ଯୁକ୍ତ୨ କଳା ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ, ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢ଼ିବାରୁ ବଞ୍ଚିତ ହେବେ ମେଧାବୀ

ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ ପକ୍ଷରୁ ହେଲ୍ପ ଡେସ୍କ

The Asian Age

ଭୁବନେଶ୍ୱର : ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ(ଯୁକ୍ତ୩) ପଢ଼ିବାରୁ ବଞ୍ଚିତ ହେବେ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ। ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେଉଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମ ଲାଗି ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୩୧ ରଖାଯାଇଛି। ଏହି ସମୟ ଭିତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇପାରୁ ନ ଥିବାରୁ ଛାତ୍ରଛାତ୍ରୀ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି।

ଅଭିଯୋଗ ଅନୁଯାୟୀ, ପ୍ରତିବର୍ଷ ଓଡ଼ିଶାରୁ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ସ୍ନାତକ ଶିକ୍ଷା ଲାଭ କରିବାକୁ ଆବେଦନ କରିଥା’ନ୍ତି। ସେମାନଙ୍କ ମଧ୍ୟରୁ ଶତାଧିକ ଛାତ୍ରଛାତ୍ରୀ ନାମ ଲେଖାଇ ଉଚ୍ଚଶିକ୍ଷା ଲାଭ କରିଥାନ୍ତି। ତେବେ ଏଥର କରୋନା ପାଇଁ ସବୁ କିଛି ବିଳମ୍ବ ହୋଇଛି। ଶିକ୍ଷାବର୍ଷ ବିଳମ୍ବ ହୋଇଥିଲେ ମଧ୍ୟ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ସମେତ ଦେଶର କେତେକ ଶିକ୍ଷାନୁଷ୍ଠାନ ଇତିମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ କରିଦେଇଛନ୍ତି। ଆବେଦନ ସରିବା ସହ ପ୍ରବେଶିକା ପରୀକ୍ଷା ବି କରାଉଛନ୍ତି। ଏହି କ୍ରମରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ୟୁଜି, ପିଜି, ଡିପ୍ଲୋମା ଆଦି ପାଠ୍ୟକ୍ରମରେ ନାମଲେଖା ପାଇଁ ଅଗଷ୍ଟ ୩୧ ଆବେଦନର ଶେଷ ତାରିଖ ରହିଛି। ଏଥିସହ ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କିନ୍ତୁ ଏବେ ସୁଦ୍ଧା ଯୁକ୍ତ୨ କଳା ବିଭାଗ ପରୀକ୍ଷା ଫଳ ବାହାରି ନ ଥିବାରୁ ପିଲାମାନେ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ଅଗଷ୍ଟ ଶେଷ ସପ୍ତାହରେ ବାହାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ମଧ୍ୟ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଆଳରେ ତାହାକୁ ସେପ୍ଟେମ୍ବର ମାସରେ ବାହାର କରିବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe