Daya Setu-Tikarpada Road: ଦୟାସେତୁ–ଟିକରପଡ଼ା ରାସ୍ତା: ୩ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ

ଭୁବନେଶ୍ବର ପୂର୍ତ୍ତ ବିଭାଗ ଡିଭିଜନ – ୨ ଅଧୀନ ଦୟାସେତୁଠାରୁ ଟିକରପଡ଼ା ପଞ୍ଚାୟତର କଲ୍ୟାଣପୁର ଶାସନ ପର୍ଯ୍ୟନ୍ତ ୯ କିମି ରାସ୍ତା ନବୀକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖାଦେଇଛି।

dgadgadgzvvcvc

ଧଉଳି: ଭୁବନେଶ୍ବର ପୂର୍ତ୍ତ ବିଭାଗ ଡିଭିଜନ – ୨ ଅଧୀନ ଦୟାସେତୁଠାରୁ ଟିକରପଡ଼ା ପଞ୍ଚାୟତର କଲ୍ୟାଣପୁର ଶାସନ ପର୍ଯ୍ୟନ୍ତ ୯ କିମି ରାସ୍ତା ନବୀକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖାଦେଇଛି। ଠିକାଦାର ରାସ୍ତା ଖୋଳିତାଡି ଛାଡ଼ିଦେଇଛି l ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ଗାଡ଼ିମଟର ଯାତାୟାତରେ ବଡ଼ ସମସ୍ୟା ଉପୁଜିଛି l ରାସ୍ତାର ଉପରେ ମାଟି, ବାଲି ଓ ଡଷ୍ଟ ଗଦା ହୋଇ ରହିବା ଫଳରେ  ରାସ୍ତା ସଂକୀର୍ଣ୍ଣ ହୋଇ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି l 

ସୂଚନା ଅନୁସାରେ ରାସ୍ତାର ଅବସ୍ଥିତି ଅନୁସାରେ ମୋଟ୍‌ ୧୨ ମିଟର ରାସ୍ତା ଚଉଡ଼ା ହେବ। ରାସ୍ତାର ମଝି ଅଂଶ ୭ ମିଟର ପିଚୁ କରାଯିବ। ଉଭୟ ପାର୍ଶ୍ବ ଅଢ଼େଇ ମିଟର ଚଉଡ଼ାରେ ପେଭର୍‌ ବ୍ଲକ୍‌ କରାଯିବ।  ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୩ଟି ସ୍ଥାନରେ ରାସ୍ତାର କିଛି ଅଂଶର ପିଚୁ କାମ ସରିଛି। ହେଲେ ବର୍ଷେ ନପୁରୂଣୁ ନିମ୍ନମାନର କାମ ଯୋଗୁ ରାସ୍ତାରୁ ପିଚୁ ଉଠିଗଲାଣି। ଅପରପକ୍ଷରେ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ଖାଲଖମାରେ ମେଣ୍ଟାଲ ଓ ଡଷ୍ଟ ପକାଯାଇଥିଲା। ବର୍ଷାଦିନେ ଲୋକେ କାଦୁଅ ପାଣିରେ ଦହଗଞ୍ଜ ହୋଇଥିଲେ। ଏବେ ରାସ୍ତାରେ ଗାଡ଼ିମଟର ଯା’ଆସ କରିବା ବେଳେ ଧୂଳିଧୁଆଁ ଉଡ଼ିବା ଦ୍ବାରା ଲୋକେ ଅଣନିଃଶ୍ବାସୀ ହୋଇପଡ଼ୁଛନ୍ତି। ଠିକାଦାର ରନିଂ  ବିଲ ପାଇବା ପରେ ଆଉ କିଛି ଶୁଣୁନଥିବା କୁହାଯାଉଛି। 

ସୂଚନାଯୋଗ୍ୟ ୨୦୨୨/୨୩ ଆର୍ଥିକ ବର୍ଷର ଡିସେମ୍ବର ମାସରେ ଏହି ରାସ୍ତାର ଭିତ୍ତିପ୍ରସ୍ତର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ବାରା କରାଯାଇଥିଲା। ରାସ୍ତା ନବୀକରଣ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ୧୮ କୋଟି ୭୩ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ହୋଇଛି। ସେହିପରି ରାସ୍ତା ସଂପ୍ରସାରଣ ପାଇଁ ଘରୋଇ ଜମି ଅଧିଗ୍ରହଣ ବାବଦରେ ୪ କୋଟି ଖର୍ଚ୍ଚ କରାଯିବ ବୋଲି ଯୋଜନା ରହିଥିଲା। ହେଲେ ରାସ୍ତା ସଂପ୍ରସାରଣ ନେଇ ଆବଶ୍ୟକ ଜମି ଅଧିଗ୍ରହଣ ନକରି ଯେତିକି ରାସ୍ତା ଅଛି ସେଥିରେ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସଚିନ ସାହୁଙ୍କ ସୂଚନା ଅନୁସାରେ ଜମି ଅଧିଗ୍ରହଣ ରାସ୍ତା ନିର୍ମାଣ କରିବା ନେଇ ବିଳମ୍ବ ହେଉଥିବାରୁ, ଯେତିକି ରାସ୍ତା ଅଛି ତା’ର ନବୀକରଣ ହେବ। ଖୁବଶୀଘ୍ର କାମ ଆରମ୍ଭ କରାଯାଇ ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe