ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ। ଆଜି ଗୋଟିଏ ଦିନରେ ୮ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଓ୍ଵାର୍ଡରେ ଯେତିକି ଶଯ୍ୟା ରହିଛି, ତା’ଠାରୁ ଅଧିକ ସଂଖ୍ୟକ ରୋଗୀ ଆଡମିଟ୍ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉ ଥିଲେ ହେଁ କୌଣସି ପ୍ରଭାବ ପଡ଼ୁନାହିଁ। କ୍ୟାପିଟାଲ ହସ୍ପିଟାଲର ଡେଙ୍ଗୁ ଓ୍ଵାର୍ଡରେ ଆକ୍ରାନ୍ତଙ୍କ ପାଇଁ ୧୦ଟି ଶଯ୍ୟା ସଂରକ୍ଷିତ ରଖାଯାଇଥିଲା। ତେବେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ହସ୍ପିଟାଲ କର୍ତୃପକ୍ଷ ଏହାକୁ ୧୫କୁ ବୃଦ୍ଧି କରିଥିଲେ। ମାତ୍ର ଏହି ଶଯ୍ୟା ମଧ୍ୟ ଆକ୍ରାନ୍ତଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ଏବେ ହସ୍ପିଟାଲର ଡେଙ୍ଗୁ ଓ୍ଵାର୍ଡରେ ୨୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଏହା ବ୍ୟତୀତ ଅନେକ ଆକ୍ରାନ୍ତ ମଧ୍ୟ ହସ୍ପିଟାଲରେ ଆଡମିଟ୍ ପାଇଁ ଅପେକ୍ଷା କରିଛନ୍ତି। ମାତ୍ର ସେମାନଙ୍କୁ ଶଯ୍ୟା ମିଳୁନାହିଁ। ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ଡେଙ୍ଗୁ ଓ୍ଵାର୍ଡରେ ଜାଗା ନ ଥିବାରୁ ହସ୍ପିଟାଲ କର୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। ଅପରପକ୍ଷେ ଚଳିତବର୍ଷ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲା ରେକର୍ଡକୁ ଭାଙ୍ଗି ଦେଇଛି। ରାଜ୍ୟର ଜିଲ୍ଲାଗୁଡ଼ିକରେ ଆଜି ପର୍ଯ୍ୟନ୍ତ ଯେତିକି ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ରୋଗୀ କେବଳ ରାଜଧାନୀରେ ଚିହ୍ନଟ ହୋଇଛନ୍ତି। ବିଶେଷକରି ନୂଆପଲ୍ଲୀ ଓ ଆଇଆରସି ଅଞ୍ଚଳରୁ ବହୁ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ଯେତିକି ଶଯ୍ୟା ରଖାଯାଇଥିଲା ତାଠାରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଏବେ ଆଡମିଟ୍ ହୋଇଛନ୍ତି। ଚଟାଣରେ ରହିବାକୁ ସେମାନେ ବାଧ୍ୟ ହେଉଛନ୍ତି। ୫୦ହଜାରରୁ କମ୍ ପ୍ଲାଟଲେଟ୍ ରହିଥିବା ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ଆଡମିସନ୍ର ଆବଶ୍ୟକତା ରହିଛି। ମାତ୍ର ଯେଉଁ ବ୍ୟକ୍ତିମାନଙ୍କର ଡେଙ୍ଗୁ ପଜିଟିଭ ଆସୁଛି ସମସ୍ତେ ଆଡମିସନ୍ କରିବା ପାଇଁ ଚାହୁଁଛନ୍ତି। ଫଳରେ ଯେଉଁ ଡେଙ୍ଗୁ ଆକ୍ରାନ୍ତଙ୍କୁ ପ୍ରକୃତରେ ଶଯ୍ୟାର ଆବଶ୍ୟକତା ରହିଛି ତାଙ୍କୁ ମିଳୁ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us