ଭୁବନେଶ୍ବର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତାହାତୀ ମଲା। ଆଉ ଗୋଟିଏ ଲଢ଼େଇ କରି ଆହତ ହେଲା। ଏମିତି ଆହତ ହେଲା ଯେ ଆଉ ସୁସ୍ଥ ହେଲା ନାହିଁ , ଶେଷରେ ଜୀବନ ହାରିଲା। ଗତ ୮ ମାସରେ ଦୁଇଟି ଦନ୍ତାହାତୀଙ୍କ ଏଭଳି ମୃତ୍ୟୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ କଳଙ୍କ ବୋଳିଛି। ଗୋଟିଏ ପଟେ ରାଜ୍ୟ ସରକାର ହାତୀଙ୍କ ସୁରକ୍ଷା କଥା କହୁଛନ୍ତି, ଅନ୍ୟପଟେ ରାଜଧାନୀ ଉପକଣ୍ଠରେ ଦନ୍ତାହାତୀଙ୍କ ମୃତ୍ୟୁ ଘଟୁଛି। ସତରେ କ’ଣ ଚନ୍ଦକା ଜଙ୍ଗଲରେ ହାତୀ ସୁରକ୍ଷିତ, ଏପରି ଏପରି ଏକ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରିଲାଣି। ଅପରପକ୍ଷେ ଦନ୍ତା ମୃତ୍ୟୁ ଘଟଣାର ତଦନ୍ତକୁ ବାଟବଣା କରି ବନବିଭାଗ ଖସିଯିବାକୁ ରୀତିମତ ଯୋଜନା ଚଳାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୁଇଟି ଦନ୍ତାହାତୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରିକୁ ଉତ୍ତରଦାୟୀ କରାଯାଇନାହିଁ। ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଦର୍ଶାଇ ସମସ୍ତେ ଚୁପ୍ ବସିପଡ଼ିଛନ୍ତି। ୨୦୨୪ ଅଗଷ୍ଟରେ ଅଭୟାରଣ୍ୟ ଅନ୍ତର୍ଗତ ଭରତପୁର ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ‘ରାମୁ’ର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ବନବିଭାଗ ଓ ଶକ୍ତିବିଭାଗର ଅଧିକାରୀମାନେ ତଦନ୍ତ କରିଥିଲେ। କିଏ, କେଉଁଠି ଓ କେଉଁଭଳି ଭାବେ ଜଙ୍ଗଲ ନିକଟରେ ବିଦ୍ୟୁତ୍ ତାର ଟାଣିଥିଲା, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିଥିଲା, କିନ୍ତୁ ତଥ୍ୟ ପାଇ ଅଧିକାରୀମାନେ ଚୁପ୍ ବସିଗଲେ, କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେନାହିଁ। ଘଟଣାର ଅଭିଯୁକ୍ତମାନେ ଏବେ ଖୁଲମ୍ଖୁଲା ବୁଲୁଛନ୍ତି। କେବଳ ଏହି ଗୋଟିଏ ଘଟଣା ନୁହେଁ, ଗତ କିଛି ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ହାତୀମୃତ୍ୟୁ ଘଟଣାରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ କିମ୍ବା ସ୍କ୍ୱାଡ୍ କାମର ସମୀକ୍ଷା କରାଯାଇନାହିଁ। ନିୟମିତ ରିପୋର୍ଟ ଦିଆଯାଉ ନ ଥିବାରୁ ୭ ମାସ ତଳେ ତତ୍କାଳୀନ ପିସିସିଏଫ୍(ବନ୍ୟପ୍ରାଣୀ) ବିଭିନ୍ନ ଯୋଜନାରେ କାର୍ଯ୍ୟରତ ସ୍କ୍ୱାଡ୍ଗୁଡ଼ିକର କାର୍ଯ୍ୟଧାରା ଉପରେ ଅସନ୍ତୋଷ ବ୍ୟକ୍ତ କରି ଆର୍ସିସିଏଫ୍ମାନଙ୍କୁ ଚିଠି ଲେଖିଥିଲେ।
ବାଟବଣା କରିଦେଲେ ‘ରାମୁ’ ମୃତ୍ୟୁର ତଦନ୍ତ
ଆହତ ଦନ୍ତାକୁ ଟ୍ରାକ୍ କରିବାରେ ବିଫଳ ହେଲେ
ତା’ସତ୍ତ୍ବେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ତାହାକୁ ପାଳନ କରାଗଲା ନାହିଁ। ପରିଣାମ ସ୍ବରୂପ ମାର୍ଚ୍ଚ ମାସରେ ଆଉ ଏକ ଦନ୍ତାର ଜୀବନ ଗଲା। ଦୁଇଟି ଦନ୍ତାଙ୍କ ଲଢ଼େଇ ମଧ୍ୟରେ ଛୋଟଦନ୍ତା ଗୁରୁତର ଆହତ ହୋଇଥିଲା। ଏ ସମ୍ପର୍କରେ ୫ ଦିନ ପରେ ବନବିଭାଗ ସୂଚନା ପାଇ ତାର ଚିକିତ୍ସା କରାଇଥିଲେ। ଅର୍ଥାତ୍ ସେମାନେ ହାତୀକୁ ଠିକ୍ ଭାବେ ଟ୍ରାକ୍ କରିନଥିଲେ। ଏହାପରେ ଦନ୍ତାହାତୀକୁ ନିୟମିତ ଚିକିତ୍ସା ଆବଶ୍ୟକ ହେଉଥିଲେ ମଧ୍ୟ ବନ କର୍ମଚାରୀମାନେ ଆହତ ଦନ୍ତାର କୌଣସି ଖୋଜଖବର ରଖିଲେ ନାହିଁ। ଅଭୟାରଣ୍ୟ ଭିତରେ ରହିଥିଲେ ମଧ୍ୟ ବନ କର୍ମଚାରୀ କହିଲେ ଆଠଗଡ଼ ଚାଲିଯାଇଛି। ଫଳରେ କିଛି ଦିନ ପରେ ହାତୀର ମୃତଦେହ ମିଳିଥିଲା। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ ହାତୀଙ୍କ ଗତିବିଧିକୁ ସ୍କ୍ବାଡ୍ର ସଦସ୍ୟମାନେ ଟ୍ରାକ୍ କରୁନାହାନ୍ତି। ସ୍କ୍ୱାଡ୍ଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ମୁତୟନ ସହ ପାଟ୍ରୋଲିଂ ଠିକ୍ ଭାବେ କରିବାକୁ ଆର୍ସିସିଏଫ୍ମାନଙ୍କୁ କୁହାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନ ଥିବା ଦେଖିବାକୁ ମିଳୁଛି।
ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଦୁଇ ଦନ୍ତାହାତୀଙ୍କ ମୃତ୍ୟୁ ଅସ୍ବାଭାବିକ ଥିଲା। ବିଦ୍ୟୁତ୍ ତାରରେ ‘ରାମୁ’ ହାତୀର ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି। ଲଢ଼େଇରେ ଆହତ ହୋଇ ଜୀବନ ଯାଇଥିବା ଦନ୍ତାହାତୀର ଚିକିତ୍ସା କରାଯାଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହର୍ପିସ୍ ଆକ୍ରାନ୍ତ ଥିବା ଜଣାପଡ଼ିଛି।
Follow Us