ଉଠା ଦୋକାନୀଙ୍କୁ ମିଳିବ ୧୦ ହଜାର ଟଙ୍କା, ତାଲିକାରେ ୨୧୪୮୩ ହିତାଧିକାରୀ

Advertisment
ଉଠା ଦୋକାନୀଙ୍କୁ ମିଳିବ ୧୦ ହଜାର ଟଙ୍କା, ତାଲିକାରେ ୨୧୪୮୩ ହିତାଧିକାରୀ

ଭୁବନେଶ୍ବର : ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀଙ୍କୁ ବିଏମ୍‌ସି ୧୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବ। ବିଏମ୍‌ସି ପକ୍ଷରୁ ୨୦୧୫-୧୬ରେ ହୋଇଥିବା ଉଠା ଦୋକାନୀ ସର୍ଭେ ଅନୁଯାୟୀ ଏବେ ତାଲିକା ପ୍ରସ୍ତୁତ ହୋଇଛି। ଆସନ୍ତା ୫ରୁ ୬ଦିନ ମଧ୍ୟରେ ପୁଣି ୱାର୍ଡୱାରି ସର୍ଭେ କରି ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (ସୁଡା)କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ। ଏହାପରେ ଉଠା ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ହଜାର ଟଙ୍କା ଲେଖାଏଁ ଜମା କରାଯିବ।

ବାତ୍ୟା ପ୍ରଭାବିତ ଉଠା ଦୋକାନୀଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ‌ପୂର୍ବରୁ ଘୋଷଣା କରିଥିବା ବେଳେ ଏବେ ବିଏମ୍‌ସି ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ରାଜଧାନୀରେ ୬୭ଟି ୱାର୍ଡରେ ୨୧୪୮୩ଜଣ ଉଠା ଦୋକାନୀ ଥିବା ବେଳେ ଏଥିରୁ ୨୪୪୦ଜଣ ମୋବାଇଲ୍ ଭେଣ୍ଡର (ବିଭିନ୍ନ ଯାନରେ ସାମଗ୍ରୀ ବିକୁଥିବା), ୧୨୭୬ଜଣ ପେରିପେଟେଟିକ୍‌ ଭେଣ୍ଡର (ବିଭିନ୍ନ ସ୍ଥାନରେ ବସି ବେପାର କରୁଥିବା), ୧୭୭୬୭ଜଣ ଷ୍ଟେସନାରି ଭେଣ୍ଡର (ଷ୍ଟେସନାରି ସାମଗ୍ରୀ ବିକ୍ରି କରୁଥିବା) ଅଛନ୍ତି। ଏବେ ୱାର୍ଡସ୍ତରରେ ସର୍ଭେ ଚାଲିଥିବାରୁ ଉଠା ଦୋକାନୀମାନେ ସେମାନଙ୍କ ନାମ ତାଲିକାରେ ଅଛି କି ନାହିଁ ତାହା ଯାଞ୍ଚ କରିପାରିବେ।

ସେହିପରି ଯେଉଁ ଉଠା ଦୋକାନୀମାନଙ୍କ ନାମ ତାଲିକା‌ରେ ନଥିବ, ସେମାନେ ବିଏମ୍‌ସିରେ ଆବେଦନ କଲେ ସେମାନଙ୍କର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦିଆଯିବ। ବିଏମ୍‌ସି ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ଚୂଡ଼ାନ୍ତ ତାଲିକା ସୁଡାକୁ ପଠାଯିବ। ସୁଡ଼ା ଏହାକୁ ଅନୁମୋଦନ କଲେ ଉଠା ଦୋକାନୀଙ୍କୁ ସହାୟତା ଟଙ୍କା ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe