ଧଉଳି-କଳିଙ୍ଗ ମହୋତ୍ସବର ଦ୍ବିତୀୟ ସଂଧ୍ୟା: ମର୍ଦ୍ଦଳ, ବୀଣା ବଂଶୀରେ ଜୀବନତତ୍ତ୍ବର ସ୍ବର

ଧଉଳି-କଳିଙ୍ଗ ମହୋତ୍ସବର ଦ୍ବିତୀୟ ସଂଧ୍ୟା: ମର୍ଦ୍ଦଳ, ବୀଣା ବଂଶୀରେ ଜୀବନତତ୍ତ୍ବର ସ୍ବର

ଧଉଳି: ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ସହାୟତାରେ ଓଡ଼ିଶା ଡ୍ୟାନ୍ସ ଏକାଡେମି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ତଥା ଆର୍ଟ ଭିଜନ୍‌ ମିଳିତ ଆନୁକୂଲ୍ୟରେ ଆୟୋଜିତ ଊନ୍ନବିଂଶତମ ଧଉଳି-କଳିଙ୍ଗ ମହୋତ୍ସବର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ପ୍ରସିଦ୍ଧ ମର୍ଦ୍ଦଳବାଦକ ଗୁରୁ ଧନେଶ୍ବର ସ୍ବାଇଁ ଏବଂ ଅଗ୍ନିମିତ୍ର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ବର ଭଦ୍ୟବାଣୀ ଏବଂ ଶିବାଗ୍ନି ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ସମୂହ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ମାଧ୍ୟମରେ ପରିବେଷିତ ‘ରହସ୍ୟମୟ ଜୀବନ ତତ୍ତ୍ବ’ର ସ୍ବର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମର୍ଦ୍ଦଳ, ବୀଣା, ପଖୋଜ ସାଙ୍ଗକୁ ବିଶିଷ୍ଟ ବଂଶୀବାଦକ ଶ୍ରୀନିବାସ ଶତପଥୀଙ୍କ ବଂଶୀ ବାଦନର ସ୍ବର ସଂଯୋଜନା ଦର୍ଶକଙ୍କ କରତାଳି ସାଉଁଟିଥିଲା। ଦ୍ବିତୀୟ ସୋପାନରେ ଆୟୋଜକ ଓଡ଼ିଶା ଡ୍ୟାନ୍ସ ଏକାଡେମି, ନୃତ୍ୟ ନୈବେଦ୍ୟ ଏବଂ ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍‌ର ଶିଳ୍ପୀମାନଙ୍କ ଦ୍ବାରା ଦଳଗତ ଶାସ୍ତ୍ରୀୟ ଲୋକନୃତ୍ୟ କ୍ରମରେ ‘ଅନନ୍ୟା ଓଡ଼ିଶା’ରେ ଓଡ଼ିଶାର ଲୋକକଳା ସଂସ୍କୃତିର ସ୍ବତନ୍ତ୍ରତା ପରିସ୍ଫୁଟିତ ହୋଇଥିଲା। ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଅରୁଣା ମହାନ୍ତି। ଶେ‌ଷରେ ମାଲକାନଗିରିସ୍ଥିତ ଅମ୍ମା ଗୁରୁକୁଳର ଗୁରୁ ବିନାଶ କୁମାର ମିଶ୍ର ଏବଂ ସାଥୀ ଶିଳ୍ପୀମାନେ ଗୁରୁକୁଳ ପରମ୍ପରାରେ ସମରକଳା ନୃତ୍ୟରେ ପରିବେଷିତ ଯୁଦ୍ଧ କୌଶଳ, ଶାରୀରିକ ବ୍ୟାୟାମ ଆଦି କଳା କୌଶଳ ଦର୍ଶକମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲା।

publive-image

ଆଜି ସଂଧ୍ୟାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରିୟମ୍ବଦା ମହାନ୍ତି ହେଜମାଦି, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁମିତ୍ରା ଜେନା, ମୋ’ ସ୍କୁଲ ଅଭିଯାନର ସଭାପତି ସୁସ୍ମିତା ବାଗଚୀ, ଆର୍ଟ ଭିଜନ୍‌ର ସଚିବ ଇଲିୟାନା ସିତାରିଷ୍ଟ, ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଚିବ ଅରୁଣା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆରି ଓ ନାଜିଆ ଆଲମ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe