ସ୍ପେସାଲ୍‌ ଅଲିମ୍ପିକ୍ସରେ ଚମକିଲେ ଦିବ୍ୟାଙ୍ଗ ରଶ୍ମିରେଖା, ଷ୍ଟ୍ରିଟ୍‌ ଡ୍ୟାନ୍‌ସରେ ଓଡ଼ିଆ ପୁଅ ସଙ୍କେତ

Advertisment
ସ୍ପେସାଲ୍‌ ଅଲିମ୍ପିକ୍ସରେ ଚମକିଲେ ଦିବ୍ୟାଙ୍ଗ ରଶ୍ମିରେଖା, ଷ୍ଟ୍ରିଟ୍‌ ଡ୍ୟାନ୍‌ସରେ ଓଡ଼ିଆ ପୁଅ ସଙ୍କେତ

ଭୁବନେଶ୍ବର: ସ୍ପେସାଲ୍ ଅଲିମ୍ପିକ୍ସ ଭାରତ ନୃତ୍ୟ ପ୍ରତିଯୋଗିତାର ୩୦ ବର୍ଷରୁ ଊର୍ଦ୍ଧ୍ବ ପର୍‌ଫର୍ମିଙ୍ଗ ଆର୍ଟ୍ସ(ସୋଲୋ) ବର୍ଗରେ ଓଡ଼ିଆ ଦିବ୍ୟାଙ୍ଗ ଝିଅ ରଶ୍ମିରେଖା ସାହୁ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେହିପରି ୩୦ ବର୍ଷରୁ ଊର୍ଦ୍ଧ୍ବ ଷ୍ଟ୍ରିଟ୍ ଡ୍ୟାନ୍ସ(ସୋଲୋ) ବର୍ଗରେ ରାଉରକେଲାର ସଙ୍କେତ ବଗରିଆ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ଦୁଇ ଓଡ଼ିଆଙ୍କ କୃତିତ୍ବ ପାଇଁ ସମଗ୍ର ରାଜ୍ୟରୁ ବିଭିନ୍ନ ମହଲରୁ ସେମାନଙ୍କୁ ପ୍ରଶଂସାର ସୁଅ ଛୁଟିଛି।

ସୂଚନାଯୋଗ୍ୟ, ମହାମାରୀ କରୋନା କଟକଣା ପାଇଁ ଗତ ଜୁଲାଇ ୨ରେ ଅନ୍‌ଲାଇନ ଜରିଆରେ ଏହି ପ୍ରତିଯୋଗିତା‌ ଆରମ୍ଭ ହୋଇଥିଲା। ସ୍ପେସାଲ୍ ଅଲିମ୍ପିକ୍ସ ଭାରତ ନୃତ୍ୟ ପ୍ରତିଯୋଗିତାରେ ସାରା ଭାରତରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ତେବେ ରଶ୍ମିଙ୍କ ପ୍ରଦର୍ଶନ ଥିଲା ଭିନ୍ନ। ଓଡ଼ିଶୀ ଛନ୍ଦରେ ଶିବ ତାଣ୍ଡବ ନୃତ୍ୟ କରି ସେ ବିଚାରପତିମାନଙ୍କୁ ବି‌ମୋହିତ କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଥିଲେ। ରଶ୍ମି ପୂର୍ବରୁ ୨୦୧୧ ମସିହାରେ ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ପାଇଥିବାବେଳେ ୨୦୦୭ ମସିହାରେ ଜାତୀୟ ଟ୍ରଷ୍ଟ୍ ପୁରସ୍କାର ପାଇଥିଲେ। ନୃତ୍ୟ ବ୍ୟତୀତ ୨୦୦୫ ସ୍ପେସାଲ ଭାରତ ଅଲିମ୍ପିକ ୧୦୦ମିଟର ଚାଲିରେ ସେ ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇଥିଲେ ଓ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ମଧ୍ୟ ହାସଲ କରିଥିଲେ। ରଶ୍ମିଙ୍କ ଏହି ସଫଳତା ତାଙ୍କୁ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗିତା ଜିତାଇବା ପାଇଁ ପ୍ରେରଣା ଦେବ ବୋଲି ତାଙ୍କ ମା’ ସୁଭାଙ୍ଗିନୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe