ଦେଶୀ ଠକ, ପାକିସ୍ତାନୀ କଲ୍‌: ସାବଧାନ! ହ୍ବାଟସ୍‌ଆପ୍‌ରେ କଲ୍‌ କରେନି ପୁଲିସ

Advertisment

ନିଶାଣରେ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ

ନିଶାଣରେ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ

ଭାଇ-ଭଉଣୀଙ୍କ ସମ୍ପର୍କ ଉପରେ ଅଛି ସାଇବର ଠକଙ୍କ ନଜର

ଭୁବନେଶ୍ବର: ସେୟାର୍‌ ଟ୍ରେଡିଂ ମାୟାଜାଲରେ ପ୍ରଲୋଭିତ କରି ସାଇବର ଠକମାନେ ବଡ଼ବଡ଼ିଆଙ୍କୁ ଲୁଟୁଛନ୍ତି। ଆଉ କିଛି ଠକ ଇଡି, ସିବିଆଇ ଓ ନାର୍କୋଟିକ୍‌ସ ଅଧିକାରୀ ପରିଚୟରେ ଡିଜିଟାଲ୍‌ ଆରେଷ୍ଟ କରାଇ ପ୍ରତିଷ୍ଠିତ ଲୋକଙ୍କୁ ଚୂନ ଲଗାଉଛନ୍ତି। ଏମିତିରେ ବିଭିନ୍ନ ବ୍ୟବସାୟ, ଋଣ, ବିଭିନ୍ନ ବିଲ୍‌, ରେକର୍ଡପତ୍ର ଓ ଆକାଉଣ୍ଟ ଅପ୍‌ଡେଟ୍‌ କରାଇବା ବାହାନାରେ ବି ଛୋଟଛୋଟ ସାଇବର ଠକେଇ ନିତିଦିନିଆ ଘଟଣା ହୋଇଗଲାଣି। ବିଶେଷଜ୍ଞ ଓ ସାଇବର ଥାନା ପୁଲିସ ସୂଚନାନୁସାରେ ଏସବୁ ଠକେଇଠାରୁ ଭୟଙ୍କର ହେଉଛି ବ୍ଲାକ୍‌ମେଲିଂ। ଏବେ ୯୨ କୋଡ୍‌ରେ ପାକିସ୍ତାନରୁ ଆସୁଥିବା କଲ୍‌ ପ୍ରତି ସାବଧାନ ହେବା ଜରୁରି। ଏମିତି କଲ୍‌ ଆସୁଥିଲେ, ତାହା ପାକିସ୍ତାନରୁ ଆସିଛି ବୋଲି ବୁଝିବା ଉଚିତ। ଏଥିପ୍ରତି ସଚେତନ ଥିଲେ ହିଁ ବଡ଼ଧରଣର ଠକେଇରୁ ବର୍ତ୍ତିବା ସମ୍ଭବ। ଏହି ଗ୍ୟାଙ୍ଗ୍‌ ବାହାରରେ ଉଚ୍ଚ ଶିକ୍ଷା କରୁଥିବା, କୋଚିଂ ନେଉଥିବା ବା ନୂଆନୂଆ ଚାକିରି କରିଥିବା ଯୁବକ ଯୁବତୀଙ୍କ ଅଭିଭାବକମାନଙ୍କୁ ଟ‌ାର୍ଗେଟ୍‌ କରୁଥିବା ନଜରକୁ ଆସିଲାଣି।

ସାଇବର ବିଶେଷଜ୍ଞଙ୍କ କହିବା କଥା ପ୍ରଥମତଃ ୯୨ କୋଡ୍‌ରେ କୌଣସି ଫୋନ୍‌ କଲ୍‌ ଆସିଲେ, ବୁଝିବା ଉଚିତ ଯେ ତାହା ପାକିସ୍ତାନରୁ ଆସିଛି। ତେଣୁ ସେଭଳି କଲ୍‌କୁ ଗ୍ରହଣ କରିବା ଉଚିତ ନୁହେଁ। ସେଭଳି କଲ୍‌ ସିଧାସଳଖ ଆସୁ କି ହ୍ବାଟ୍‌ସଆପ୍‌ରେ ଆସୁ, ତାହାକୁ ଏଡ଼ାଇଯିବା ଉଚିତ ଏବଂ ତୁରନ୍ତ ସେଭଳି ନମ୍ବର ବାବଦରେ ପୁଲିସକୁ ଜଣାଇବା ଦରକାର। ତଦନ୍ତରୁ ଜଣାପଡ଼ିଛି ଯେ ପାକିସ୍ତାନ ନମ୍ବରରେ ଏଭଳି କଲ୍‌ କରୁଥିବା ଠକ କିନ୍ତୁ ବସିଛି ଭାରତରେ। ପାକିସ୍ତାନୀ ଏଜେଣ୍ଟଙ୍କଠାରୁ ନମ୍ବର୍‌ ହାତେଇବା ପରେ ଭାରତର ବିଭିନ୍ନ ସହରରେ ଆଡ଼ା ଜମାଇଥିବା ସାଇବର ଠକ ଏଭଳି ଧନ୍ଦା ଚଳାଇଛନ୍ତି। ସେମାନେ ମୁଖ୍ୟତଃ ଉଚ୍ଚଶିକ୍ଷା କରୁଥିବା ଓ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କ ଅଭିବାବକଙ୍କୁ ନିଶାଣରେ ରଖୁଛନ୍ତି। ସେହିଭଳି ବିଭିନ୍ନ ଆଇଟି ସେକ୍ଟରରେ କାମ କରୁଥିବା ଯୁବକଙ୍କୁ ମଧ୍ୟ ଟାର୍ଗେଟ୍‌ କରୁଛନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନର ଡାଟାବେସ୍‌ରୁ ସେମାନେ ଛାତ୍ରଛାତ୍ରୀମାନଙ୍କ ତଥ୍ୟ ସଂଗ୍ରହ କରି ନେଉଛନ୍ତି।

ଛାତ୍ରଛାତ୍ରୀମାନେ ସମସ୍ୟାରେ ପଡ଼ିଥିବା କହି ସାଇବର ଠକମାନେ ଅଭିଭାବକଙ୍କୁ ବ୍ଲାକ୍‌ମେଲ୍‌ କରୁଛନ୍ତି। ବ୍ଲାକ୍‌ମେଲ୍‌ କରିବାକୁ ସେମାନେ ବିଭିନ୍ନ ସଂଗିନ୍‌ ମାମଲାର ସାହାରା ନେଉଛନ୍ତି। କେତେବେଳେ ପୁଅ ଦୁଷ୍କର୍ମ ମାମଲାରେ ଫସିଛି, କେତେବେଳେ ପୁଅ ଡ୍ରଗ୍‌ସ କାରବାରରେ ଧରାପଡ଼ିଛି, କେତେବେଳେ ଝିଅ ହନିଟ୍ରାପ୍‌ ମାମଲାରେ ପଡ଼ିଛି, କେତେବେଳେ ଝିଅ ରେଭ୍‌ ପାର୍ଟିରେ ଧରାହୋଇଛି ବୋଲି କହି ସାଇବର ଠକ ଅଭିଭାବକଙ୍କୁ ଫୋନ୍‌ କରୁଛନ୍ତି। ସେମାନେ ଦିଲ୍ଲୀ ପୁଲିସ, ମୁମ୍ବାଇ ପୁଲିସ, ସିବିଆଇ, ସିଆଇଡି ଭଳି ତଦନ୍ତକାରୀ ସଂସ୍ଥା ନାଁରେ ଫୋନ୍‌ କରି ବ୍ଲାକ୍‌ମେଲ୍‌ କରୁଛନ୍ତି। କେବଳ ସେତିକି ନୁହେଁ, ସେମାନେ ହ୍ବାଟ୍‌ସଆପ୍‌ରେ ମଧ୍ୟ ଭିଡିଓ କଲ୍‌ କରୁଛନ୍ତି। ପୁଲିସ ପୋଷାକରେ ସେମାନେ ବେଶ୍ ଡରାଇ ପାରୁଛନ୍ତି। କଥା ଏତିକିରେ ସରୁନାହିଁ। ଟାର୍ଗେଟ୍‌ରେ ଥିବା ଅଭିଭାବକଙ୍କୁ ଅଧିକ ଭୟଭୀତ କରାଇବାକୁ ସେମାନେ ପିଲା ସେମାନଙ୍କ ନିକଟରେ ବନ୍ଧକ ବା ଅଟକ ଅଛି ବୋଲି କହୁଛନ୍ତି। ଏମିତିକି ପିଲାର କୋହଭରା ସ୍ବର( ମୋତେ ମାମଲାରୁ ବଞ୍ଚାନ୍ତୁ) ଶୁଣାଇ ଦେଉଛନ୍ତି। ଅଭିଭାବକ ଭୟ କରି ମାମଲାର ରଫାଦଫା କରିବାକୁ ରାଜି ହେଉଛନ୍ତି ଏବଂ ଦାବି ମୁତାବକ ଟଙ୍କା ଗଣିବାକୁ ବାଧ୍ୟ ହେଉଛନ୍ତି। ସାଇବର ଥାନା ପୁଲିସ କହିବା କଥା, ଲୋକେ ପ୍ରଥମତଃ ବୁଝିବା କଥା ଯେ ପୁଲିସ କେବେ ହ୍ବାଟସ୍‌ଆପ୍‌ରେ ଭିଡିଓ କଲ୍ କରିବା ନିୟମ ନାହିଁ। ତେଣୁ ଏଭଳି କଲ୍‌ ଆସିଲେ କେହି ଭୟ ନକରି ତୁରନ୍ତ ପୁଲିସରେ ଜଣାଇବା ଜରୁରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe