ବିପଦସଂକୁଳ ଆଇଡି ମାର୍କେଟ୍ କମ୍ପ୍ଲେକ୍ସ: ଜରାଜୀର୍ଣ୍ଣ ଅବସ୍ଥା ପାଇଁ ଦାୟୀ କିଏ? ବର୍ଷ ବର୍ଷ ଧରି ବନ୍ଦ ପଡ଼ୁଛି ଦୋକାନ

ଉଚ୍ଛେଦ ହୋଇପାରୁନି ଜବରଦଖଲ, ଉତ୍ତରଦାୟିତ୍ବ ମୁଣ୍ଡାଇବାକୁ ସବୁ ଅରାଜି

ବିପଦସଂକୁଳ ଆଇଡି ମାର୍କେଟ୍ କମ୍ପ୍ଲେକ୍ସ: ଜରାଜୀର୍ଣ୍ଣ ଅବସ୍ଥା ପାଇଁ ଦାୟୀ କିଏ? 	ବର୍ଷ ବର୍ଷ ଧରି ବନ୍ଦ ପଡ଼ୁଛି ଦୋକାନ

ଭୁବନେଶ୍ବର, ୨୭।୧ (ଇମିସ): ବିପଦ ସଂକୁଳ ଅବସ୍ଥାରେ ରହିଛି ଇନ୍ଦ୍ରଧନୁ(ଆଇଡି) ମାର୍କେଟ୍ କମ୍ପ୍ଲେକ୍ସ। ବ୍ୟାବସାୟିକ ସୁଯୋଗ ଦେବା ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ଏହି ମାର୍କେଟ୍ କମ୍ପ୍ଲେକ୍ସ ବର୍ତ୍ତମାନ ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହେବାକୁ ବସିଛି। କୌଣସି ସମୟରେ ଏହା ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ୧୯୯୧ ମସିହାରୁ ତିଆରି ହୋଇଥିବା ଏହି ମାର୍କେଟ୍ କମ୍ପ୍ଲେକ୍ସକୁ ୩୦ ବର୍ଷ ପୂରିଥିଲେ ସୁଦ୍ଧା ଏହାର ମରାମତି ଲାଗି କାନ୍ଥରେ ଚୂନ ଟିକେ ଲାଗି ପାରିନାହିଁ। ଏମିତିକି ଏହି କୋଠାର ରକ୍ଷଣାବେକ୍ଷଣ ଦାୟିତ୍ବ ମୁଣ୍ଡାଇବାକୁ କେହି ବି ପ୍ରସ୍ତୁତ ନାହାନ୍ତି। ମାର୍କେଟ୍ କମ୍ପ୍ଲେକ୍ସ ସହ ଜଡ଼ିତ ତିନି ସଂସ୍ଥା ବିଡିଏ, ବିଏମ୍‌ସି ଓ ଇନ୍ଦ୍ରଧନୁ ମାର୍କେଟ୍ ବିଜିନେସ୍‌ ଡେଭଲପ୍‌ମେଣ୍ଟ ଆସୋସିଏସନ୍ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଅଥଚ ଏହି ବିପଦସଂକୁଳ କୋଠାରେ କାର୍ଯ୍ୟରତ ଶହଶହ କର୍ମଚାରୀ ଓ ଏଠାରେ ଆତଯାତ ହେଉଥିବା ଲୋକଙ୍କ ସୁରକ୍ଷା ଚିନ୍ତା କାହାରି ମୁଣ୍ଡକୁ ଜୁଟୁନାହିଁ।

ଛାତରୁ ଗଳୁଛି ପ୍ଲାଷ୍ଟର୍‌, କାର୍ଯ୍ୟକ୍ଷମ ପରଠୁ ଖୋଲିନି ୫୦ ଦୋକାନ

ତିନିମହଲା ବିଶିଷ୍ଟ ଆଇଡି ମାର୍କେଟ୍‌ର ଏହି ବିପଦସଂକୁଳ କୋଠାରେ ୩୨୬ଟି ଦୋକାନ, ୨୨୪ଟି ପିଣ୍ଡି, ୪୬ଟି ସପ୍ କମ୍ ରେସିଡେନ୍ସ, ୨ଟି କାର୍ଯ୍ୟାଳୟ ଓ ରେସ୍ତୋରାଁକୁ ମିଶାଇ ମୋଟ ୬୦୦ ଘର ରହିଛି। କାଜୁ ଉନ୍ନୟନ ନିଗମ ଲିମିଟେଡ୍, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ୍, କେନ୍ଦ୍ର ପଣ୍ୟାଗାର ନିଗମ, ସିଣ୍ଡିକେଟ୍ ବ୍ୟାଙ୍କ୍‌ ସମେତ ଏକ ଗଣମାଧ୍ୟମ ସଂସ୍ଥା ମଧ୍ୟ ଏଠାରେ ରହିଛି। ଏହା ସହିତ ୧୦ରୁ ଊର୍ଦ୍ଧ୍ବ ମେଡିକାଲ୍ କ୍ଲିନିକ୍, ଗହଣା ଦୋକାନ, ବୁକ୍ ଷ୍ଟୋର୍, ସରକାରୀ ପଞ୍ଜୀକୃତ ମୈତ୍ରୀ ରାସନ ଡିଲର୍‌ ଷ୍ଟୋର୍‌ ମଧ୍ୟ ରହିଛି। ଏଠାକୁ ଶହ ଶହ ସଂଖ୍ୟାରେ ହିତାଧିକାରୀ ଚାଉଳ, ଗହମ, କିରାସିନି ଭଳି ଅତ୍ୟାବଶ୍ୟକ ରାସନ ସାମଗ୍ରୀ ନେବାକୁ ଆସୁଛନ୍ତି। ଏହା ବ୍ୟତୀତ ପାଖକୁ ଲାଗି ହାଟ ଓ ଅନେକଗୁଡ଼ିଏ ଉଠା ଦୋକାନ ରହିଛି। ପ୍ରତିଦିନ ହଜାର ହଜାର ଲୋକଙ୍କ ଆତଯାତ ଲାଗି ରହିଛି। ଏହି କୋଠାରେ ଅନାବନା ଗଛ ଉଠିଥିବାରୁ ଛାତ ଫାଟି ଗଲାଣି। ଫଳରେ ବର୍ଷା ଦିନେ ଛାତରୁ ଦୋକାନ ଭିତରକୁ ପାଣି ଗଳୁଛି ଓ ଆସବାବପତ୍ର ନଷ୍ଟ ହେଉଛି। ବିମ୍‌ଗୁଡ଼ିକରୁ ପ୍ଲାଷ୍ଟର ଛାଡ଼ି ଗଲାଣି ଓ କଳଙ୍କି ଲାଗି ନଷ୍ଟ ହୋଇଥିବା ଲୁହା ଛଡ଼ ଦେଖାଗଲାଣି। ଅନେକ ସମୟରେ ଛାତରୁ ପ୍ଲାଷ୍ଟର୍ ଖଣ୍ଡ ଗଳି ପଡ଼ୁଥିବାରୁ ଦୋକାନର ଜିନିଷପତ୍ର ନଷ୍ଟ ହେଉଛି। ଏହା ବ୍ୟତୀତ କମ୍ପ୍ଲେକ୍ସ ମଧ୍ୟରେ ଥିବା ପ୍ରାୟ ୫୦ରୁ ଅଧିକ ଘର ଏ ପର୍ଯ୍ୟନ୍ତ ଖୋଲା ଯାଉନି। ଅର୍ଥାତ୍ ଲୋକେ ଏହାକୁ କିଣି ଖୋଲୁ ନଥିବାରୁ ଅବ୍ୟବହୃତ ଦୋକାନ ଘରଗୁଡ଼ିକ ନଷ୍ଟ ହେବାରେ ଲାଗିଛି। ଫଳରେ ଯେଉଁ ଉଦ୍ଦେଶ୍ୟ ପାଇଁ ଏହା ଖୋଲା ଯିବାକୁ ଥିଲା, ତାହା ସାଧିତ ହେଉନାହିଁ।

publive-image

ଜବରଦଖଲରେ ମାର୍କେଟ୍ ପରିସର

୧୦ ଏକରରୁ ଊର୍ଦ୍ଧ୍ବ ଜାଗାରେ ଠିଆ ହୋଇଥିବା ୭ଲେନ୍ ବିଶିଷ୍ଟ ଆଇଡି ମାର୍କେଟ୍ କମ୍ପ୍ଲେକ୍ସର ପ୍ରାୟ ୧ ଏକରରୁ ଅଧିକ ଜାଗା ଏବେ ଜବରଦଖଲରେ। ଏହାସହିତ ମାର୍କେଟ୍‌କୁ ଯିବା ଆସିବା ରାସ୍ତା ଓ ଏହା ଚାରି ପାଖରେ ଥିବା ରାସ୍ତାଗୁଡ଼ିକୁ ମଧ୍ୟ କବ୍‌ଜା କରି ଦିଆଯାଇଛି। ମାର୍କେଟ୍ ପାଖକୁ ଲାଗି ରହିଥିବା ଅର୍ଦ୍ଧନିର୍ମିତ କଲ୍ୟାଣ ମଣ୍ଡପ ମଧ୍ୟ ଏବେ ଜବରଦଖଲ ହୋଇଛି ଓ ସେଠାରେ ଏକ ବସ୍ତି ଗଢ଼ି ଉଠିଛି। ଏହା ଉଚ୍ଛେଦ ହେବ ବୋଲି ଯୋଜନା ହୋଇଥିଲା। କିନ୍ତୁ ବସ୍ତିଟି ପୁଣି ବିଏମ୍‌ସି ପଞ୍ଜୀକୃତ ହୋଇଛି।
ଏନେଇ ଆଇଡି ମାର୍କେଟ୍‌ ବିଜିନେସ ଡେଭଲପ୍‌ମେଣ୍ଟ ଆସୋସିଏସନ୍ ସମ୍ପାଦକ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ ରିଅଲ୍‌ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି(ରେରା)ର ନିୟମ ଅଧୀନରେ ସବୁ ସଂସ୍ଥା ଆସୁଛନ୍ତି। ନିୟମାନୁସାରେ, ଘର ବା ବ୍ୟାବସାୟିକ ଅନୁଷ୍ଠାନ ଯୋଗାଉଥିବା ସଂସ୍ଥା ରକ୍ଷଣାବେକ୍ଷଣା ଦାୟିତ୍ବ ମଧ୍ୟ ବହନ କରିଥାଏ। ଆଇଡି ମାର୍କେଟ୍‌ କମ୍ପ୍ଲେକ୍ସକୁ ତିଆରି କରିଥିବା ଅନୁଷ୍ଠାନ ବିଡିଏ ହେଉଛି ଏକ ସରକାରୀ ସଂସ୍ଥା। କୌଣସି ସରକାରୀ ସଂସ୍ଥା (ବିଡିଏ) ଲାଭଜନକ ସଂସ୍ଥା ନୁହେଁ। ତେଣୁ ବିଡିଏ ଯେଉଁଠାରେ ବି ଘର ବା ବ୍ୟାବସାୟିକ ଅନୁଷ୍ଠାନ ତିଆରି କରି ବଣ୍ଟନ କରେ, ପରେ ତା’ର ରକ୍ଷଣାବେକ୍ଷଣ ଦାୟିତ୍ବ ବିଏମ୍‌ସିକୁ ହସ୍ତାନ୍ତର କରାଯାଏ। ବିଡିଏ ଏହାକୁ ୨୦୦୦ ମସିହା ଅକ୍ଟୋବର ୩୧ରେ ବିଏମ୍‌ସିକୁ ସ୍ଥାନାନ୍ତର କଲା। ବିଏମ୍‌ସି ହୋଲ୍‌ଡିଂ ଟ୍ୟାକ୍ସ ନେଉଛି। କିନ୍ତୁ ରକ୍ଷଣାବେକ୍ଷଣ ବାବଦକୁ କୌଣସି ସହଯୋଗ କରୁନି। ଏପରିକି ମାର୍କେଟ୍‌ରୁ ୪ ଦିନରେ ଥରେ ଅଳିଆ ଆବର୍ଜନା ଉଠା ଯାଉଛି। ତେବେ ଏ ନେଇ ଅନେକଥର ବିଏମ୍‌ସି ଟିଠି ଲେଖି ଅଭିଯୋଗ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେ କହିଛନ୍ତି। ୨୦୧୮ରେ ଜବରଦଖଲ ଉଚ୍ଛେଦ ପାଇଁ ବିଏମ୍‌ସି ଆସିଥିଲେ ସୁଦ୍ଧା ସକ୍ଷମ ହୋଇପାରିନାହିଁ। ତେବେ ଏନେଇ ବିଏମ୍‌ସି ଅଧିକାରୀ ପ୍ରମୋଦ ପୃଷ୍ଟି କହିଛନ୍ତି, ମୋ ପାଖରେ ଆଇଡି ମାର୍କେଟ୍‌କୁ ନେଇ କୌଣସି କାଗଜପତ୍ର ହସ୍ତାନ୍ତର କରାଯାଇନାହିଁ। ତେଣୁ ବିଏମ୍‌ସି ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ବୁଝୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe