ଡମଣା ଶ୍ମଶାନ ଜବରଦଖଲ ପ୍ରସଙ୍ଗ: ଅଧାରେ ଅଟକିଲା ଉଚ୍ଛେଦ

Advertisment

ପୁଲିସ-ଜନତା ମୁହାଁମୁହିଁ, ଏକ୍ସାଭେଟର ଅଚଳ, ମାଟିରେ ମିଶିଲା ଅଭିରାମ ମିଳନ ମଠ

ପୁଲିସ-ଜନତା ମୁହାଁମୁହିଁ, ଏକ୍ସାଭେଟର ଅଚଳ, ମାଟିରେ ମିଶିଲା ଅଭିରାମ ମିଳନ ମଠ

ଡମଣା ଶ୍ମଶାନ ଜବରଦଖଲ ପ୍ରସଙ୍ଗ: ଅଧାରେ ଅଟକିଲା ଉଚ୍ଛେଦ

ଚନ୍ଦ୍ରଶେଖରପୁର: ଦୁଇ ଦିନ ହୋଇଗଲାଣି। ତା’ପରେ ବି ଜବରଦଖଲ ମୁକ୍ତ ହୋଇପାରୁନି ଡମଣା ଶ୍ମଶାନ। ଏତେ ସରକାରୀ ଜମି ଜବରଦଖଲ ହୋଇଛି ଯେ ପ୍ରଶାସନ ନିଦ ହଜିଗଲାଣି। ପ୍ରଥମେ ଗତ ୨୯ ତାରିଖରେ ଜେସିବି ଲଗାଇ ଜବରଦଖଲ ଉଚ୍ଛେଦ କରାଗଲା। ଅଧା ବି ସଫଳତା ମିଳିଲା ନାହିଁ। ‘ଅଭିରାମ ମିଳନ ମଠ’ ଭାଙ୍ଗିଲା ବେଳକୁ ୩ଟି ଜେସିବିର ଦାନ୍ତି ଭାଙ୍ଗିଗଲା। ଯେଉଁଥିପାଇଁ ବିଡିଏ ଜବରଦଖଲକାରୀ ଦଳ ପଛଘୁଞ୍ଚା ଦେଇଥିଲା। ଆଉ ଆଜି ଦ୍ବିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ କରିବାକୁ ବିଡିଏ, ପୂର୍ତ୍ତ ବିଭାଗ, ବିଏମ୍‌ସି ଓ କମିସନରେଟ୍‌ ପୁଲିସ ସଦଳ ବଳେ ପହଞ୍ଚିଯାଇଥିଲେ। ପୂର୍ବାହ୍ନରେ କିଛି ଅଂଶ ଭଙ୍ଗାଯାଇଛି କି ନାହିଁ ମଠ ଭାଙ୍ଗିବାକୁ ନିୟୋଜିତ ଏକ୍ସ‌ାଭେଟର ଅଚଳ ହୋଇଗଲା। ଯେଉଁଥିପାଇଁ ପୂର୍ବାହ୍ନ ସାଢ଼େ ୧୦ଟାରେ ଆରମ୍ଭ ହେବାକୁ ଥିବା ମଠ ଭଙ୍ଗା ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଗଡ଼ିଯାଇଥିଲା। ଶେଷରେ ଅପରାହ୍ନ ୩ଟା ବେଳକୁ ମାଟିରେ ମିଶିଥିଲା ସରକାରୀ ଜମିରେ ଗଢ଼ିଉଠିଥିବା ଏହି ବିଶାଳ ମଠ।

ମଠ ଭଙ୍ଗା ସମୟରେ ଶ୍ରଦ୍ଧାଳୁଙ୍କ ଆଖିରେ ଆଶ୍ରୁ ଚାଲିଆସିଥିଲା। ୬୦ ଦଶକରେ ଗଢ଼ିଉଠିଥିବା ଏହି ମଠ ଅନେକ ଲୋକଙ୍କୁ ସହାୟକ ହୋଇଥିବା ଶ୍ରଦ୍ଧାଳୁମାନେ କହିଥିଲେ। ମଠ ଭଙ୍ଗାଯିବା ପୂର୍ବରୁ ମହନ୍ତମାନେ ଗାଡ଼ିରେ ସାମଗ୍ରୀ ଲଦି ନେଉଥିବା ଦେଖିବାକୁ ମିଳିଥିଲା। ସକାଳୁ ଉଚ୍ଛେଦକାରୀ ଦଳ ସେଠାରେ ପହଞ୍ଚିବା କ୍ଷଣି ଶତାଧିକ ମହିଳା ବିରୋଧ ଲାଗି ଏକଜୁଟ୍‌ ହୋଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ଚନ୍ଦ୍ରଶେଖରପୁର ସମେତ ଇନ୍‌ଫୋ‌ସିଟି ଥାନା ଅଧିକାରୀଙ୍କ ନେତୃତ୍ବରେ ପ୍ରାୟ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ପ୍ରକ୍ରିୟା ସ୍ଥିର ହେବା ପରେ ଡମଣା ମୌଜାର ସରକାରୀ ଜମିର ପ୍ଲଟ ନମ୍ବର ୨୩୬, ୨୬୪, ୨୬୫ ଓ ୪୫୬ରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ୬ ଘଣ୍ଟାର ଏହି ଜବରଦଖଲ ଉଚ୍ଛେଦ ସମୟରେ ଅଭିରାମ ମିଳନ ମଠ ସମେତ ୩୨ଟି ଏସିସି ସେଡ୍‌ସପ୍‌/ଗ୍ୟାରେଜ୍‌, ୧୭ଟି ଆରସିସି ହାଉସ୍‌, ୪ଟି କାଠ କେବିନ୍‌, ଗୋଟିଏ ଲୁହା ଗେଟ୍‌ ଭଙ୍ଗାଯାଇଛି। ବିଡିଏର ୪ଟି ଉଚ୍ଛେଦକାରୀ ସ୍କ୍ବାଡ୍‌ ସମେତ ବିଏମ୍‌ସିର ଉତ୍ତର ଜୋନ୍‌ ସ୍କ୍ବାଡ୍‌, ଦୁଇ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଥିଲେ। ତା’ପରେ ବି ଅଧାରୁ ଫେରି ଆସିଛି ବିଡିଏ ଉଚ୍ଛେଦକାରୀ ଦଳ। ସମୟ ଅଭାବ ହେତୁ ଜବରଦଖଲ ଅଧାରେ ରହିଥିବା ବିଡିଏ ପକ୍ଷରୁ କୁହାଯାଇଛି। ତେବେ ଲୋକଙ୍କ ପ୍ରବଳ ବିରୋଧ ହେତୁ ଉଚ୍ଛେଦକାରୀ ଦଳ ଫେରିଥିବା ଜଣାପଡ଼ିଛି। ସରକାରୀ ଜମିରେ ଗୋଟିଏ କ୍ଲବ ସମେତ ଆହୁରି କିଛି ଘର ଛିଡ଼ା ହୋଇଛି। ଯାହାକୁ ଭାଙ୍ଗିବା ବିଡିଏ ପାଇଁ କଷ୍ଟକର ବୋଲି ଜଣାପଡ଼ିଛି।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ରାଜସ୍ବ ନିରୀକ୍ଷକ ଅମୀୟ କୁମାର ଦାସଙ୍କ ସୂଚନା ଅନୁଯାୟୀ ୪ଟି ପ୍ଲଟ୍‌ର ୫ ଏକର ୩୦୦ ଡେସିମିଲ୍‌ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ଗୋଟିଏ ଗୋଚର ଜମି ଥିବା ବେଳେ ଦୁଇଟି ଶ୍ମଶାନ ଓ ଗୋଟିଏ ଘରବାଡ଼ି ଜମିରୁ ଉଚ୍ଛେଦ ହେଉଛି। ସାଧାରଣ ଲୋକଙ୍କ ସୁବିଧା ଲାଗି ଏହି ଉଚ୍ଛେଦ କରାଯାଉଛି। ଏହି ଜମି ମଧ୍ୟରୁ ୨୬୫ ନମ୍ବର ପ୍ଲଟରୁ ୩୦୦ ଡିସିମିଲ୍‌ ଜମି ଗ୍ୟାସ ଫିଲିଂ ଷ୍ଟେସନ ଲାଗି ଗେଲ୍‌ ଇଣ୍ଡିଆ ଲିମିଟେଡ୍‌କୁ ଆଲର୍ଟ ହୋଇଛି। ବାକି ଜମିର ସଂରକ୍ଷଣ କରାଯିବା ସହ ଉନ୍ନତୀକରଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe