ଦିବ୍ୟାଙ୍ଗଙ୍କୁ ବି ଛାଡ଼ିଲେନି ସାଇବର ଠକ: ଋଣ କରାଇଦେବା ନାଁରେ ଲୁଟ୍‌, ଛାପା ଗଣମାଧ୍ୟମରେ ବିଜ୍ଞାପନ ଦେଉଛନ୍ତି

ଋଣ ନାଁରେ ଆକାଉଣ୍ଟ୍ ଖୋଲି ଠକେଇ: ପୁଲିସ୍ ପଞ୍ଝାରେ ୩ ସାଇବର୍ ଅପରାଧୀ

Sambad English

ଭୁବନେଶ୍ବର: ଋଣ କରାଇଦେବାର ଲୋଭ ଦେଖାଇ ସାଇବର୍‌ ଠକ ଜଣେ ଦିବ୍ୟାଙ୍ଗଙ୍କଠାରୁ ଅଢ଼େଇ ହଜାର ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଥିବା ଦିବ୍ୟାଙ୍ଗ ହେଉଛନ୍ତି, ଅରୁଣ ନାୟକ। ସେ ଜାଗମରା ଅଞ୍ଚଳରେ ରୁହନ୍ତି। ଏ ସଂପର୍କ‌‌ରେ ସେ ସାଇବର୍‌ ଥାନାରେ ଅଭିଯୋଗ କରିଛନ୍ତି। ଠକେଇର ପରିମାଣ ସେତେ‌ ବେଶି ହୋଇ ନଥିଲେ ହେଁ ସାଇବର୍‌ ଠକ ଯେଉଁ ଉପାୟରେ ତାଙ୍କୁ ଠକିଛି, ତାହା ବେଶି ଗୁରୁତ୍ବପୂର୍ଣ୍ଣ। କିଛି ଦିନ ତଳେ ଏକ ଗଣମାଧ୍ୟମରେ ଠକ ଲୋଭନୀୟ ବିଜ୍ଞାପନ ଦେଇଥିଲା। ସେଥିରେ ସହଜରେ ଋଣ କରାଇଦେବା, ଚାକିରି ଦେବା, କୋଟିପତି କରାଇବା ଭଳି ଅନେକ ଲୋଭନୀୟ ଅଫର୍‌ ସଂପର୍କରେ ଉଲ୍ଲେଖ ରହିଥିଲା। କିନ୍ତୁ ସଂସ୍ଥାର ଅଫିସ୍‌ ସଂପର୍କରେ କୌଣସି ଉଲ୍ଲେଖ କରାଯାଇନଥିଲା। କେବଳ ଯୋଗାଯୋଗ କରିବା ପାଇଁ ଏକ ମୋବାଇଲ୍‌ ନମ୍ବର ଦିଆଯାଇଥିଲା। ଅରୁଣ ସେହି ନମ୍ବରରେ ଯୋଗାଯୋଗ କରିବା ପରେ ସାଇବର ଠକ ତାଙ୍କୁ ପ୍ରଥମେ ଅଢ଼େଇ ହଜାର ଟଙ୍କା ମାଗିଥିଲା। ଏହାସହ ଆଧାର, ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ଓ ବ୍ୟାଙ୍କ ସହିତ ସଂଯୁକ୍ତ ଫୋନ୍ ନମ୍ବର ମାଗିଥିଲା। ଅରୁଣ ଟଙ୍କା ଓ ସବିଶେଷ ତଥ୍ୟ ଦେବା ପରେ ଠକ ତାଙ୍କୁ ବ୍ୟାଙ୍କ୍ ସହ ତାଙ୍କର ଆଧାର ଓ ଫୋନ୍ ନମ୍ବର ସଂଯୁକ୍ତ ହୋଇନଥିବା କହିଥିଲା। ତେଣୁ ଋଣ ପାଇବାକୁ ହେଲେ ବ୍ୟାଙ୍କ୍ ସହ ଆଧାର ଓ ଫୋନ୍ ନମ୍ବର ସଂଯୁକ୍ତ ହେବା ଜରୁରୀ କହି ଆଉ ୩ହଜାର ଟଙ୍କା ମାଗିଥିଲା। ମାତ୍ର ଏତେ ଟଙ୍କା ଦେଇ ହେବ ନାହିଁ ଓ ସେ ଆଉ ଋଣ ନେବା ପାଇଁ ଆଗ୍ରହୀ ନୁହେଁ ବୋଲି କହି ଆଗରୁ ଦେଇଥିବା ଅଢ଼େଇ ହଜାର ଟଙ୍କା ଫେରସ୍ତ ମାଗିଥିଲେ।

ମାତ୍ର ଟଙ୍କା ଫେରସ୍ତ ପାଇବାକୁ ହେଲେ ଏକ ଲିଙ୍କ୍‌ରେ କ୍ଲିକ୍ କରିବାକୁ ଠକ ତାଙ୍କୁ କହିଥିଲା। ସେଇଥିରୁ ଅରୁଣଙ୍କ ସନ୍ଦେହ ହୋଇଥିଲା। ଏହା ସାଇବର ଠକର ଏକ ଚାଲ ଜାଣି ପାରି ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ଏ ସଂପର୍କରେ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ସାଇବର ଠକ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଦେଉଥିଲେ। କିନ୍ତୁ ଅଧିକରୁ ଅଧିକ ଲୋକଙ୍କୁ ନିଜ ଜାଲରେ ଫସାଇବା ପାଇଁ ଏବେ ସେମାନେ ସର୍ବାଧିକ ପ୍ରସାରିତ ହେଉଥିବା ଆଞ୍ଚଳିକ ଖବରକାଗଜଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି। ଟଙ୍କା ଦେଇ ବିଭିନ୍ନ ଏଜେନ୍ସି ମାଧ୍ୟମରେ ବିଜ୍ଞାପନ ବାହାର କରାଇଥା’ନ୍ତି। କିନ୍ତୁ ଟଙ୍କା ନେଣଦେଣ ବ୍ୟତୀତ ବିଜ୍ଞାପନଦାତା ସହ ଗଣମାଧ୍ୟମ ସଂସ୍ଥାର ଅନ୍ୟ କୌଣସି ସଂପର୍କ ନଥାଏ। ତେଣୁ ଯେକୌଣସି ଲୋଭନୀୟ ବିଜ୍ଞାପନ ଦେଖିଲେ, ସେଥିରେ ଭଳି ନ ଯାଇ ତା’ର ସତ୍ୟାସତ୍ୟ ପ୍ରଥମେ ଯାଞ୍ଚ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe