ଚନ୍ଦ୍ରଶେଖରପୁର: ରାଜଧାନୀବାସୀଙ୍କ ଯନ୍ତ୍ରଣା କମିବାର ନାଁ ଧରୁନି। ବର୍ଷା ସମୟରେ ଘରେ ପାଣି ପଶିବାରୁ ଯନ୍ତ୍ରଣା ଭୋଗୁଥିଲେ। ଆଉ ଏବେ ବର୍ଷାରେ ରାସ୍ତା ଧୋଇଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ପରେ ସବୁଠି କେବଳ ଖାଲ ସୃଷ୍ଟି ହୋଇଛି। ସହରର ପ୍ରମୁଖ ରାସ୍ତାଠାରୁ ଆରମ୍ଭ କରି କଲୋନି ରାସ୍ତା ଏବେ ପାଲଟିଛି ମରଣଯନ୍ତା। ପ୍ରତିଦିନ ଖାଲରେ ପଡ଼ି ଛୋଟ ପିଲା, ଗାଡ଼ି ଚାଳକ, ବୟସ୍କ ବ୍ୟକ୍ତି ଆହତ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ବି ନିଘା ନାହିଁ। ଆଚାର୍ଯ୍ୟବିହାର ଛକରୁ ନନ୍ଦନକାନନ ଆଡ଼କୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବିଶେଷକରି ଆଚାର୍ଯ୍ୟବିହାର ଛକରୁ ସୈନିକ ସ୍କୁଲ୍ ପର୍ଯ୍ୟନ୍ତ ରାସ୍ତାରେ ଏକାଧିକ ସ୍ଥାନରେ ଖାଲ ସୃଷ୍ଟି ହୋଇଛି। ପ୍ରତି ମୁହୂର୍ତ୍ତରେ ଏହି ରାସ୍ତାରେ ଲୋକେ ଆହତ ହେଉଛନ୍ତି। ଚିନ୍ତାର ବିଷୟ ପାଲଟିଛି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସମ୍ମୁଖ ରାସ୍ତା। ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ପ୍ଲାନେଟୋରିୟମ୍ ଯାଉଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଏଠାରେ ସୃଷ୍ଟି ହୋଇଥିବା ଖାଲରେ ପଡ଼ି ନିକଟରେ ଦୁଇ ଜଣ ଛାତ୍ରୀ ଆହତ ହୋଇଛନ୍ତି। କିଛି ଦିନ ତଳେ ଅସ୍ଥାୟୀ ମରାମତି ହୋଇଥିଲା। କିନ୍ତୁ ଏବେ ତାହା ପୂର୍ବ ସ୍ଥିତିକୁ ଫେରି ଯାଇଛି। ଆପୋଲ ହସ୍ପିଟାଲ ସମ୍ମୁଖ, ଆଇଏମ୍ଏମ୍ଟି ସମ୍ମୁଖ ରାସ୍ତାରେ ପାଣି ଜମି ରହିବା ଦ୍ୱାରା ଖାଲ ସୃଷ୍ଟି ହୋଇଛି। ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇଥିବା ଦେଖାଯାଇଛି। ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପରୁ ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ଏହି ରାସ୍ତା ମଝିରେ ଡ୍ରେନ୍ ଉପରେ ଥିବା ପୋଲ ମଧ୍ୟ ଖରାପ ହୋଇଯାଇଛି। ପୋଲରୁ ଲୁହା ରଡ୍ ବାହାରି ଉପରେ ପଡ଼ିଛି। ପୋଲ ଉପରେ ୨୦ ଇଞ୍ଚର ଖାଲ ହୋଇଛି। ପୋଲର ଦୁଇ ପାର୍ଶ୍ୱ ବି ଖାଇଗଲାଣି। ପୋଲ ଉପର ଦେଇ ଯାଇଥିବା ପାଇପ୍ଗୁଡ଼ିକ ପଦାକୁ ବାହାରି ପଡ଼ିଛି। ଏକ ମାସ ହେଲା ଏଭଳି ସ୍ଥିତି ହୋଇଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ। ଏଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us