ସମନ୍ୱୟ ବୈଠକରେ ନିଷ୍ପତ୍ତି: ଏଥର ଭକ୍ତ ଦେଖିବେ ରୁକୁଣା ରଥଯାତ୍ରା

Advertisment
ସମନ୍ୱୟ ବୈଠକରେ ନିଷ୍ପତ୍ତି: ଏଥର ଭକ୍ତ ଦେଖିବେ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର: ଦୁଇବର୍ଷ ପରେ ଭକ୍ତ ଦେଖିବେ ରକୁଣା ରଥଯାତ୍ରା। ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ରୁକୁଣା ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିନଥିବା ଭକ୍ତ ଏଥର ସୁଯୋଗ ପାଇବେ। ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା ପାଇଁ ଆଜି ସ୍ୱତନ୍ତ୍ର ସର୍କିଟ୍‍ ହାଉସ୍‍ଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରଥଯାତ୍ରା ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ହେବାକୁଥିବା ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟ ସହ ଆଇନ ଶୃଙ୍ଖଳା ସଂପର୍କରେ ଆଲୋଚନା ହୋଇଛି। ଏଥର ଭକ୍ତ ଯାତ୍ରାରେ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳ ସଂଗ୍ରାମ ‌କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରୁକୁଣା ରଥଯାତ୍ରା ସମ୍ପର୍କରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରଥଟଣା ଅପରାହ୍ନ ସାଢ଼େ ୩ଟା‌ରେ ହେବାକୁ ଥିବାରୁ ସବୁ ବିଭାଗ ନିଜ କାର୍ଯ୍ୟ ସୂଚାରୁ ରୂପରେ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ଦିର ପ୍ରଶାସନରୁ ମିଳିଥିବା ସୂଚନା ଅନୁଯାୟୀ ରଥଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ୍‍ ବ୍ୟବସ୍ଥା ପାଇଁ ପୁଲିସ ବିଭାଗ ପଦକ୍ଷେପ ନେବ। ଯାତ୍ରା ବେଳେ ରାମେଶ୍ୱର ପାଟଣା ଛକ, ଇଲେକ୍ଟ୍ରି ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍‍ କରାଯିବ। ସେହିପରି ୱାଟ୍‌କୋ ପକ୍ଷରୁ ଯାତ୍ରାବେଳେ ପର୍ଯ୍ୟପ୍ତ ପରିମାଣରେ ପାଣି ଅସ୍ଥାୟୀ ଟ୍ୟାପ୍‍ ଜରିଆରେ ଯୋଗାଇ ଦିଆଯିବ। ରଥଖଳା ନିକଟରେ, ବଢେଇବାଙ୍କ ଛକରେ, ରାମେଶ୍ୱର ମନ୍ଦିର ନିକଟରେ ଓ ରଥ ପଛ ପଟେ ପାଣି ଟାଙ୍କି ରହିବ।

ଏହି ବୈଠକରେ ବିଏମ୍‌ସି ଅତିରିକ୍ତ କମିସନର ବିନୟ ଦାସ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବଡ଼ୁ ନଯୋଗ ସଭାପତି ଅଞ୍ଚଳ ବଟୁ ଓ ସମ୍ପାଦକ କମଳାକାନ୍ତ ବଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୨୧ମସିହାରେ ରଥଦାଣ୍ଡରେ ୧୪୪ଧାରା ଲାଗୁ ହୋଇ ରଥଯାତ୍ରା କରାଯାଇଥିଲା। ଫଳରେ ଭକ୍ତ ସାମିଲ ହୋଇପାରିନଥିଲେ। ସେହିପରି ୨୦୨୦ମସିହାରେ ରଥ ତିଆରି ହୋଇଥିଲେ ମଧ୍ୟ କରୋନା ଯୋଗୁଁ ରଥ ପ୍ରତିଷ୍ଠା ହେଲା ନାହିଁ କି ରଥ ଗଡ଼ିଲା ନାହିଁ।

ରଥ ଉପରେ ଭିଡ଼ କମାଇବାକୁ ପଦକ୍ଷେପ

ରଥ ଉପରେ ଅଧିକ ଭିଡ଼ ହେଉଥିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଅଧିକ ଭିଡ଼ ଯୋଗୁଁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିପାରିୁନଥିବାରୁ ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ପୁଲିସ ଓ ନିଯୋଗ ପ୍ରତିନିଧି ଏଥିପାଇଁ ନଜର ରଖିବେ ବୋଲି ନିଷ୍ପତ୍ତି ହୋଇଛି।

ରଥ ପାଖରେ ଲାଗିବ ଅଧିକ ଲାଇଟ୍‍

ବିଏମ୍‍ସି ପକ୍ଷରୁ ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ରଥ ଅବସ୍ଥାନ କରିବା ସ୍ଥାନରେ ପୂର୍ବ ଅପେକ୍ଷା ଅଧିକ ଆଲୋକ ବ୍ୟବସ୍ଥା କରାଯିବ। ନେତ୍ର ଉତ୍ସବ ଦିନ କେଦାରଗୌରୀ ନିକଟ ମରିଚି କୁଣ୍ଡ ପାଖରେ ଅସ୍ଥାୟୀ ଗାଧୁଆ ଘର ତିଆରି କରାଯିବ। ସେହିପରି ମାଉସୀ ମା’ ମନ୍ଦିରଠାରେ ଆଲୋକ ବ୍ୟବସ୍ଥା ଓ ଛାମୁଡ଼ିଆ କରିବା ସହ ରାସ୍ତା ସଫା କରାଯିବ। ରାସ୍ତା କଡ଼ରେ ଥିବା ଡ୍ରେନ୍‍ ଉପରେ ସ୍ଲାବ୍‍ ପକାଇବା ସହ ଆବଶ୍ୟକସ୍ଥଳେ ବ୍ୟାରିକେଡ୍‌ କରାଯିବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି। ଯାତ୍ରାକୁ ଲକ୍ଷ୍ୟ ରଖି ଅଧିକ ମୋ’ ବସ୍‌ ଚାଲିବ। ସେହିପରି ରଥ ଯିବା ସମୟରେ ବିଏମ୍‍ସି ହସ୍ପିଟାଲର ଏକ ଡାକ୍ତର ଟିମ ରଥ ପାଖାପାଖି ରହିବ। ରଥ ପଛରେ ଓ ଆଗରେ ଦମକଳବାହିନୀ, ଆମ୍ବୁଲାନ୍‍ସ ରହିବ। ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାରେ ଧଳା ଗାର ଟାଣାଯିବ। ରାସ୍ତାକୁ ମାଡ଼ିଥିବା ଗଛ କାଟିବା ସହ ବିଭିନ୍ନ କେବୁଲ ତାର ଗୁଡ଼ିକ ବାହାର କରିବ ଓ ଜେନେରେଟର ବ୍ୟବସ୍ଥା କରିବ ବୋଲି ନିଷ୍ପତ୍ତି ହୋଇଛି।

ରଥ ପାଖରେ ହେବ ପ୍ରବଚନ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଥ ଖଳା ପାଖରେ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯିବ। ଏଥିସହ ଭକ୍ତି ସଂଗୀତ ସହ ୭/୮ଜଣ ବିଶିଷ୍ଠ ପଣ୍ଡିତଙ୍କ ଦ୍ୱାରା ପ୍ରବଚନ ଦିଆଯିବ ବୋଲି ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପଠାଣୀ ରାଉତ ସୂଚନା ଦେଇଛନ୍ତି।

ଯାତ୍ରାରେ ଅମିଷ ଦୋକାନ ବନ୍ଦ

ରଥଯାତ୍ରା ଠାରୁ ଠାକୁରଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ରଥ ଦାଣ୍ଡରେ ଆମିଷ ଦୋକାନ ବନ୍ଦ ରହିବ। ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଥିବା ପାଷ୍ଟଫୁଡ଼୍‍ ଓ ଆମିଷ ହୋଟେଲ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଯୋଗଦେଲେ ନାହିଁ ପ୍ରମୁଖ ନିଯୋଗ

ଆଜିର ବୈଠକରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ସମର୍ଥା ନିଯୋଗର ପ୍ରତିନିଧି ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏନେଇ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ପତି କୁହନ୍ତି ମନ୍ଦିରର ବହୁ ପରମ୍ପରା ରକ୍ଷା କରାଯାଉନାହିଁ। ସବୁଆଡ଼େ କରୋନା କଟକଣା ହଟିଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତ ଆଡ଼କାଠରୁ ଦର୍ଶନ କରୁଛନ୍ତି। ପ୍ରଶାସନ କଟକଣା ଯୋଗୁଁ ଭକ୍ତ ଠାକୁରଙ୍କ ପାଖକୁ ଯାଇପାରୁ ନାହାନ୍ତି। ମନ୍ଦିର ପ୍ରଶାସନର ଆୟ କମୁଛି ଓ ସେବାୟତ ପୂଜା କରି ଶ୍ରଦ୍ଧାଳୁଙ୍କଠାରୁ ପାଉଣା ପାଇପାରୁ ନାହାନ୍ତି। ବେବନ୍ଦୋବସ୍ତ ଜମି ସେବାୟତଙ୍କୁ ଫେରାଯାଉନାହିଁ। ମନ୍ଦିରରେ ପଇତାଲାଗି ସମସ୍ୟା, ଭିଆଇପି ସମସ୍ୟା, ଶ୍ରାବଣୀ ପାଉଣା ସମସ୍ୟା ଦେ ବୋତ୍ତର ବିଭାଗରେ ନିଷ୍ପତ୍ତି ନହୋଇ ପଡ଼ିରହିଛି। ଫଳରେ ସେବାୟତଙ୍କ ଅସନ୍ତୋଷ ଲାଗି ରହିଛି। ତେବେ ଠାକୁରଙ୍କ ପୂଜା କାର୍ଯ୍ୟରେ ସାମିଲ ହେବୁ କିନ୍ତୁ ପ୍ରଶାସନର କୌଣସି କଥା ଶୁଣିବୁ ନାହିଁ ବୋଲି ଶ୍ରୀ ପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe