ରାତି ଅଧରେ ତାଡ଼ିଦେଲେ ରାସ୍ତା: ୨୦ ଘଣ୍ଟା ଅନ୍ଧାରରେ ରହିଲେ ୨ହଜାର ପରିବାର

Advertisment

ଛିଡ଼ିଗଲା ଭୂତଳ କେବୁଲ

ଛିଡ଼ିଗଲା ଭୂତଳ କେବୁଲ

ରାତି ଅଧରେ ତାଡ଼ିଦେଲେ ରାସ୍ତା: ୨୦ ଘଣ୍ଟା ଅନ୍ଧାରରେ ରହିଲେ ୨ହଜାର ପରିବାର

Telegraph India

ପୁରୁଣା ଭୁବନେଶ୍ବର: ରଥରୋଡ୍‌ରେ ଚାଲିଛି ସ୍ବେରେଜ୍‌ କାମ। ଏଥିପାଇଁ ରାତି ଅଧରେ ଖୋଳା ହେଉଛି ରାସ୍ତା। ମନଇଚ୍ଛା ସ୍ବେରେଜ୍‌ ଲାଇନ୍‌ ପାଇଁ ରାସ୍ତା ଖୋଳା ଯାଉଥିବା ବେଳେ ଗତକାଲି ରାତି ଅଧରେ ରଥରୋଡ୍‌ରେ ଥିବା ଭୂତଳ ବିଦ୍ୟୁତ୍‌ କେବୁଲ ଛିଣ୍ଡି ଯାଇଥିଲା। ଫଳରେ ୨ ହଜାର ପରିବାର କାଲିଠୁ ଅନ୍ଧାରରେ ରହିଥିଲେ। ମରାମତି ପରେ ଆଜି ରାତି ୯ଟାରେ ବିଦ୍ୟୁତ୍‌ ସଂଯୋଗ ହୋଇଛି। ସୂଚନାନୁଯାୟୀ, ରଥରୋଡ୍‌ରେ ସ୍ବେରେଜ୍‌ କାମ ଚାଲିଥିବା ବେଳେ ଗତକାଲି ରାତି ପ୍ରାୟ ୧୨ଟାରେ ଜେସିବି ସାହାଯ୍ୟରେ ରାସ୍ତା ଖୋଳାଯାଉଥିଲା। ସେହି ସମୟରେ ଭୂତଳ କେବୁଲ୍‌ ଛିଣ୍ଡି ଯାଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳର ଗୋସାଗରେଶ୍ବର ସାହି, ନାରଦ ସାହି, ମିଶ୍ର ସାହି, ଗୋଡ଼ି ପୋଖରୀ ସାହି, କୁଞ୍ଜପାଟଣା ସାହି, ଗୋବିନ୍ଦେଶ୍ବର ଲେନ୍‌, ବ୍ୟାଙ୍କ କଲୋନି ଓ ରଥ ରୋଡ୍‌ର ପ୍ରାୟ ୨ହଜାର ଲୋକଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଗତକାଲି ରାତିରୁ ସ୍ଥାନୀୟ ଲୋକ ଗରମରେ ଯେତିକି ଛଟପଟ ହୋଇଥିଲେ, ପାଣି ପାଇଁ ତା’ଠାରୁ ଅଧିକ ଦହଗଞ୍ଜ ହୋଇଥିଲେ।

ଏନେଇ ସ୍ଥାନୀୟ ଅଧିବାସୀ ଟୁଟୁ ପଣ୍ଡା କୁହନ୍ତି ସ୍ବେରେଜ୍‌ ଲାଇନ୍‌ ଖୋଳିବା ବେଳେ ମନଇଚ୍ଛା ଖୋଳା ଯାଉଛି। ବିଦ୍ୟୁତ୍‌ ବିଭାଗ ସହ ସମନ୍ବୟ ନଥିବାରୁ ଏପରି ଅବସ୍ଥା ହୋଇଛି। ୨ହଜାରରୁ ଉର୍ଦ୍ଧ୍ବ ପରିବାରଙ୍କ ଦୀର୍ଘ ୨୦ଘଣ୍ଟା ପରେ ଲାଇନ୍‌ ଆସିଥିଲା। ସେହିପରି ଅଧାପନ୍ତରିଆ କାମ ଯୋଗୁଁ ଅଞ୍ଚଳବାସୀ ଉପାନ୍ତ ଅଞ୍ଚଳ ଭଳି ଯାତାୟାତରେ ସମସ୍ୟା ଭୋଗୁଛନ୍ତି ବୋଲି ଘନଶ୍ୟାମ ସାହୁ କହିଛନ୍ତି। ସ୍ଥାନୀୟ ମୁରବିମାନଙ୍କ କହିବା କଥା, ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ପାଖକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ ସେମାନେ ହାତ ଟେକି ଦେଉଛନ୍ତି। ଏନେଇ ସ୍ବେରେଜ୍‌ ବୋର୍ଡର ସ୍ଥାନୀୟ ଯନ୍ତ୍ରୀ ପ୍ରଭାତ କୁମାର ପଣ୍ଡା କୁହନ୍ତି ବିଦ୍ୟୁତ୍‌ ବିଭାଗକୁ ଜଣାଇ କାମ କରାଯାଉଛି। ଭୂତଳ କେବୁଲ ଅଙ୍କାବଙ୍କା ହୋଇ ଲମ୍ବିଛି। ତେ‌ଣୁ ତାର ଛିଣ୍ଡିଗଲା। ଏନେଇ ସ୍ବେରେଜ୍‌ ବୋର୍ଡ ‌ଜେନେରାଲ ମ୍ୟାନେଜର ଶିବାନୀ ସାହୁଙ୍କୁ ପଚାରିବାରୁ ସେ କିଛି କହି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe