ବିପଦସଂକୁଳ ନୀଳାଦ୍ରିବିହାର ବ୍ରିଜ୍‌: ରାତିରେ ତାଳି, ସକାଳୁ ଖାଲ

Advertisment

ବଢ଼ୁଛି ଅସନ୍ତୋଷ 00ସ୍ଥାୟୀ ମରାମତି କେବେ?

ବଢ଼ୁଛି ଅସନ୍ତୋଷ 00ସ୍ଥାୟୀ ମରାମତି କେବେ?

ବିପଦସଂକୁଳ ନୀଳାଦ୍ରିବିହାର ବ୍ରିଜ୍‌: ରାତିରେ ତାଳି, ସକାଳୁ ଖାଲ

ଚନ୍ଦ୍ରଶେଖରପୁର: ମୋତେ ଯେତେ ମାଠିବୁ ମାଠ... ମୁଁ...। ଆରମ୍ଭରୁ ହଠାତ୍‌ ଏଭଳି ବାକ୍ୟ ଦେଖି ଆପଣମାନେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ମାତ୍ର ସରକାରୀ ବାବୁମାନଙ୍କ ମନମାନିକୁ ଅନ୍ୟ କୌଣସି ପ୍ରକାରେ ବୁଝାଇବା ସମ୍ଭବପର ନୁହେଁ। ଏକାଧିକଥର ଖବର ପ୍ରସାରଣ ପରେ ମଧ୍ୟ ବାବୁମାନଙ୍କ ନିଦ ଭାଙ୍ଗୁନି। ସେମିତି ପୂର୍ବଭଳି କାର୍ଯ୍ୟ କରିଚାଲିଛନ୍ତି। ହଁ ଆଜ୍ଞା। ଆମେ କହୁଛୁ, ଚନ୍ଦ୍ରଶେଖରପୁରରୁ ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ରାସ୍ତା ମଝିରେ ଥିବା ଡ୍ରେନ୍‌ ଉପରେ ବିପଦସଙ୍କୁଳ ବ୍ରିଜ୍‌ କଥା। ଦୁଇ ଦିନ ତଳେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଗତକାଲି ବିଭାଗୀୟ ଯନ୍ତ୍ରୀ ରାତି ଅଧିଆ ବ୍ରିଜ୍‌ ଉପରେ ଗୋଡ଼ି ଢାଳି ଅସ୍ଥାୟୀ ମରାମତି କରିଦେଇଥିଲେ। ମାତ୍ର ୨୪ ଘଣ୍ଟା ଯାଇଛି କି ନାହିଁ ଯଥା ପୂର୍ବଂ ତଥା ପରଂ ଅବସ୍ଥା।

ବ୍ରିଜ୍‌ ମରାମତି ହେବ କ’ଣ। ଏବେ ବ୍ରିଜ୍‌ ଖାଲି ଗୋଡ଼ିମୟ। ଗତକାଲି ରାତିରେ ଗୋଡ଼ି, ବାଲି, ସିମେଣ୍ଟ ଫେଣ୍ଟି ତାଳି ପକାଯାଇଥିବା ବେଳେ ଆଜି ସକାଳୁ ମରାମତି ସ୍ଥାନରୁ ଗୋଡ଼ି ଉଠି ରାସ୍ତାରେ ଗଡ଼ୁଛି। ଯାହାଦ୍ବାରା ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି। କିଏ ବାଇକ୍‌ରୁ ପଡ଼ି ଖଣ୍ଡିଆ ଖବରା, ତ ଆଉ କିଏ ଲହୁଲୁହାଣ। ବାବୁମାନେ ତାଳି ପକାଇ ଗଭୀର ନିଦ୍ରାରେ ଶୋଇ ପଡ଼ିଛନ୍ତି। କେବଳ ସେତିକି ନୁହେଁ, ବ୍ରିଜ୍‌ ସାରା‌ ଗାତ ସୃଷ୍ଟି ହୋଇଥିଲେ ମଧ୍ୟ ଯନ୍ତ୍ରୀଜଣକ କେବଳ ବଡ଼ ଖାଲ ହୋଇଥିବା ସ୍ଥାନରେ ତାଳି ପକାଇଛନ୍ତି। ବ୍ରିଜ୍‌ର ବାକି ଅଞ୍ଚଳ ଯାହା ଥିଲା, ସେମିତି ରହିଛି। ଯାହାକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କାହିଁକି ସ୍ଥାୟୀ ମରାମତି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ବି ସମାନ ସ୍ଥିତି ଉପୁଜିଥିଲା। ବ୍ରିଜ୍‌ ସାରା ଖାଲ ସୃଷ୍ଟି‌ ହୋଇଥିବା ନେଇ ସେପ୍ଟେମ୍ବର ୧୫ରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବାବୁମାନେ ତତ୍ପରତା ଦେଖାଇ ମରାମତି ‌କରିଥିଲେ। ମାତ୍ର ମାସେ ବିତିନି, ସମ୍ପୂର୍ଣ୍ଣ ବ୍ରିଜ୍‌ ଖାଲଖମାରେ ପରିପୂର୍ଣ୍ଣ ହୋଇଗଲା। ଏଥର ବି ଖବର ପ୍ରକାଶ ପରେ ଏବେ ସରକାରୀ ବାବୁଙ୍କ ନିଦ ଭାଙ୍ଗିଲା। ମାତ୍ର ରାତି ପାହିଲା ବେଳକୁ ଗୋଡ଼ି ଗଡ଼ୁଛି। ଯଦି ଅସରାଏ ବର୍ଷା ହେବ ତେବେ ପୁଣିଥରେ ପୂର୍ବ ସ୍ଥିତି ଉପୁଜିବ ଏଥିରେ କୌଣସି ସନ୍ଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe