ଅନ୍‌ଲାଇନ୍‌ରେ ଦେହଜୀବୀ ବୁକିଂ : ଫସିଲେ ଇଞ୍ଜିନିୟର, ୯୫ ହଜାର ଚଳୁ

ବାର୍‌ରେ କୋଭିଡ୍ କଟକଣାକୁ ଫୁ’: ରାତି ବଢ଼ିଲେ ତାତି ବଢ଼ୁଛି

Representational image esakal.com

ଭୁବନେଶ୍ବର : ଅନ୍‌ଲାଇନ୍‌ରେ ଦେହଜୀବୀ ‌ବୁକିଂ କରିବାକୁ ଯାଇ ଜଣେ ଯୁବ ଇଞ୍ଜିନିୟର ୯୫ ହଜାର ଟଙ୍କା ହରାଇଛନ୍ତି। ଆକାଉଣ୍ଟ ଖାଲି ହୋଇଯିବା ପରେ ସେ କାନମୁଣ୍ଡା ଆଉଁସି ଏବେ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ସାଇବର ଠକାମି ବାବଦରେ ବିଭିନ୍ନସ୍ତରରେ ଜନ ସଚେତନତା ଚାଲୁ ରହିଥିଲେ ମଧ୍ୟ ଉକ୍ତ ଯୁବ ଇଞ୍ଜିନିୟରଙ୍କ ଭଳି ଶିକ୍ଷିତ ଲୋକମାନେ ବାରମ୍ବାର ସାଇବର ଠକଙ୍କ ଜାଲରେ ଫସୁଛନ୍ତି। ଗୋଟିଏ ପଟେ ପୁଲିସ ସାଇବର ଠକାମିର ଚେର ଠାବ କରିବା ପାଇଁ ଜ୍ଞାନକୌଶଳ ଅଭାବରୁ ଅସହାୟ ହୋଇ ପଡ଼ିଥିବା ବେଳେ ଶିକ୍ଷିତ ଲୋକମାନେ ସବୁ ଜାଣି ବି ଲୋଭରେ ଏହି ଠକାମିର ଶିକାର ହେଉଛନ୍ତି।

publive-image

ସୂଚନାନୁସାରେ, ପୋଖରୀପୁଟ ଅଞ୍ଚଳରେ ରହୁଥିବା ଓ ଏକ ଘରୋଇ କମ୍ପାନିରେ କାମ କରୁଥିବା ଏହି ଇଞ୍ଜିନିୟର ଦୁଇ ଦିନ ତଳେ ତାଙ୍କ ହ୍ବାଟସଆପ୍‌ରେ ଏକ ମେସେଜ୍‌ ପାଇଥିଲେ। ଏସକର୍ଟ ସର୍ଭିସ୍‌ (ରୂପଜୀବୀ) ଚାହୁଛନ୍ତି କି ବୋଲି ମେସେଜ୍ ପାଇଥିଲେ। ସେ ସମ୍ମତି ଜଣାଇବା ମାତ୍ରେ ତାଙ୍କ ପା‌ଖକୁ ୮ଜଣ ଯୁବତୀଙ୍କ ଫଟୋ ଆସିଥିଲା। ଫଟୋଗୁଡ଼ିକ ସହ ଏସକର୍ଟ ସଂସ୍ଥାର ଭିଜିଟିଂ କାର୍ଡଟିଏ ମଧ୍ୟ ଆସିଥିଲା। ଭିଜିଟିଂ କାର୍ଡରେ ଇଣ୍ଡିଆନ୍ ଏସକର୍ଟ ସର୍ଭିସ୍‌ ସିଲିଗୁଡ଼ି, ପଶ୍ଚିମବଙ୍ଗ ବୋଲି ଲେଖାଥିଲା। ତେବେ ଭୁବନେଶ୍ବରରେ ମଧ୍ୟ ଶାଖା ଅଛି ଓ ସେବା ମିଳୁଛି ବୋଲି ମେସେଜ୍‌ରେ ଉଲ୍ଲେଖ ଥିଲା। ଇଞ୍ଜିନିୟର ରାଜି ହେବା ପରେ ସଂସ୍ଥା ପକ୍ଷରୁ ପୁରୁଣା ଭୁବନେଶ୍ବରସ୍ଥିତ ଏକ ହୋଟେଲ ମଧ୍ୟ ବୁକିଂ ହେଲା ବୋଲି ମେସେଜ୍‌ ଆସିଲା। ତେଣୁ ରେଜିଷ୍ଟ୍ରେସନ୍‌ ଫି’ ବାବଦରେ ତାଙ୍କୁ ୨୨୦୦ ଟଙ୍କା ଦାଖଲ କରିବାକୁ କୁହାଗଲା ଓ ଇଞ୍ଜିନିୟର ତୁରନ୍ତ ମେସେଜ୍‌ରେ ଥିବା ଆକାଉଣ୍ଟରେ ଟଙ୍କା ଜମା କରିଦେଲେ। ମାତ୍ର କିଛି ମିନିଟ୍‌ରେ ତାଙ୍କ ଆକାଉଣ୍ଟ ଖାଲି ହୋଇଗଲା। ଦୁଇ ଥରରେ ୯୨ ହଜାରରୁ ଅଧିକ ଟଙ୍କା ଗା‌ଏବ୍‌ ହୋଇଗଲା। ପରେ ସେ ଖୋଳତାଡ଼ କରି ଜାଣି ପାରିଲେ ଯେ କୋଲକାତାର ଏକ ଏସ୍‌ବିଆଇ ଶାଖାରେ ସୁରେଶଜୀ ଅଜମଲ୍‌ଜୀ ଠାକ୍‌ରେଙ୍କ ଆକାଉଣ୍ଟ(୩୯୦୭୪୧୦୫୭୫୯)ଙ୍କୁ ତାଙ୍କ ଟଙ୍କା ଯାଇଛି। ତୁରନ୍ତ ସେ ସାଇବର ସହାୟତା କେନ୍ଦ୍ରକୁ ଯାଇ ଅଭିଯୋଗ କରିବା ସହ ସମସ୍ତ ତଥ୍ୟ ପୁଲିସକୁ ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଏହି ଟଙ୍କା କେଉଁ କେଉଁ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଛି, ସେ ବାବଦରେ ଛାନ୍‌ଭିନ୍ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ଜମତରା ଗ୍ୟାଙ୍ଗ୍‌ ଶାଖା ଖୋଲିଛି ବୋଲି ବାରମ୍ବାର ପ୍ରଚାର କରାଯାଉଛି ଓ ଲୋକଙ୍କୁ ସଚେତନ କରାଯାଉଛି। କମିସନରେଟ୍‌ ପୁଲିସ ମଧ୍ୟ ଏକ ଟୋଲ୍‌ ଫ୍ରି ନମ୍ବର ଦେଇଛି ଓ ସନ୍ଦେହ ହେଲେ ସେଥିରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe