ଜୟଦେବ ବିହାର ନନ୍ଦନକାନନ ସମାନ୍ତରାଳ ରାସ୍ତା ପାଇଁ ଉଚ୍ଛେଦ : ଭଙ୍ଗା ହେଲା ୧୭ଘର, ୨୭ ଦୋକାନ

Advertisment
ଜୟଦେବ ବିହାର ନନ୍ଦନକାନନ ସମାନ୍ତରାଳ ରାସ୍ତା ପାଇଁ ଉଚ୍ଛେଦ : ଭଙ୍ଗା ହେଲା ୧୭ଘର, ୨୭ ଦୋକାନ

ଭୁବନେଶ୍ୱର : ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଦେଖାଯାଉଥିବା ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏହାର ଦୁଇ ପାର୍ଶ୍ୱରେ ଦୁଇଟି ସମାନ୍ତରାଳ ରାସ୍ତା ନିର୍ମାଣ ହେଉଛି। ହେଲେ ବାମ ପାର୍ଶ୍ୱ ରାସ୍ତା ପାଇଁ ଜଙ୍ଗଲ କିସମ ଜମି ବାଧକ ସାଜିଥିବା ବେଳେ ଦକ୍ଷିଣ ପାର୍ଶ୍ୱ ରାସ୍ତା ପାଇଁ ଜବରଦଖଲ ସମସ୍ୟା ସାଜିଛି। ଏହି ଜବରଦଖଲ ହଟାଇବା ପାଇଁ ବିଡିଏ ଓ ବିଏମ୍‌ସି ପକ୍ଷରୁ ଆଜିଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସୈନିକ ସ୍କୁଲରୁ ଡମଣା ଛକ ପର୍ଯ୍ୟନ୍ତ ଦକ୍ଷିଣ ପାର୍ଶ୍ୱ ରାସ୍ତା ଯିବାକୁ ଥିବା ବେଳେ ଆଜି ସୈନିକ ସ୍କୁଲ ପାର୍ଶ୍ୱରୁ ଉଚ୍ଛେଦ ହୋଇଛି। ୧୭ଟି ଘର ଏବଂ ୨୭ଟି ଦୋକାନ ଉଚ୍ଛେଦ ହୋଇଥିବା ବେଳେ ଏଥିରେ ୧୬ଟି ଆଜବେଷ୍ଟସ୍‌ ଘର, ୫୦୦ ବର୍ଗଫୁଟରେ ଥିବା ଗୋଟିଏ ଛାତ ଘର, ୧୯ଟି କ୍ୟାବିନ୍‌, ତିନିଟି ଚା’ ଦୋକାନ, ତିନିଟି ଉଠା ଦୋକାନ, ଦୁଇଟି ବାଉଁଶ ପଲିଥିନ୍‌ ଦୋକାନ, ୧୬୦ଫୁଟର ପାଚେରି ରହିଛି। ସହିଦନଗର ଥାନା ପୁଲିସ ଉପସ୍ଥିତିରେ ତିନିଟି ଏକ୍ସକାଭେଟର୍‌ ଦ୍ୱାରା ଏହି ଉଚ୍ଛେଦ କରାଯାଇଥିଲା। ଏହି ଅଞ୍ଚଳରୁ ଉଚ୍ଛେଦ ପାଇଁ ବିଡିଏ ଅଧିକାରୀମାନେ ଗତ ଅକ୍ଟୋବର ୧୩ ତାରିଖରେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେଇଥିଲେ। ସେହିପରି ଶୈଳଶ୍ରୀ ବିହାରରୁ ଏକାମ୍ର କାନନ ଦେଇ ବାମ ପାର୍ଶ୍ୱ ରାସ୍ତା ଆସୁଥିବା ବେଳେ ଏହି ରାସ୍ତା କାର୍ଯ୍ୟରେ ଏବେ ଜଙ୍ଗଲ କିସମ ଜମି ବାଧକ ସାଜିଛି। ଏହି ଜମିରେ ରାସ୍ତା ନିର୍ମାଣ ପାଇଁ ପରିବେଶ ଅନୁମତିର ଆବଶ୍ୟକତା ଥିବାରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଡିଏ ପକ୍ଷରୁ କୁହାଯାଇଛି।

ବସ୍‌ ସେଲ୍ଟର ପାଇଁ ଶାସ୍ତ୍ରୀନଗରରେ ଉଚ୍ଛେଦ

ହକି ବିଶ୍ୱକପ୍‌ ପାଇଁ ସିଟି ବସ୍‌ ଭିତ୍ତିଭୂମି ସୁଦୃଢ଼ କରାଯାଉଥିବା ବେଳେ ଶାସ୍ତ୍ରୀନଗର ନିକଟରେ ଏକ ବସ୍‌ ସେଲ୍ଟର ନିର୍ମାଣ ହେବ। ଏଥିପାଇଁ ଆଜି ଶାସ୍ତ୍ରୀ ନଗରରୁ ଦି ଓ୍ଵାର୍ଲଡ ମଧ୍ୟରେ ରାସ୍ତା କଡ଼ରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଏଥିରେ ୧୧ଟି ହୋର୍ଡିଂ, ୮ଟି ଝୁମ୍ପୁଡ଼ି ଘର, ୫ଟି ଟିଣ ଘର, ଦୁଇଟି ଛୋଟ ଘର ଉଚ୍ଛେଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe