ହରିଣ ଚମଡ଼ା ଜବତ, ଜଣେ ଗିରଫ

Advertisment
ହରିଣ ଚମଡ଼ା ଜବତ, ଜଣେ ଗିରଫ

ମେଣ୍ଢାଶାଳ: ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଅଭୟାରଣ୍ୟ ବନ ବିଭାଗର ପାଟ୍ରୋଲିଂ ଟିମ୍ ବନ୍ୟପ୍ରାଣୀ ଶିକାର କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଖୋର୍ଦ୍ଧା ଥାନା ଅନ୍ତର୍ଗତ ଟାଙ୍ଗିଆପଡ଼ାର ଧନେଶ୍ୱର ଜେନା(୨୯)। ବନ ବିଭାଗ ତା’ ନିକଟରୁ ଏକ ସଦ୍ୟ ଶିକାର ହୋଇଥିବା ହରିଣ ଚମଡ଼ା ଜବତ କରିଛି। ଧନେଶ୍ବରକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଅଭୟାରଣ୍ୟ ଭିତରେ ହରିଣ ଶିକାର ହୋଇଥିବା ଖବର ପାଇ ଗତକାଲି ରାତିରେ ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା ସଦଳବଳେ ରାମଦାସପୁର ରାସ୍ତାକୁ ଯାଇଥିଲେ। ବନ ବିଭାଗ ଟିମ୍‌ ତାଡିକି ମୁଣ୍ଡିଆ ନିକଟରେ ପହଞ୍ଚିଥିବା ବେଳେ ହଳଦିଆରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ବାଇକ୍‌କୁ ଅଟକାଇଥିଲେ। ବିଳମ୍ବିତ ରାତିରେ ବାଇକ୍‌ ନେଇ ଯାଉଥିବାରୁ ସନ୍ଦେହ କରି ରେଞ୍ଜର ଶ୍ରୀ ପଣ୍ଡା ତାକୁ ଅଟକାଇଥିଲେ। ବାଇକ୍‌ ଯାଞ୍ଚ କଲା ବେଳେ ଏକ ହରିଣ ଚମଡ଼ା ମିଳିଥିଲା। ଗତକାଲି ସନ୍ଧ୍ୟା ବେଳେ ହରିଣଟିକୁ ଶିକାର କରାଯାଇଥିବା ଅନୁମାନ କରାଯାଇଥିଲା। କିନ୍ତୁ ମାଂସ ଜବତ ହୋଇପାରିନଥିଲା। ହରିଣକୁ ଗୁଳି କରି ଶିକାର କରାଯାଇଥିଲେ ହେଁ ଧନେଶ୍ବର ନିକଟରୁ ବନ ବିଭାଗ ବନ୍ଧୁକ ଜବତ କରିପାରିନାହିଁ। ତେବେ ଏହି ଘଟଣା ପରେ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ଅବାଧରେ ଚାଲିଛି ବୋଲି ପ୍ରମାଣିତ ହୋଇଛି। ଶିକାରୀମାନେ ଜଙ୍ଗରେ ହରିଣ, ବାର୍‌ହା, କୁଟୁରା ଓ ବଜ୍ରକାପ୍ତା ଭଳି ପ୍ରାଣୀଙ୍କୁ ଗୁଳି କରି କିମ୍ବା ଫାଶ ବସାଇ ହତ୍ୟା କରୁଛନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe