ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଖୋର୍ଦ୍ଧା ଡିଇଓଙ୍କ ନିର୍ଦ୍ଦେଶ, ୟୁନିଫର୍ମ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ

ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଖୋର୍ଦ୍ଧା ଡିଇଓଙ୍କ ନିର୍ଦ୍ଦେଶ, ୟୁନିଫର୍ମ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ

representational immage - Odisha Bytes Odisha Bytes

ଭୁବନେଶ୍ବର: ଶିକ୍ଷକ ଶିକ୍ଷୟିତ୍ରୀମାନେ ୟୁନିଫର୍ମ ନ ପିନ୍ଧିଲେ, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ନିର୍ଦ୍ଦେଶକ୍ରମେ କେତେକ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। କେତେଜଣ ବିଇଓ ଶିକ୍ଷକମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିବା ସହ କାର୍ଯ୍ୟାନୁଷ୍ଠାନ ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଗୋଟିଏପଟେ, ୩ ଦଫା ଦାବି ପୂରଣ ନେଇ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଡ୍ରେସ୍‌କୋଡ୍‌ ବର୍ଜନ କରିଥିବା ବେଳେ ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲା ଡିଇଓଙ୍କ ନିର୍ଦ୍ଦେଶକ୍ରମେ ବିଇଓମାନଙ୍କ ଏଭଳି ନିର୍ଦ୍ଦେଶନାମାକୁ ନେଇ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

ଛାତ୍ରଛାତ୍ରୀ ପିନ୍ଧୁଛନ୍ତି, ତୁମେ ପିନ୍ଧ: ଜଟଣୀ ବିଇଓ
ଡ୍ରେସ୍‌କୋଡ୍‌ ପାଇଁ ଭତ୍ତା ଦିଅ: ଶିକ୍ଷକ-ଶିକ୍ଷୟିତ୍ରୀ

ଗତକାଲି ଜଟଣୀ ବ୍ଲକ ବିଇଓ ଜାରି କରିଥିବା ଏକ ନିର୍ଦ୍ଦେଶନାମାରେ କହିଛନ୍ତି ଯେ ମାର୍ଚ୍ଚ ୨୩ରେ ଖୋର୍ଦ୍ଧା ଜିଲ୍ଲା ଡିଇଓ ଜଟଣୀ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ। କେତେଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଡ୍ରେସ୍‌କୋଡ୍‌ ପିନ୍ଧି ନଥିଲେ। ତେଣୁ ସେମାନେ ରାଜ୍ୟ ସରକାରଙ୍କ ଅପିଲ୍‌କୁ କେତେଜଣ ପାଳନ କରୁନାହାନ୍ତି। ତେଣୁ ଅପିଲ୍‌କୁ ପାଳନ କରିବାକୁ ଖୋର୍ଦ୍ଧା ଡିଇଓ ନିର୍ଦ୍ଦେଶ ଦେଇଥିବା ନେଇ ବିଇଓ ଚିଠିରେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଘୋର୍‌ ବିରୋଧ କରିଛନ୍ତି।

ସେମାନଙ୍କ କହିବା କଥା, ୟୁନିଫର୍ମ ପିନ୍ଧିବା ନେଇ କୌଣସି ବାଧ୍ୟବାଧକତା ନାହିଁ। ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣଶିକ୍ଷା ବିଭାଗ ସଚିବ ଥିବା ସମୟରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ। ସେ ସମୟରେ ଶିକ୍ଷକ/ଶିକ୍ଷୟିତ୍ରୀ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧି ବିଦ୍ୟାଳୟ ଆସୁଥିଲେ। ତେଣୁ କ୍ୟାମ୍ପସରେ ଅସମାନତା ସୃଷ୍ଟି ହେଉଥିଲା। ତାହାକୁ ଦୂର କରିବା ପାଇଁ ଜଣେ ଶିକ୍ଷୟିତ୍ରୀ ତତ୍‌କାଳୀନ ସଚିବ ଶ୍ରୀମତୀ ଷଡ଼ଙ୍ଗୀଙ୍କ ନିକଟରେ ଅଭିଯୋଗ କରିଥିଲେ। ପୋଷାକର ଗୁରୁତ୍ବକୁ ଚିନ୍ତା କରି ୟୁନିଫର୍ମ ଲାଗୁ କରିବା ସମ୍ପର୍କରେ ପ୍ରାଥମିକ ଶିକ୍ଷକ ସଂଘ ସହ ସଚିବ ଆଲୋଚନା କରିଥିଲେ ଏବଂ ସମାନତା ରକ୍ଷା କରିବା ପାଇଁ ୟୁନିଫର୍ମ ପିନ୍ଧିବାକୁ ଅପିଲ୍‌ କରିଥିଲେ। ଏନେଇ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନ ଥିଲା।

୨୦୧୦ ସେପ୍ଟେମ୍ବର ୧୫ରୁ ଡ୍ରେସ୍‌କୋଡ୍‌ ପ୍ରଚଳିତ ହୋଇଆସୁଛି। ଏଥିପାଇଁ କୌଣସି ଭତ୍ତା ପ୍ରଦାନ କରାଯାଉନାହିଁ। ଶିକ୍ଷକମାନେ ନିଜ ହାତରୁ ପଇସା ଦେଇ ଡ୍ରେସ୍‌କୋଡ୍‌ ତିଆରି କରୁଛନ୍ତି। ଯେତେବେଳେ କି ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟରତ ଆଶା, ଅଙ୍ଗନବାଡ଼ି ଦିଦିଙ୍କ ୟୁନିଫର୍ମ ଲାଗି ଭତ୍ତା ଦିଆଯାଉଛି। ୟୁନିଫର୍ମ ଲାଗି ଭତ୍ତା ପ୍ରଦାନ ନେଇ ୨୦୧୬ରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଉତ୍ତର ଦିଆଯାଇଥିଲା ଯେ ଏହା ରାଜ୍ୟ ସରକାରଙ୍କ ଏକ ଅପିଲ୍। ଏହା ଉପରେ କୌଣସି ଭତ୍ତା ଦିଆଯିବ ନାହିଁ। ଯେହେତୁ ଭତ୍ତା ମିଳୁନାହିଁ, ତେଣୁ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଆମେ ପିନ୍ଧୁଥିବା ୟୁନିଫର୍ମକୁ ବର୍ଜନ କରାଯାଇଛି। ଅନ୍ୟ ଜିଲ୍ଲାରେ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe