ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ସମାଜବାଦୀ ପାର୍ଟି

Advertisment
ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ସମାଜବାଦୀ ପାର୍ଟି

The Hindu

ଭୁବନେଶ୍ୱର: ସମାଜବାଦୀ ପାର୍ଟି ଓଡ଼ିଶା ଶାଖାର ଏକ ତିନିଜଣିଆ ପ୍ରତିନିଧି ଦଳ ସଭାପତି ରବି ବେହେରାଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ ଯୁବନେତା ଭିକାରୀ ସେଠୀ ପ୍ରମୁଖ ଆଜି ଦୁର୍ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି ଯେ ପ୍ରଚାର ସର୍ବସ୍ୱ ରେଳ ବିଭାଗର ମନୁଷ୍ୟକୃତ ତ୍ରୁଟି ପାଇଁ ଅକାଳରେ ଏତେ ଧନଜୀବନ କ୍ଷତିଗ୍ରସ୍ତ ହେଲା। ଶହ ଶହ ଲୋକ ମୃତ୍ୟୁମୁଖରେ ପଡ଼ିଲେ। ରେଳ ବିଭାଗ ଇତିହାସରେ ଏହି ଦୁର୍ଘଟଣା ଆଉ ଏକ କଳା ଇତିହାସ ହୋଇ ରହିଗଲା।

ଏ ଦେଶରେ ଲାଲବାହାଦୁର ଶାସ୍ତ୍ରୀଙ୍କ ଭଳି ମନ୍ତ୍ରୀ ନାହାନ୍ତି ଯେ ରେଳ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେବେ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯେ କି ପୂର୍ବରୁ ସେହି ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ଥିଲେ, ନିଜର ଉତ୍ତରଦାୟିତ୍ବ କାନ୍ଧ ଉପରକୁ ନେଇ ତୁରନ୍ତ ଇସ୍ତଫା ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନିଜର ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାନମୂଳକ ସହାୟତା ଯୋଗାଇ‌ଦେବା ସହ ଆହତମାନଙ୍କ ମାଗଣା ଚିକିତ୍ସା କରିବା, ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍.ଆଇ.ଟି ଗଠନ କରି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି। ଯଦି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣାରେ ଇସ୍ତଫା ନ ଦିଅନ୍ତି, ତା’ହେଲେ ପ୍ରଧାନମନ୍ତ୍ରୀ ତାଙ୍କୁ ବରଖାସ୍ତ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି।

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ମନୁଷ୍ୟକୃତ। ଏହାର ନୈତିକ ଦାୟିତ୍ବ ବହନ କରି ରେଳମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ଅଖିଳ ଭାରତ ଛାତ୍ର ସଂଘ ଏବଂ ସିପିଆଇ। ଏଥିସହ ମୃତ ଯାତ୍ରୀଙ୍କ ପରିବାରର ବିଦ୍ୟାର୍ଥୀଙ୍କ ଶିକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ବ କେନ୍ଦ୍ର ସରକାର ବହନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି କରାଯାଇଛି। ସଂଘ ସଭାପତି ସଂଘମିତ୍ରା ଜେନା କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ, ଡିଜିଟାଲ ଇଣ୍ଡିଆ, ବୁଲେଟ୍‌ ଟ୍ରେନ୍‌ର ପ୍ରଚାର ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବାହାନଗା ଘଟଣା ରେଳ ବିଭାଗର ବାସ୍ତବ ରୂପ ପଦାରେ ପକାଇ ଦେଇଛି। ରେଳ ବିଭାଗର ଘରୋଇକରଣ, ସ୍ଥାୟୀ ପଦ ଉଚ୍ଛେଦ ଯୋଗୁଁ ଏଭଳି ହୋଇଥିବା ସେ କହିଛନ୍ତି। ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ମୃତ ଯାତ୍ରୀଙ୍କ ପରିବାରକୁ ୫୦ଲକ୍ଷ, ଗୁରୁତର ଆହତଙ୍କୁ ୨୫ଲକ୍ଷ, ଅନ୍ୟାନ୍ୟ ଆହତଙ୍କୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସିପିଆଇ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe