ଆଧୁନିକ ପାର୍କିଂ ବ୍ୟବସ୍ଥା ଲୋଡ଼ା

Advertisment
ଆଧୁନିକ ପାର୍କିଂ ବ୍ୟବସ୍ଥା ଲୋଡ଼ା

ଭୁବନେଶ୍ୱର: ନୂଆପଲ୍ଲୀରେ ଇନ୍ଦ୍ରଧନୁ ମାର୍କେଟ ନିର୍ମାଣ ହେବା ସମୟରେ ଏହାର ଚାରିକଡ଼େ ଥିବା ହୋଟେଲ, କଲ୍ୟାଣ ମଣ୍ଡପ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନକୁ ନଜରରେ ରଖି ଏନ୍‌-୫ ଅଞ୍ଚଳରେ ୧.୨ଏକରର ଖାଲି ଜାଗା ଛଡ଼ା ଯାଇଥିଲା। ବିଡିଏ ମାଷ୍ଟର୍‌ପ୍ଲାନ୍‌ରେ ଏହି ଅଞ୍ଚଳଟି ‘ଓପନ୍‌ ସ୍ପେସ୍‌’ ଥିଲା। ଭବିଷ୍ୟତର ଭିଡ଼କୁ ନଜରରେ ରଖି ଏହାକୁ ପାର୍କିଂ ପାଇଁ ସଂରକ୍ଷିତ ରହିବ ବୋଲି କୁହାଯାଇଥିଲା। କିନ୍ତୁ ସମୟ ଗଡ଼ିବା ସହ ସରକାରୀ ବାବୁମାନଙ୍କର ମତିଗତି ବଦଳିଗଲା। ଏବେ ସେହି ଖୋଲା ସ୍ଥାନଟି ଉପରେ ସମସ୍ତଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ପାର୍କିଂ ପାଇଁ ସଂରକ୍ଷିତ ଥିବା ଜମିରେ ତାରକା ହୋଟେଲ୍‌ ନିର୍ମାଣ କରିବାକୁ ବିଡିଏ ଯୋଜନା କରିଛି। ଏନେଇ ବି ଟେଣ୍ଡର୍‌ ଆହ୍ଵାନ ହୋଇଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା ନକରି/କୌଣସି ବିକଳ୍ପ ବ୍ୟବସ୍ଥା ନକରି ବିଡିଏ କର୍ତୃପକ୍ଷ ମନଇଚ୍ଛା ନିଷ୍ପତ୍ତି ନେଇଯାଇଥିବାରୁ ଆଇଆର୍‌ସି ଭିଲେଜ୍‌ ଏନ୍‌-୫ ଅଞ୍ଚଳରେ ଏବେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି। ରାତି ପାହିଲେ ଘର ଚାରିପଟେ ମାଳମାଳ ଗାଡ଼ି ଧାଡ଼ି ହୋଇ ରହିଯାଉଛି। ଘରୁ ବାହାରକୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଯେଉଁ ଆଡ଼େ ଦେଖିବ ସେପଟେ ଗାଡ଼ିର ଲମ୍ବା ଲାଇନ୍‌। ଗାଡ଼ି ବୁଲାଇବାକୁ ବି ଇଞ୍ଚେ ଯାଗା ବି ନାହିଁ। ବାହାରକୁ ଯିବାକୁ ହେଲେ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଘରୁ ବାହାରିବା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ୧୦ ଥର ଭାବିବାକୁ ପଡ଼ୁଛି । ରାଜଧାନୀର ଭିଭିଆଇପି ଅଞ୍ଚଳ କୁହାଯାଉଥିବା ନୂଆପଲ୍ଲୀ ଏନ୍‌-୫ ବାସିନ୍ଦା ଏଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳର ପାର୍କିଂ ଓ ଖେଳ ପଡ଼ିଆ ଭାବେ ବ୍ୟବହାର କରାଯାଉ ଥିବା ସ୍ଥାନରେ ଏକ ହୋଟେଲ୍‌ ନିର୍ମାଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବୋଝ ଉପରେ ଲଳିତା ବିଡ଼ା ପରିସ୍ଥିତି ହୋଇଛି। ଏହି ଅଞ୍ଚଳରେ ରହୁଥିବା ୬୦୦ରୁ ଅଧିକ ଘର, ନିକଟରେ ଥିବା ବସ୍ତି ବାସିନ୍ଦାକୁ ମିଶାଇ ପ୍ରାୟ ୬ହଜାର ଲୋକ ଏବେ ଏକ ପ୍ରକାର ଦୁଶ୍ଚିନ୍ତାରେ ପଡ଼ିଯାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ଜୁପିଟର୍‌ କଲେଜ ପଛପଟେ ବିଡିଏ ମାଷ୍ଟର ପ୍ଲାନ୍‌ରେ ଥିବା ‘ଓପନ୍‌ ସ୍ପେସ୍‌’ ସ୍ଥାନରେ ୫୦ କୋଠରୀ ବିଶିଷ୍ଟ ଏକ ତାରକା ହୋଟେଲ ନିର୍ମାଣ ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି। ଏନେଇ କିଛିଦିନ ତଳେ ଇ- ନିଲାମି ବିଜ୍ଞାପନ ନଂ ୪୫୩ ଏ/ବିଡିଏ ଜରିଆରେ ସର୍ବସାଧାରଣରେ ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋଙ୍କ ଉପରେ ଚଡ଼କ ପଡ଼ିଛି। କାରଣ ସ୍ଥାନୀୟ ଅଞ୍ଚଳରେ ଇନ୍ଦ୍ରଧନୁ ମାର୍କେଟ ପରି ଏକ ବଡ଼ ହାଟ, ପ୍ରାୟ ୫ଟି ହୋଟେଲ, ୫ଟି ବ୍ୟାଙ୍କ, ୩ଟି କଲ୍ୟାଣ ମଣ୍ଡପ, ହସ୍‌ପିଟାଲ, ଥାନା, ବିଗ୍‌ବଜାର, ବିଶାଲ ଓ ରିଲାଏନ୍ସ ଭଳି ବଡ଼ ବଡ଼ ସପିଂ ମଲ ଯୋଗୁଁ ସକାଳୁ ସଞ୍ଜ ଯାଏ ନାହିଁ ନଥିବା ଭିଡ଼ ଜମୁଛି। ଏପଟେ ଓପନ୍‌ ସ୍ପେସ୍‌କୁ ପାର୍କିଂ ଅଞ୍ଚଳ ଭାବେ ବ୍ୟବହାର ନକରି ଏଠାରେ ଆଉ ଏକ ହୋଟେଲ ନିର୍ମାଣ କରିବା କେଉଁ ପ୍ରକାରର ଯୋଜନା ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି। ଯଦି କିଛି ବିଡିଏ ନିର୍ମାଣ କରିବାକୁ ଚାହୁଁଛି ତେବେ ବହୁତଳ କାର୍‌ ପାର୍କିଂ ନିର୍ମାଣ କରୁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ତାରକା ହୋଟେଲ ନେଇ ବିଜ୍ଞପ୍ତିକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା କର୍ପୋରେଟର୍‌ଙ୍କଠାରୁ ଆରମ୍ଭ କରି ମେୟର, ବିଧାୟକ, ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବ, ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। କିନ୍ତୁ କିଛି ପଦକ୍ଷେପ ନିଆଯାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe