ଗଙ୍ଗୁଆ ଅବବାହିକାକୁ ବୁଡ଼ାଇଲା ଦୟା

Advertisment

ବିଦ୍ୟୁତ୍, ପିଇବା ପାଣି ବିନା ହାହାକାର

ବିଦ୍ୟୁତ୍, ପିଇବା ପାଣି ବିନା ହାହାକାର

ଗଙ୍ଗୁଆ ଅବବାହିକାକୁ ବୁଡ଼ାଇଲା ଦୟା

Orissa Post

ପୁରୁଣା ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ସୁନ୍ଦରପଦା-ଜଟଣୀ ରାସ୍ତାର ଦୁଇ ପାର୍ଶ୍ବ ବନ୍ୟା ଘେରରେ ରହିଛି। ଗଙ୍ଗୁଆ ଅବବା‌ହିକା ଅଞ୍ଚଳକୁ ଦୟା ନଦୀର ବନ୍ୟା ପାଣି ମାଡ଼ି ଆସିଥିବାରୁ ହଜାର ହଜାର ଲୋକ ଜଳବନ୍ଦୀ ହୋଇରହିଛନ୍ତି। ବୋତଣ୍ଡା, ବୀରବନ୍ଧ, ଓରକଳ, କୁହା, କଣ୍ଟିଲୋ, ପଧାନସାହି, କ୍ଷେତ୍ରପାଳ ଓ ପାଞ୍ଚଗାଁ ଆଦି ଅଞ୍ଚଳର ବହୁ ଆପାର୍ଟମେଣ୍ଟ, ଡୁପ୍ଲେକ୍ସ ଓ ପ୍ରାଇଭେଟ୍‌ ଘର ପାଣି ଘେରରେ ରହିଛି। ଶୁଭଶ୍ରୀ ଭିଲ୍ଲା, ସ୍କାଏ ଭ୍ୟୁ, ଆନେକ୍ସ, ହାଇଟେକ୍‌ କଲୋନିଗୁଡ଼ିକର ସବୁ ପାର୍କିଂ ଅଞ୍ଚଳ ବୁଡିଯାଇଛି। ହାଇଟେକ୍‌ କଲ୍ୟାଣୀ ପ୍ଲାଜା -୧ ପାର୍କିଂ ସ୍ଥଳ ବୁଡ଼ି ପ୍ରଥମ ମହଲାରେ ପାଣି ପଶିଛି। ଲୋକମାନେ ଛାତ ଉପରକୁ ପଳାଇଥିବା ବେଳେ ଆଜି ବର୍ଷା ଦାଉ ସାଧିଥିଲା। କିଛି ଲୋକ ଘରେ ତାଲା ପକାଇ ବନ୍ଧୁବାନ୍ଧବଙ୍କ ଘରକୁ ପଳାଇଛନ୍ତି। ଯେଉଁ କିଛି ଲୋକ ଅନ୍ୟ ବାଟ ନପାଇ ସେଠାରେ ପଡ଼ିରହିଛନ୍ତି, ସେମାନଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି।

ବଡ଼ ସମସ୍ୟା ହେଉଛି, ଏହି ଅଞ୍ଚଳରୁ ୩ଦିନ ହେଲା ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଫଳରେ ପ୍ରାୟ ଏକ ହଜାରରୁ ଊର୍ଧ୍ବ ପରିବାର ଅନ୍ଧାରରେ ରହିଛନ୍ତି। ସେମାନେ ବଡ଼ କଲବଲ ହେଉଛନ୍ତି। ଛୋଟ ପିଲା ଓ ରୋଗୀଙ୍କ ପାଇଁ ଗରମ ପାଣି କରିପାରୁନାହାନ୍ତି। ଆକ୍ବାଗାର୍ଡ ବନ୍ଦ ହୋଇପଡ଼ିଛି। ଫଳରେ ପିଇବା ପାଣି ମିଳୁନାହିଁ। ବହୁ ଆପାର୍ଟମେଣ୍ଟରେ ଲାଗିଥିବା ଡିଜି ସେଟ୍‌ ନିକଟକୁ ପାଣି ଆସିଯାଇଥିବାରୁ ତାହାକୁ ବନ୍ଦ କରି ଦିଆଯାଇଛି। ଫଳରେ ଚାର୍ଜ ଟର୍ଚ୍ଚ ବ୍ୟବହାର କରିହେଉନାହିଁ କି ମୋବାଇଲ୍‌ ଫୋନ୍‌ ସେଟ୍‌କୁ ଚାର୍ଜ କରିବା ସମ୍ଭବ ହେଉନାହିଁ। ସେହିଭଳି କଲୋନି ଭିତର ରାସ୍ତା ବୁଡ଼ି ଯାଇଥିବାରୁ ଗ୍ୟାସ୍ ଗାଡ଼ି ଯାଇପାରୁ ନାହିଁ। ଫଳରେ କିଛି ପରିବା‌ରରେ ରୋଷେଇ କରି ଖାଇବା ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଛି। ତେଣୁ କିଛି କିଛି ସ୍ଥାନରେ ହାହାକାର ଅବସ୍ଥା ସୃଷ୍ଟି ହୋଇଛି। ତେବେ ମାଡ଼ିମକଚି ହୋଇ ପଡ଼ିରହିଥିବା କିଛି ଲୋକ ଆଜି ବିକଳରେ ବାହାରିବାକୁ ଇଛା କରିଥିଲେ। ତେଣୁ କଣ୍ଟିଲୋରୁ ଆଜି ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରିଛି।

ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ଓ ମେୟର

publive-image

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ ୫୯ର ଦୟା ନଦୀବନ୍ଧ ପାର୍ଶ୍ବରେ ଥିବା ନୂଆଗାଁ ଠାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଟିକରପଡ଼ା ଗ୍ରାମପଞ୍ଚାତର ବସନ୍ତପୁର ଠାରେ ଏବଂ ଗଙ୍ଗୁଆ ବନ୍ଧର ଜଳସ୍ତର ବୃଦ୍ଧି ହୋଇଥିବା ସ୍ଥାନରେ ବାଲିବସ୍ତା ପକାଯାଇଥିବା ସ୍ଥାନ ବୁଲି ଦେଖିଥିଲେ।

ସେହିଭଳି ଧଉଳି ଗ୍ରାମ ପଞ୍ଚାୟତର ଦେଉଳି ବାଙ୍କ ନିକଟରେ ପାଞ୍ଚଟି ଘାଳିଆକୁ ତୁରନ୍ତ ବାଲିବସ୍ତା ଦ୍ବାରା ବନ୍ଧା ଯାଇ ସମସ୍ତ ବନ୍ଧ ଉପରେ ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବାସୁଆଘାଇ ଗ୍ରାମ ପଞ୍ଚାୟତର ଦୁର୍ଗାପୁର ପାଟଣା ନଦୀବନ୍ଧ ବୁଲି ଦେଖିଥିଲେ। ସ୍ଥିତି ଅନୁଧ୍ୟାନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷ, ମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି, ବ୍ଲକ ପ୍ରତିନିଧି ଛଅ ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜଳସମ୍ପଦ ବିଭାଗର ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe