ପୁରୁଣା ଭୁବନେଶ୍ବର: ଏକାମ୍ର କ୍ଷେତ୍ରରୁ ଏନ୍ଏମ୍ଏ ବାଇ-ଲ’ ପ୍ରତ୍ୟାହାର ଦାବି ଦିନକୁ ଦିନ ଜୋର୍ ଧରିବାରେ ଲାଗିଛି। ରାଜନୈତିକ ସ୍ତରରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁ ମହଲରୁ ଏହି କଟକଣା ହଟାଇବାକୁ ଦାବି କରାଯାଉଛି। ମାତ୍ର ଶ୍ରୀକ୍ଷେତ୍ରରୁ ଯେମିତି ରାତାରାତି ଏହି କଟକଣା ହଟାଇ ଦିଆଗଲା, ଏକାମ୍ର କ୍ଷେତ୍ରରେ ସେମିତି ହୋଇନାହିଁ। ଏମିତିକି କେନ୍ଦ୍ର ସଂସ୍କୃତି ବିଭାଗ ଏବେ ବି ନିରବ ରହିଛି। ଏଥିସହିତ କିଛି ବିଜେପି ନେତାଙ୍କ ବୟାନ ଏହି ତାତିକୁ ଆହୁରି ଅଧିକ ବଢ଼ାଇବା ପାଇଁ ସୁଯୋଗ ସୃଷ୍ଟି କରିଛି। ନିଆଁରେ ଘିଅ ଢ଼ାଳିବା ସ୍ଥିତି ଉପୁଜିଛି। ତେଣୁ ଆଜି ବ୍ରହ୍ମେଶ୍ବର ଅଞ୍ଚଳବାସୀ ମେଳି ବାନ୍ଧିଛନ୍ତି। ଆଗକୁ ଏହି ଆନ୍ଦୋଳନକୁ ଅଧିକ ଶାଣିତ କରିବା ପାଇଁ ଲୋକେ ଆଜି ସନ୍ଧ୍ୟାରେ ବ୍ରହ୍ମେଶ୍ବର ମନ୍ଦିର ନିକଟରେ ଶହ ଶହ ସଂଖ୍ୟାରେ ଏକାଠି ହୋଇଛନ୍ତି। ଏକ ବଡ଼ଧରଣର ଆନ୍ଦୋଳନ ପାଇଁ ଏହି ମେଳିରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଏହି ବାଇ-ଲ’ ପ୍ରତ୍ୟାହାର ଦାବି ଲାଗି ରହିଥିବାବେଳେ ବିଭିନ୍ନ ନେତାଙ୍କ ବୟାନବାଜି ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ସୃଷ୍ଟି କରିଛି। ଏହି କଟକଣା ହଟାଇବାକୁ ମିଳିତଭାବେ ଲଢ଼େଇ ନକରି ନେତାମାନେ କେବଳ ବୟାନବାଜି କରୁଥିବାରୁ ଲୋକେ ଆଉ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି। ତେଣୁ ଆଜି ମେଳିରେ ଏକ ବଡ଼ଧରଣର ନିଷ୍ପତ୍ତି ନିଆଯିବ ବୋଲି ଆଭାସ ମିଳିଛି। ଏହି ନିୟମ ଲାଗୁ ହେଲେ ଉଭୟ ମନ୍ଦିରର ୩୦୦ ମିଟର ପରିଧି ଭିତରେ ଘର କରି ରହିଥିବା ଶହ ଶହ ସ୍ଥାନୀୟ ଲୋକେ ସମସ୍ୟାରେ ପଡ଼ିବେ। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକ ପ୍ରାଧିକରଣକୁ ପତ୍ର ଲେଖାଯିବା ପରେ ଏହାର ପ୍ରତ୍ୟାହାର ନ ହେଲେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ସଭ୍ୟମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ସେବାୟତମାନେ ବିଭିନ୍ନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ଆଜି ମଧ୍ୟାହ୍ନରେ ଶ୍ରୀଶ୍ରୀଲିଙ୍ଗରାଜ ସେନା ପକ୍ଷରୁ ଜାତୀୟ ସ୍ମାରକ ପ୍ରାଧିକରଣର ମେମ୍ବର ସେକ୍ରେଟାରି, ଏଏସ୍ଆଇର ମଣ୍ଡଳ ଅଧୀକ୍ଷକ, ଏଏସ୍ଆଇ ଡିଜି, ରାଜ୍ୟ ସରକାରଙ୍କ ଆଇନ ବିଭାଗ ପ୍ରମୁଖ ସଚିବ, ସଂସ୍କୃତି ବିଭାଗ ସଚିବ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ବାହାରି ବଡ଼ୁ ନିଯୋଗର ସଭାପତି ଅଞ୍ଚଳ ବଟୁ, ସମ୍ପାଦକ କମଳା ବଡ଼ୁ, ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି, ସମର୍ଥା ନିଯୋଗର ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା, ହରିହର ସମର୍ଥା, ଦେବୀ ପ୍ରସାଦ ନନ୍ଦ, ବେଣୁଧର ପାତ୍ର, ପ୍ରସନ୍ନ ମହାସୁଆର, କୃଷ୍ଣଚନ୍ଦ୍ର ସେନାପତି, ନରେନ୍ଦ୍ର କୁମାର ମହାପାତ୍ର, ହଳଧର ମଲିଆ ଆଦି ବହୁ ସଭ୍ୟ ଏଏସ୍ଆଇ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ। ମନ୍ଦିର ଟ୍ରଷ୍ଟି ମଳୟ କୁମାର ମହାପାତ୍ର କହିଛନ୍ତି ଯେ ଶ୍ରୀକ୍ଷେତ୍ରରେ ପ୍ରଚଣ୍ଡ ବିରୋଧ ଯୋଗୁ ୨୪ ଘଣ୍ଟା ଭିତରେ ଶ୍ରୀମନ୍ଦିର ପାଇଁ ଜାରି ଏନ୍ଏମ୍ଏ ବାଇ-ଲ’ ହଟିଗଲା। ମାତ୍ର ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏହି କଟକଣା ବଳବତ୍ତର ରହିଛି।
ଏଣେ ଏହି ଦାବିକୁ ନେଇ କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନକୁ ଜୋର୍ଦାର କରାଯାଇଛି। ବିଧାୟକ ସୁରେଶ କୁମାର ରାଉତରାୟ, ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ନେତ୍ରୀ ରଶ୍ମୀ ମହାପାତ୍ରଙ୍କ ନେତୃତ୍ବରେ ଏକ ଦସ୍ତଖତ ଅଭିଯାନ ଗାଡ଼ି ବୁଲିବୁଲି ସ୍ବାକ୍ଷର ସଂଗ୍ରହ କରୁଛି। ଏହି ଦସ୍ତଖତ ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକ ପ୍ରାଧିକରଣକୁ ପଠାଯିବ ବୋଲି କୁହାଯାଇଛି।
Follow Us