରିଥିବା ସହରବାସୀ ଆଜିର ପରିସ୍ଥିତିକୁ ଦେଖି ଭୟଭୀତ ହୋଇଯାଇଛନ୍ତି। କାଳେ କ’ଣ ଅଘଟଣ ଘଟିବ, ପବନର ବେଗ ବଢ଼ିବ କି ଗଛ ଭାଙ୍ଗିବ ତାହାକୁ ନେଇ ଆଶା ଆଶଙ୍କାରରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତେଣୁ ରାତି ସାରା ଅନିଦ୍ରା ହୋଇ ଘର ଜଗି ବସିଛନ୍ତି।

ସେପଟେ ବାତ୍ୟା ଆସୁଥିବା ଶୁଣି ସହରର ଉଠା ଦୋକାନୀମାନେ ଆଜି ସକାଳୁ ସଜାଗ ହୋଇଯାଇଥିଲେ। ବେପାର କରିବା ପରିବର୍ତେ ଦୋକାନ ବନ୍ଦ କରି ଘରେ ବସିବାକୁ ଉଚିତ୍‌ ମଣିଥିଲେ। କେତେକ ସ୍ଥାନରେ ଦୋକାନ ବଜାର ବି ବନ୍ଦ ରହିଥିଲା। ଅପରାହ୍‌ଣ ୪ଟା ବେଳୁ ଆକାଶରେ କଳା ବାଦଲ ଘୋଟି ଯିବାରୁ ରାସ୍ତାଘାଟ ଏକପ୍ରକାଶ ଶୂନଶାନ୍‌ ହୋଇଯାଇଥିଲା। ଜନଗହଳିପୂର୍ଣ୍ଣ ରାଜମହଲ ଓଭରବ୍ରିଜ୍‌ରେ କାଁ ଭାଁ ଲୋକଙ୍କୁ ଦେଖିବାକୁ ମିଳିଥିଲା। ରାତି ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଇଥିଲା। ଦୋକାନ ବଜାରରେ ତାଲା ପଡ଼ିଥିଲା।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି। ସହରରେ ନୂଆ କରି ରୋପଣ ହୋଇଥିବା ଗଛଗୁଡ଼ିକର ସୁରକ୍ଷା ପାଇଁ ବ୍ୟାବସ୍ଥା ହୋଇଛି। ସକାଳୁ କର୍ମଚାରୀମାନେ ଗଛଗୁଡ଼ିକର ଚାରିପାଖକୁ ସୁରକ୍ଷା ବଳୟରେ ରଖିଥିଲେ। ବାଉଁଶ ଦେଇ ଗଛକୁ ସିଧା କରି ବାନ୍ଧି ଥିଲେ। ତେବେ ରାତିରେ ପବନ ହେବା ଦ୍ବାରା କେତେକ ସ୍ଥାନରେ ଛୋଟ ଛୋଟ ଗଛ ଶୋଇ ପଡ଼ିଥିବା ଦେଖିବାକୁ ମିଳିଛି। ରିପୋର୍ଟ ଲେଖାହେବା ବେଳେକୁ ସହରର କୌଣସି ସ୍ଥାନରେ ଗଛ ଭାଙ୍ଗିଥିବା ନେଇ ସୂଚନା ମିଳି ନାହିଁ।

ବାତ୍ୟାକୁ ଦୃଷ୍ଟିରେ ରଖି ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୯ ଓ ୧୦ ତାରିଖ ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ସେମାନେ ନିଜ କାର୍ଯ୍ୟାଳୟ ଚାବି ସହ ଉପସ୍ଥିତ ରହିବାକୁ କୁହାଯାଇଛି। ବିଦ୍ୟାଳୟରେ ପାନୀୟ ଜଳ ଓ ଶୌଚାଳୟ ସୁବିଧା ଉପଲବ୍ଧ କରାଇବାକୁ ନିର୍ଦେଶ ଦିଆଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଝଡ଼ବର୍ଷା ହୋଇଥିଲେ ମଧ୍ୟ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe