ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଉଚ୍ଛେଦ ବେଳେ ଉତ୍ତେଜନା

Advertisment
ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ବର: ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପାଖ ପାପନାଶିନୀ ପୁଷ୍କରିଣୀ ନିକଟସ୍ଥ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ଜମିରେ ଥିବା ଏକ ପୁରୁଣା କୋଠାକୁ ଉଚ୍ଛେଦ କରାଯାଇଛି। ତେବେ ଉକ୍ତ କୋଠାରେ ଦୀର୍ଘ ୬୦ ବର୍ଷ ହେଲା ରହି ଆସୁଥିବା ଏକ ପରିବାରକୁ କୌଣସି କ୍ଷତିପୂରଣ ଦିଆଯାଇନାହିଁ। ତେଣୁ ଆଜି ଉଚ୍ଛେଦବେଳେ ଉକ୍ତ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦେବାକୁ ମନା କରାଯାଇଥିଲା। ତେଣୁ ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶେଷରେ ଉକ୍ତ ପରିବାରକୁ ବୁଝାଶୁଝା କରି ହଟାଇବା ପରେ କୋଠାକୁ ଭାଙ୍ଗି ଦିଆଯାଇଥିଲା।

ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ଆଜି ପୂର୍ବାହ୍ନରେ ଏହି ପୁରୁଣା ଘରକୁ ଉଚ୍ଛେଦ କରିବାକୁ ଯିବାବେଳେ ପ୍ରତିବାଦ ହୋଇଥିଲା। ଏଏସ୍‌ଆଇର ଏହି ଜମିରେ ଘର କରି ରହୁଥିବା ଜନ୍ମେଜେୟ କର ସେଠାରେ ଦୀର୍ଘ ୬୦ ବର୍ଷ ଦଖଲରେ ଥିବା ଦାବି କରି କ୍ଷତିପୂରଣ ମାଗିଥିଲେ। କିନ୍ତୁ ଜମି ମାଲିକ ନ ହୋଇ ଜବରଦଖଲରେ ଥିବାରୁ ଶ୍ରୀକରଙ୍କୁ କ୍ଷତିପୂରଣ ଦେବା ପାଇଁ ବିଧିବ୍ୟବସ୍ଥା ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ଏମିତି ଆଲୋଚନା ଚାଲିଥିବାବେଳେ ଶ୍ରୀ କରଙ୍କ ପରିବାର ସମର୍ଥନରେ ଏକାମ୍ର ଜନ ଜାଗରଣ ମଞ୍ଚ ବାହାରିଥିଲା। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଓ ସଭ୍ୟମାନେ ଶ୍ରୀକରଙ୍କୁ କ୍ଷତିପୂରଣ ବାବଦରେ ୧୨ଲକ୍ଷ ଟଙ୍କା ଦିଆଯାଉ ବୋଲି ଦାବି କରିଥିଲେ ଓ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଥିଲେ। ତେଣୁ ଉତ୍ତେଜନା କାରଣରୁ କିଛି ସମୟ ପାଇଁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିଲା। ପରେ ସ୍ଥାନୀୟ ମୁରବି ଓ ବିଏମ୍‌ସିର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେଲା ଓ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶ୍ରୀ କରଙ୍କ ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ କହିଥିଲେ। ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ, ବିଏମ୍‌ସି ଅତିରିକ୍ତ କମିଶନର ଶ୍ରୀ ପଟ୍ଟନାୟକ ଓ ଡେପୁଟି କମିସନର କମଲଜିତ ଦାସ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏଏସ୍ଆଇ ଅଧୀନରେ ଥିବା ଏହି ଜମିରୁ ଜବର ଦଖଲ ହଟାଇବା ପାଇଁ ଏଏସ୍ଆଇ ବିଏମ୍‌ସିକୁ ଚିଠି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe