Image Courtesy of The New Indian Express
ଭୁବନେଶ୍ୱର : ଭୁବନେଶ୍ବର ବ୍ଲକ୍ ଦାଢ଼ା ପଞ୍ଚାୟତର ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଅଯୋଗ୍ୟ ଘୋଷଣା କରିବା ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଅଯୋଗ୍ୟ ଘୋଷିତ ସରପଞ୍ଚ ହାଇକୋର୍ଟରେ ପିଟିସନ୍ ଦାଖଲ କରିବା ପରେ ଜିଲ୍ଲାପାଳଙ୍କ ଆଦେଶ ଉପରେ ରହିତାଦେଶ ଜାରି ହୋଇଛି। ସରପଞ୍ଚଙ୍କ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ୍ କରିଛନ୍ତି। କେଉଁ ଆଧାରରେ ସମ୍ପୃକ୍ତ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି, ତାହା ଉପରେ ଗୋଟିଏ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ କୁହାଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଆଦେଶ ଉପରେ ରହିତାଦେଶ ଜାରି କରାଯାଇଛି।
ଉଲ୍ଲେଖଯୋଗ୍ୟ, ଶ୍ୟାମସୁନ୍ଦର ଟୁଡୁ ଦାଢ଼ା ପଞ୍ଚାୟତର ୧ନମ୍ବର ୱାର୍ଡର ମୁଣ୍ଡାସାହିରେ ରହୁଥିଲେ। ଗତ ୨୦୧୭ ନିର୍ବାଚନରେ ସେ ପ୍ରାର୍ଥିପତ୍ର ଦାଖଲ କରି ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟଲାଭ କରିଥିଲେ। ତେବେ ସେ ଯେଉଁ ଜାତିଗତ ପ୍ରମାଣପତ୍ର ଦାଖଲ କରିଥିଲେ, ତାହା ନକଲି ଓ ତାଙ୍କର ୪ଟି ସନ୍ତାନ ଥିଲେ ମଧ୍ୟ ସେ ସତ୍ୟପାଠରେ ଦୁଇ ସନ୍ତାନ ଦେଖାଇଥିବା ଜଣାପଡ଼ିଥିଲା। ଏ ନେଇ ୨୦୧୯ ମସିହାରେ ଅନାସ୍ଥାରେ ତାଙ୍କ ପଦ ଯାଇଥିବା ବେଳେ ଉପନିର୍ବାଚନରେ ସେ ପୁଣିଥରେ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟ ହୋଇଥିଲେ। ପୁଣି ଥରେ ତାଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଗତ ୨ ତାରିଖ ଦିନ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।
Follow Us