ଶବକୁ ଏ କି ସମ୍ମାନ? ଘିଅ ନୁହେଁ କିରାସିନି ପକାଇ ପୋଡ଼ାଯାଉଛି, ଘୋଷାରି ଘୋଷାରି ନେଇ ଜଳନ୍ତା ଜୁଇରେ ପକାଯାଉଛି

ଶବକୁ ଏ କି ସମ୍ମାନ? ଘିଅ ନୁହେଁ କିରାସିନି ପକାଇ ପୋଡ଼ାଯାଉଛି, ଘୋଷାରି ଘୋଷାରି ନେଇ ଜଳନ୍ତା ଜୁଇରେ ପକାଯାଉଛି

ଭୁବନେଶ୍ବର:  ରାଜଧାନୀର ସତ୍ୟନଗର ଶ୍ମଶାନକୁ ପ୍ରତିଦିନ ଦୁଇରୁ ଚାରି ଜଣ କରୋନା ଆକ୍ରାନ୍ତଙ୍କ ଶବ ଆସୁଛି। ଶବ ଆସିବା ପୂର୍ବରୁ ବିଏମ୍‌ସି ପକ୍ଷରୁ ଶ୍ମଶାନ କର୍ମଚାରୀଙ୍କୁ ଆଗୁଆ ପ୍ରସ୍ତୁତି କରିବାକୁ ଜଣାଇ ଦିଆଯାଉଛି। କେତେବେଳେ ଶବ ଆସିବ, ପୋଡ଼ା ହେବ କି ପୋତା ହେବ ତାହା ଆଗୁଆ କହିଦିଆଯାଉଛି। ଯଦି ପୋଡ଼ା ହେବାର ଅଛି ତେବେ ଆଗୁଆ କାଠ ଚିରି ଜୁଇ ଉପରେ ସଜାଡ଼ି ରଖିବାକୁ କୁହାଯାଉଛି। ଯଦି ପୋତା ହେବାର ଅଛି ତେବେ ୮ଫୁଟ ଲମ୍ବ ୩ଫୁଟ ଓସାରରେ ଗାତ ଖୋଳିବାକୁ କୁହାଯାଉଛି। ଏହାପରେ ଶବ ଶ୍ମଶାନରେ ପହଞ୍ଚିଗଲେ ଆମ୍ବୁଲାନ୍ସରେ ଆସିଥିବା କର୍ମଚାରୀ ଏବଂ ଶ୍ମଶାନ କର୍ମଚାରୀ ଶବକୁ ଟେକି ଟେକି ହେଉ କି ଘୋଷାରି ଘୋଷାରି ନେଇ ଜଳନ୍ତା ଜୁଇରେ ପକାଇ ଦେଉଛନ୍ତି। ଯେମିତି ଶବ ଜଲ୍‌ଦି ପୋଡ଼ିଯିବ ସେଥିପାଇଁ ଶ୍ମଶାନ କର୍ମଚାରୀ ଶବ ଉପରେ କିରାସିନି ପକାଇ ପୋଡ଼ି ଦେଉଛନ୍ତି। ଅନ୍ୟବେଳେ ଯେଉଁ ଲୋକଙ୍କ ଦେହରେ କେଜି କେଜି ଘିଅ ଢଳା ହୋଇଥାନ୍ତା ତାଙ୍କ ଉପରେ ଲିଟର ଲିଟର କିରାସିନି ଢାଳି ପୋଡ଼ି ଦିଆଯାଉଛି।

ସବୁଠୁ ବିଡ଼ମ୍ବନାର ବିଷୟ ଯଦି ଏକସଙ୍ଗେ ଦୁଇଟି କରୋନା ଆକ୍ରାନ୍ତଙ୍କ ଶବ ଆସୁଛି ତେବେ ଗୋଟିଏ ଅଧା ପୋଡ଼ା ହେଉ ହେଉ ଆଉ ଗୋଟେ ଶବକୁ ତା’ଉପରେ ପକାଇ ଦିଆଯାଉଛି। କରୋନା ଭୟରେ ଶବକୁ ସମ୍ମାନ ଦେବା ଭୁଲିଯାଉଛନ୍ତି। କରୋନା ମହାମାରୀ ସମୟରେ ଶବକୁ ଲୋକଙ୍କ ଆଶା ଅନୁଯାୟୀ ସମ୍ମାନ ଦେବା ସମ୍ଭବ ନୁହେଁ। କିନ୍ତୁ ଓଡ଼ିଶାରେ ଏମିତି ବି ସ୍ଥିତି ଉପୁଜିନି ଯେ, ଶବକୁ ଘୋଷାରି ଘୋଷାରି ନିଆଯିବ। ଆଉ ଗୋଟିଏ ଜୁଇ ନଲିଭିବା ଆଗରୁ ତା’ ଉପରେ ଆଉ ଏକ ଶବ ଲଦି ଦିଆଯିବ। ସତ୍ୟନଗର ଶ୍ମଶାନରେ କରୋନା ଆକ୍ରାନ୍ତଙ୍କ ଶବ ପହଞ୍ଚିବାବେଳକୁ ବିଏମ୍‌ସି, କମିସନରେଟ୍ ପୁଲିସ ଏବଂ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହୁଛନ୍ତି। ସେମାନେ ବି ଯଦି ତାଗିଦ୍‌ କରନ୍ତେ ତେବେ କରୋନା ଆକ୍ରାନ୍ତଙ୍କର ଠିକ୍‌ ଭାବେ ଶବ ସତ୍କାର ହୋଇପାରନ୍ତା।

publive-image

ବହୁ ଲୋକ ଅସ୍ଥି ନେଉନାହାନ୍ତି
ଭୁବନେଶ୍ବରର ଦୁଇଟି କରୋନା ହସ୍ପିଟାଲରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କର ସତ୍ୟନଗର ଶ୍ମଶାନରେ ଶବଦାହ ହେଉଛି। ହିନ୍ଦୁ ଧର୍ମର ବିଶ୍ବାସ ଓ ପରମ୍ପରା ଅନୁଯାୟୀ, ଶବଦାହ ଶେଷ ହେବା ପରେ ମୃତକଙ୍କର ଅସ୍ଥିକୁ ପରିବାର ଲୋକ ନେଇ କର୍ମ କରନ୍ତି ଏବଂ ପରେ ଏହାକୁ ବିସର୍ଜନ କରନ୍ତି। କିନ୍ତୁ କରୋନାରେ ଯେଉଁମାନେ ମରୁଛନ୍ତି ବା ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଯେଉଁମାନେ ପୂର୍ବରୁ ବହୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଓ ମୃତ୍ୟୁବେଳକୁ କରୋନା ଆକ୍ରାନ୍ତ ହୋଇଯାଉଛନ୍ତି ସେମାନଙ୍କର ସତ୍ୟନଗର ଶ୍ମଶାନରେ ଶବ ସତ୍କାର ହେବା ପରେ ବହୁ ଲୋକ ଅସ୍ଥି ନେଉନାହାନ୍ତି। ଯେଉଁମାନେ ଅସ୍ଥି ନେବା ପାଇଁ କହୁଛନ୍ତି ସେମାନଙ୍କୁ ପଲିଥିନ୍‌ରେ ଅସ୍ଥି ଆଣି ଶ୍ମଶାନ କର୍ମଚାରୀ ଦେଉଛନ୍ତି। ନଚେତ୍‌ ଶବଦାହ ପରେ ପାଉଁଶକୁ ଓଳାଇ ଫୋପାଡ଼ି ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe