ଭୁବନେଶ୍ୱର: ଭିନ୍ନକ୍ଷମମାନେ ଭିନ୍ନ ନୁହଁନ୍ତି । ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ସାମର୍ଥ୍ୟର ବିକାଶ ପାଇଁ ସମାଜର ପ୍ରମୁଖ ଦାୟିତ୍ୱ ରହିଛି। ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଦ୍ୱିଦିବସୀୟ ‘ଧ୍ୱନି ଚଳଚ୍ଚିତ୍ର ଉତ୍ସବ ୨୦୨୫’ର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଆଇନା’ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେୟର ସୁଲୋଚନା ଦାସ ଯୋଗଦେଇ ସମ୍ବିଧାନର ମୌଳିକ କତ୍ତର୍ବ୍ୟ ହିସାବରେ ଭିନ୍ନକ୍ଷମମାନେ ସମସ୍ତ ସୁବିଧା ପାଇବାକୁ ହକ୍ଦାର ବୋଲି କହିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ନାଟ୍ୟକାର ଅନନ୍ତ ମହାପାତ୍ର, ଓଟିଡିସିର ପୂର୍ବତନ ଅଧ୍ୟକ୍ଷ ଲେନିନ ମହାନ୍ତି, ଆସାମର ଚଳଚ୍ଚିତ୍ର ନିର୍ଦ୍ଦେଶକ ମଞ୍ଜୁ ବୋଡା, ରାଜ୍ୟ ଭିନ୍ନକ୍ଷମ ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଉତ୍ସବ କମିଟିର ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ୱାଳ ଯୋଗଦେଇ ଭିନ୍ନକ୍ଷମମାନେ ସମାଜର ମୁଖ୍ୟସ୍ରୋତରେ ରହିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ଏହିଭଳି ମହୋତ୍ସବ ସବୁଠି ହେବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଆଇନାର ସଭାପତି ଲଳିତା ମିଶାଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ସିନେ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କ ଆବାହକତ୍ୱରେ ପ୍ରଫେସର ମୃଣାଳ ଚାଟାର୍ଜୀ, ମଞ୍ଜୁ ବୋଡା, ପାର୍ଥସାରଥି ରାୟ, କୌଶିକ ମହାପାତ୍ର, ଉଷସୀ ମିଶ୍ର ପ୍ରମୁଖଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଦିବସରେ ପ୍ରତିଯୋଗିତାଭିତ୍ତିକ ଏକ, ପାଞ୍ଚ ଓ ତିରିଶ ମିନିଟ୍ଚଳଚ୍ଚିତ୍ର ବର୍ଗରେ ୩୭ଟି ଚଳଚ୍ଚତ୍ରିର ସ୍କ୍ରିନିଂ ହୋଇଥିଲା। ଏଥିସହିତ ‘ଭିନ୍ନକ୍ଷମ ଓ ବିବିଧତା ଓ ଅନ୍ତର୍ଭୁକ୍ତି’ ଶୀର୍ଷକ ମହାବିଦ୍ୟାଳୟସ୍ତରୀୟ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ଏହାର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ଗାୟତ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
‘ଧ୍ୱନି ଚଳଚ୍ଚିତ୍ର ଉତ୍ସବ ୨୦୨୫’ ଉଦ୍ଘାଟିତ
Advertisment
Follow Us