ଧଉଳି – କଳିଙ୍ଗ ମହୋତ୍ସବ

Advertisment
ଧଉଳି – କଳିଙ୍ଗ ମହୋତ୍ସବ

ଧଉଳି: ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇ ଯେଉଁ ସ୍ଥାନରୁ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ, ଆଜି ସନ୍ଧ୍ୟାରେ ସେହି ଐତିହାସିକ ଧଉଳି ପାଦଦେଶରୁ ଝଙ୍କୃତ ହୋଇଥିଲା ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ଅପୂର୍ବ ମୂର୍ଚ୍ଛନା। ଅବସର ଥିଲା, ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଓ ଆର୍ଟ ଭିଜନ୍ ମିଳିତ ସହଯୋଗରେ ଆୟୋଜିତ ଧଉଳି କଳିଙ୍ଗ ମହୋତ୍ସବ। ଆଜି ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ୪ଟି ଶାସ୍ତ୍ରୀୟ ନୃତ୍ୟର ସମ୍ମିଶ୍ରଣରେ ପରିବେଷିତ ହୋଇଥିଲା ଶ୍ରୀମଦ ଗୀତା ମାହାତ୍ମ୍ୟ। କଥକ ନୃତ୍ୟର ତଟକାର, ଓଡ଼ିଶୀ ନୃତ୍ୟର ଅଭିନୟ, ଭାରତନାଟ୍ୟମ ନୃତ୍ୟର ତେଜ୍ ଓ ସମକାଳୀନ ନୃତ୍ୟର ଭାବକୁ ନେଇ ପରିବେଷିତ ପୌରାଣିକ କଥାବସ୍ତୁ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନୃତ୍ୟ ମାଧ୍ୟମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା, ଭଗବାନ ବୁଦ୍ଧଙ୍କ ନିର୍ବାଣ ଓ ଶାନ୍ତିର ବାର୍ତ୍ତା ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। କାର୍ଯ୍ୟକ୍ରମକୁ ରଚନା କରିଥିଲେ କେଦାର ମିଶ୍ର। ଗୁରୁ ରାମହରି ଦାଶ ସଂଗୀତ ସଂଯୋଜନା କରିଥିବା ବେଳେ ବାଦ୍ୟ ସଂଯୋଜନା କରିଥିଲେ ଧନେଶ୍ବର ସ୍ବାଇଁ। ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଅରୁଣା ମହାନ୍ତି। ଦ୍ବିତୀୟ ତଥା ଶେଷ ପ୍ରସ୍ତୁତିରେ ଭୁବନେଶ୍ବର ମୟୂର ଆର୍ଟ ସେଣ୍ଟରର ଶିଳ୍ପୀମାନଙ୍କ ଦ୍ବାରା ମୟୂରଭଞ୍ଜର ଛଉ ନୃତ୍ୟରେ ପାଇକ ବିଦ୍ରୋହର କାହାଣୀ ପରିବେଷିତ ହୋଇଥିଲା। ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ, ପୂର୍ବତନ ପ୍ରଶାସକ ଲଲିତ ମାନସିଂହ, ବିଶିଷ୍ଟ ନୃତ୍ୟାଙ୍ଗନା ଡ. ମିନତି ମିଶ୍ର ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସଚିବ ଶିଳ୍ପୀଗୁରୁ ଅରୁଣା ମହାନ୍ତି। ଏହି ଅବସରରେ ବିଶିଷ୍ଟ ବଂଶୀବାଦକ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଘୋଡ଼ାନାଚ ଶିଳ୍ପୀ ଉତ୍ସବ ଦାସ, ବିଦେଶରେ ଓଡ଼ିଶୀ ନୃତ୍ୟର ପ୍ରଚାରକ ପ୍ରତାପ କୁମାର ଦାସ ଏବଂ ଗବେଷକ କେଦାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe