କୁଆଖାଇ ପଠାରୁ ମୃତଦେହ ଜବତ ଘଟଣା: ଚିଣ୍ଟୁ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ

କୁଆଖାଇ ପଠାରୁ ମୃତଦେହ ଜବତ ଘଟଣା: ଚିଣ୍ଟୁ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ଼ କଣ୍ଟୁଣିଆ ସ୍ଥିତ କୁଆଖାଇ ନଦୀ ପଠାରୁ ଗାଡ଼ି ଡ୍ରାଇଭର୍‌ ଚିଣ୍ଟୁ ଓରଫ ଚିନ୍ମୟ ଗୋଚ୍ଛାୟତଙ୍କ ଶବ ଜବତ ଘଟଣାକୁ ଏହା ମଧ୍ୟରେ ୩୬ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। ମାତ୍ର ଚିଣ୍ଟୁର ମୃତ୍ୟୁ ରହସ୍ୟ ଏଯାଏ ଅସ୍ପଷ୍ଟ ରହିଛି। ଚିଣ୍ଟୁ ମୃତ୍ୟୁର ପ୍ରକୃତ କାରଣ ଜାଣିବା ନେଇ ବାଲିଅନ୍ତା ଥାନା ପୁଲିସ ଏବେ ତତ୍ପରତା ପ୍ରକାଶ କରିଛି। ପାରିପାର୍ଶ୍ୱିକ ପରିସ୍ଥିତି ଓ ଶବ ଜବତ ବେଳେ କିଛି ସୁରାକ୍‌କୁ ଅନୁଧ୍ୟାନ କରି ପୁଲିସ ଚିଣ୍ଟୁ ମୃତ୍ୟୁ ମାମଲା ଏକ ଆତ୍ମହତ୍ୟା ଘଟଣା ହୋଇଥାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ଜବତ ହୋଇଥିବା ମୋବାଇଲ୍‌ ଫୋନ୍‌ କାର୍‌ ଓ ଅନ୍ୟସବୁ ସାମଗ୍ରୀର ଫିଙ୍ଗର୍‌ ପ୍ରିଣ୍ଟ୍‌ ଚିଣ୍ଟୁ ମୃତ୍ୟୁର କାରଣ ଜାଣିବା ପାଇଁ ଅନ୍ୟତମ ବଳିଷ୍ଠ ମାଧ୍ୟମ ବୋଲି ସୂଚନା ମିଳିଛି। ଏପଟେ ମୋବାଇଲ୍‌ ଫୋନ୍‌ କଲ ଡିଟେଲ୍ସ ରିପୋର୍ଟରୁ ସବିଶେଷ ତଥ୍ୟ ହାସ୍ତଗତ କରିବା ପାଇଁ ବାଲିଅନ୍ତା ଥାନା ପୁଲିସ ଡିସିପିଙ୍କ ତତ୍ତ୍ୱାବଧାନରେ କଲିକତା ସ୍ଥିତ ଭାରତ ସଂଚାର ନିଗମ ଲିମିଟେଡ୍‌କୁ ମେଲ୍‌ ବାର୍ତା ପଠାଇଛି। ଭୁବନେଶ୍ୱର ଫରେନ୍‌ସିକ ଲାବୋରେଟାରିକୁ ଫିଙ୍ଗର୍‌ ପ୍ରିଣ୍ଟ୍‌ସ ସହ ଅନ୍ୟ ଜବତ ସାମଗ୍ରୀ ମଧ୍ୟ ପଠାଯାଇଛି। ଚିଣ୍ଟୁ ଦାନାଦାର ଖାଇ ନିଜେ ଆତ୍ମହତ୍ୟା କରିଛନ୍ତି କି ଦୁର୍ବୃତ୍ତମାନେ ହତ୍ୟାକୁ ଆତ୍ମହତ୍ୟାର ରୂପଦେବା ନେଇ ଏଭଳି ଷଡ୍‌ଯନ୍ତ୍ର ରଚିଛନ୍ତି ତାହା ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି । ତେବେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ପାରିବାରିକ କଳହ, ପୂର୍ବଶତୃତା, ଟଙ୍କା ଦେବାନେବା କିମ୍ବା ପ୍ରେମଜନିତ ଘଟଣାକୁ ଆଧାର କରି ଚିଣ୍ଟୁ ମୃତ୍ୟୁ ରହସ୍ୟ ଜାଣିବା ପାଇଁ ପୁଲିସ ଗାଡ଼ି ମାଲିକ ସମେତ ଟ୍ରାଭେଲ୍‌ ଏଜେନ୍ସି, ଚିଣ୍ଟୁର ପରିବାର, ପତ୍ନୀ ଓ ତାର ସାଙ୍ଗସାଥୀଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଲେଖା ହେବା ବେଳକୁ ଚିଣ୍ଟୁର ପରିବାର ଲୋକ ମୁହଁ ଖୋଲି ନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଗତକାଲି ପୂର୍ବାହ୍ନରେ ବାଲିଅନ୍ତା ଥାନା ପୁଲିସ କୁଆଖାଇ ନଦୀପଠାରୁ ସନ୍ଦେହଜନକ ଅବସ୍ଥାରେ ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଗରାମ ଗ୍ରାମର ଚିଣ୍ଟୁର ମୃତ ଦେହକୁ ଜବତ କରିଥିଲା । ଏଥିସହିତ ତାଙ୍କ ଶବ ନିକଟରୁ ସେ ଚଳାଉଥିବା କାର୍‌ଟିକୁ ମଧ୍ୟ ଜବତ କରିଥିଲା। ଏନେଇ ପ୍ରାଥମିକ ଭାବେ ପୁଲିସ କେସ୍‌ ନଂ ୧୧/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ହେଁ ମୃତ୍ୟୁ ସଂପର୍କିତ ପ୍ରକୃତ ସତ୍ୟତା ଜାଣିବା ପାଇଁ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe