ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଧବଳାହାର ଗ୍ରାମସ୍ଥିତ ନିମାପଡ଼ା ବ୍ରାଞ୍ଚ କେନାଲ ଉପରେ ନିର୍ମିତ ଅଣଓସାରିଆ ବ୍ରିଜ୍ ଏବେ ମରଣଯନ୍ତା ପାଲଟିଛି। ଦୀର୍ଘ ବର୍ଷ ତଳେ ନିର୍ମିତ ହୋଇଥିବା ବ୍ରିଜ୍ର ଉଭୟ ପାର୍ଶ୍ୱରେ କଂକ୍ରିଟ ବାଡ଼ ନିର୍ମାଣ ହୋଇ ନଥିବାରୁ ବ୍ରିଜ ତଳକୁ ଖସି ଅନେକ ଗୃହପାଳିତ ପଶୁ ମୃତାହତ ହୋଇଛନ୍ତି। ଏଥିସହିତ ଅଧିକାଂଶ ସମୟରେ ଗ୍ରାମର ଛୋଟଛୋଟ ପିଲାମାନେ ଦୌଡ଼କୁଦ କରିବା ସମୟରେ ବ୍ରିଜ୍ ତଳକୁ ଖସିପଡ଼ି ସେମାନଙ୍କର ହାତଗୋଡ଼ ଭାଙ୍ଗିଯିବା ସହ ଖଣ୍ଡିଆ ଖାବରା ହୋଇଥିବା ଗ୍ରାମବାସୀମାନେ କହିଛନ୍ତି। ବ୍ରିଜର ଦୁଇପାର୍ଶ୍ୱରେ ବାଡ଼ ନିର୍ମାଣ ପାଇଁ ସ୍ଥାନୀୟ ଲୋକ ବାରମ୍ବାର ବାଲିପାଟଣାସ୍ଥିତ କେନାଲ ସବ୍ଡିଭିଜନ୍ର କର୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ହେଲେ ଏଯାଏ ଏଦିଗରେ ସଂପୃକ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସେହିପରି ବ୍ରିଜ୍ର ରକ୍ଷଣାବେକ୍ଷଣ ତଥା ମରାମତି ପ୍ରତି ମଧ୍ୟ ସତର୍କ ଦୃଷ୍ଟି ଦିଆଯାଇ ନାହିଁ । ଗ୍ରାମବାସୀଙ୍କ କହିବାନୁଯାୟୀ ଗତ ୬ ମାସ ତଳେ ବାବୁଲି ନାଥଙ୍କର ପୁଅ କାଳୁନାଥ ବ୍ରିଜ୍ ତଳକୁ ଖସିପଡ଼ି ତାଙ୍କ ହାତ ଭାଙ୍ଗି ଯାଇଥିଲା। ପ୍ରଦୀପ ନାଥ (୧୨) ନାମକ ଅନ୍ୟ ଜଣେ ପିଲା ମଧ୍ୟ ପଡ଼ି ହାତ ଭାଙ୍ଗି ଯାଇଥିଲା। ସେହିପରି ନିକଟରେ ରଘୁନାଥ ନାଥ ନାମକ ଆଉ ଜଣେ ବ୍ୟକ୍ତି ବ୍ରିଜ୍ ତଳକୁ ଖସିପଡ଼ିବାରୁ ସେ ଗୁରୁତର ଆହତ ହୋଇଛନ୍ତି। କେଲୁଣୀ ନାଥ ନାମ୍ନୀ ଜଣେ ମହିଳାଙ୍କର ମଧ୍ୟ ଗୋଟିଏ ଗାଈ ଖସିପଡ଼ିଥିଲା। ତେଣୁ ଜଳସେଚନ ବିଭାଗର ଏଭଳି ଚରମ ଅବହେଳା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
ଗୃହପାଳିତ ପଶୁଙ୍କ ପାଇଁ ମରଣଯନ୍ତା ପାଲଟିଛି ଧବଳାହାର ମୁକୁଳା ବ୍ରିଜ୍
Advertisment
Follow Us