କରୋନା ବିରୋଧରେ ଲଢ଼େଇ : ଝଲସିଲା ସାମୂହିକ ଶକ୍ତିର ଆଲୁଅ

Advertisment
କରୋନା ବିରୋଧରେ ଲଢ଼େଇ : ଝଲସିଲା ସାମୂହିକ ଶକ୍ତିର ଆଲୁଅ

ଭୁବନେଶ୍ବର : କରୋନା ଯୁଦ୍ଧ‌‌‌‌‌ରେ ମୁଁ ଏକଲା ନୁହେଁ, ବରଂ ସମଗ୍ର ଦେଶ ଏହି ଲଢ଼େଇରେ ସାମିଲ୍‌ ଅଛି। ଅନ୍ଧକାରମୟ ପରିବେଶରେ ଝଲସୁଥିବା ଆଲୁଅର ଶିଖା ଅନ୍ତତଃ ଏହା ପ୍ରମାଣିତ କରୁଥିଲା। ଲୋକଙ୍କ ମନୋବଳ ବୃଦ୍ଧି କରିବା ସହ ଏକ ସକରାତ୍ମକ ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜନ କରାଯାଇଥିବା ବେଳେ ଆଲୁଅର ପ୍ରକାଶ ପର୍ବ ସଫଳ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆଜି ଠିକ୍‌ ରାତି ୯ଟା ବେଳେ ଅଧିକାଂଶ ଘରର ଲାଇଟ୍‌ ସ୍ବିଚ୍‌ ଅଫ ହୋଇଯାଇଥିଲା ଘରେ ଲାଇଟ୍‌ ବଦଳରେ ଜଳିଥିଲା ଦୀପ ଶିଖା। କୋଉଠି ମହମବତି ତ କୋଉଠି ଦୀପ। ପୁଣି କୋଉଠି ଟର୍ଚ୍ଚ ତ ଆଉ କୋଉଠି ମୋବାଇଲ୍‌ ଫ୍ଲାସରେ ଝଲସୁଥିଲା ସାମୂହିକ ଶକ୍ତିର ଏହି ଆଲୁଅ ଶିଖା।

ଗତ ମାର୍ଚ୍ଚ ୨୨ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡାକରାରେ କରୋନା ମୁକାବିଲା ବେଳେ ବାହାରେ ରହି ସେବା ଯୋଗାଉଥିବା ଡାକ୍ତର, ସେବିକା, ପୁଲିସ, ଅନେକ ସରକାରୀ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ପାଇଁ ଅନେକ ଘଣ୍ଟ ଓ ଥାଳି ବ‌ାଡ଼େଇଥିଲେ। ହେଲେ ଆଜି ନିଜର ଆତ୍ମବିଶ୍ବାସ ଓ ସାମୂହିକ ଶକ୍ତିକୁ ଅନୁଭବ କରିବା ପାଇଁ ଏପରି ଦୀପ ଜଳାଇବା ଆୟୋଜନ କରାଯାଇଥିଲା। କେହିକେହି ଦ୍ବାର ମୁହଁରେ ଦୀପ ଜାଳିଥିବା ବେଳେ କେହିକେହି ବାଲକୋନି ଓ ଛାତ ଉପରେ ଦୀପ ଓ ମହମବତି ଜାଳିବା ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ଅନ୍ଧାର ମଧ୍ୟରେ ଏପରି ଆଲୁଅ ଶିଖା ଦୀପାବଳିର ଅନୁଭବ ଦେଉଥିଲା।

ରାତି ୮ଟାରେ ସଟଡାଉନ ଅବଧି ପୂରିବା ପରେ ରାଜଧାନୀରେ ପୁଣି ଲୋକଙ୍କ ଯା’ ଆସ ବଢ଼ି ଯାଇଥିଲା। ଅନେକ ମଧ୍ୟ ଘରୁ ବାହାରକୁ ବାହାରିବାର ଏହା ଏକ ସୁଯୋଗ ଭାବି ଏଭଳି ଡାକରାକୁ ସମର୍ଥନ ଜଣାଉଥିବା କହିଥିଲେ। ଏହା ଦ୍ବାରା ଯେ କରୋନାକୁ ତଡ଼ି ଦିଆଯାଇଥିଲା ସେକଥା ନୁହେଁ। ମାତ୍ର କରୋନା ସହ ଲଢ଼ିବା ପାଇଁ ସମସ୍ତ ନିୟମକୁ ଅନୁସରଣ କରି ଯେ ଲୋକେ ଚାଲୁଛନ୍ତି ତାହା ଏହି ଆଲୁଅର ପ୍ରକାଶରୁ ବାରି ହେଉଥିଲା। ତେବେ ଘରୁ ବାହାରି ଆସି ଦୀପ କିମ୍ବା ମହମବତି ଜାଳୁଥିବା ଅନେକ ବ୍ୟକ୍ତି ସାମାଜିକ ଦୂରତାକୁ ବଜାୟ ରଖୁନଥିଲେ। ଗତ ୨୨ ତାରିଖ ଭଳି ଆଜି ମଧ୍ୟ ସହରର ବିଭିନ୍ନ ସ୍ଥାନରେ କିଛି ଅମାନିଆଙ୍କ ବିଶୃଙ୍ଖଳ ଆଚରଣ ଦେଖିବାକୁ ମିଳିଥିଲା। ତେବେ ଘରର ଛୋଟ ପିଲାମାନେ ଏହାର ବେଶ୍‌ ମଜା ଉଠାଉଥିଲେ। ୯ ମିନିଟ ଅତିକ୍ରମ କରିଯାଇଥିଲେ ବି ଦୀପ ଜଳୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe