ଭୁବନେଶ୍ବର ଓ କଟକ ଜିଲ୍ଲା କଂଗ୍ରେସର ଭିନ୍ନ ପ୍ରୟାସ: ମାଗଣା ଭିଟାମିନ୍‌ ବଟିକା ବଣ୍ଟନର ଶୁଭାରମ୍ଭ

Advertisment

ମାଗଣା ଔଷଧ ପାଇବା ପାଇଁ ଟୋଲଫ୍ରି ନମ୍ବର ଜାରି

ମାଗଣା ଔଷଧ ପାଇବା ପାଇଁ ଟୋଲଫ୍ରି ନମ୍ବର ଜାରି

ଭୁବନେଶ୍ବର ଓ କଟକ ଜିଲ୍ଲା କଂଗ୍ରେସର ଭିନ୍ନ ପ୍ରୟାସ: ମାଗଣା ଭିଟାମିନ୍‌ ବଟିକା ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ବର : ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିଲେ ବଢ଼ି ଚାଲିଛି। ଭୁବନେଶ୍ବର ଓ କଟକରେ ସ୍ଥିତି ଅସମ୍ଭାଳ ହେଲାଣି। ଏଭଳି ସମୟରେ କୋଭିଡ ଆକ୍ରାନ୍ତଙ୍କ ଆବଶ୍ୟକତାକୁ ଦେଖି ଭୁବନେଶ୍ବର ଓ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ମାଗଣା ଭିଟାମିନ୍‌ ବଟିକା ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ପ୍ରଦେଶ କଂଗ୍ରେସ ଭବନରେ ଭୁବେନଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାଶ ଓ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଏନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାଶ କହିଥିଲେ, ଏହି ଭିଟାମିନ୍‌ ବଟିକା ବଣ୍ଟନ କାର୍ଯ୍ୟ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆବଶ୍ୟକ ପଡ଼ିଲେ, ଏହାର ଅବଧି ବି ବୃଦ୍ଧି କରାଯିବ। ଏହି ମାଗଣା ଭିଟାମିନ୍‌ ବଟିକା ଭୁବନେଶ୍ବର ଓ କଟକ ମହାନଗର ନିଗମ ଅଞ୍ଚଳରେ ଗୃହ ସଙ୍ଗରୋଧରେ ଥିବା କୋଭିଡ୍‌ ରୋଗୀଙ୍କୁ ଯୋଗାଇ ଦିଆଯିବ। ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତି ଟୋଲ୍‌ ଫ୍ରି’ କିମ୍ବା ହ୍ବାଟ୍‌ସ୍‌ଆପ୍‌ ନମ୍ବରରେ ଯୋଗାଯୋଗ କଲେ ମାଗଣା ମେଡିସିନ୍‌ ପାଇପାରିବେ। ଟୋଲ୍‌ ଫ୍ରି ନମ୍ବର ହେଲା ୧୮୦୦-୨୫୭-୨୫୬ ଏବଂ ହ୍ବାଟ୍‌ସ୍‌ ଆପ୍‌ ନମ୍ବର ହେଲା ୯୯୩୭୬୯୬୯୬୯। ଏହି ଦୁଇଟି ନମ୍ବରରେ ଯୋଗାଯୋଗ କଲେ, ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଘରେ ଭିଟାମିଟ୍‌ ବଟିକା ପହଞ୍ଚାଇ ଦିଆଯିବ।

ଆଗକୁ ରାଜ୍ୟର ସବୁ ଜିଲ୍ଲାରେ ଏହି ସୁବିଧା ଲୋକଙ୍କୁ ଯୋଗାଇ ଦିଆଯିବ। ଆସନ୍ତା ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକୀରୁ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିସିନ୍‌ ବଣ୍ଟନ ସହ କଂଗ୍ରେସ ଦଳ ଲୋକଙ୍କ ପାଖରେ ଆବଶ୍ୟକତା ଅନୁଯାୟୀ ଖାଦ୍ୟ, ଆମ୍ବୁଲାନ୍‌ସ୍‌ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବ ବୋଲି ଶ୍ରୀ ଦାଶ ସୂଚନା ଦେଇଥିଲେ। ଭୁବନେଶ୍ବର ଜିଲ୍ଲା କଂଗ୍ରେସ କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ମୁଖ୍ୟ ସୁବ୍ରତ ମହାପାତ୍ର କହିଥିଲେ, କୋଭିଡ୍‌ ମହାମାରୀ ସମୟରେ କଂଗ୍ରେସ ଦଳ କୋଭିଡ କଣ୍ଟ୍ରୋଲ ରୁମ୍‌ ଜରିଆରେ ସାଧାରଣ ଲୋକଙ୍କୁ ସେବା, ସହଯୋଗ ଓ ସୂଚନା ଯୋଗାଇ ଦେଇ ଆସୁଛି। ଏହି ବଟିକା ବଣ୍ଟନ କାର୍ଯ୍ୟ ପ୍ରଦେଶ ଛାତ୍ର କଂଗ୍ରେସ ସହଯୋଗରେ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଛାତ୍ର କଂଗ୍ରେସ ସଭାପତି ସୟଦ୍‌ ୟାସିର୍‌ ନୱାଜ୍‌ କହିଥିଲେ, କୋଭିଡ ପରିଚାଳନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ଯୋଗାଣ ଠିକ ଭାବେ ହୋଇପାରୁନାହିଁ କି ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଶଯ୍ୟା ଉପଲବ୍ଧ ନାହିଁ। ଛାତ୍ର କଂଗ୍ରେସ ନିଜସ୍ବ ଉଦ୍ୟମରେ ଲୋକଙ୍କୁ ରାସନ୍‌, ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ କୋଭିଡ୍‌ ଆକ୍ରାନ୍ତଙ୍କ ବିଭିନ୍ନ ସମସ୍ୟା ନେଇ ସାହାଯ୍ୟ ଓ ସହଯୋଗ କରିଆସୁଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ସ୍ବାଗତ କର, ସାଗର ପଟ୍ଟନାୟକ, ଶୁଭ୍ରଜ୍ୟୋତି ଲେଙ୍କା, ଅଭିଳାଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe