Odisha Diary
ଭୁବନେଶ୍ବର : ବିଏମ୍ସିର ବହୁ ପ୍ରତୀକ୍ଷିତ ଯୋଜନା ଡିଜିଟାଲ ଡୋର୍ ନମ୍ବରିଂ(ଡିଡିଏନ୍) ବ୍ୟବସ୍ଥା ଆସନ୍ତା ଫେବ୍ରୁଆରି ପହିଲାରୁ ଆରମ୍ଭ ହେବ। କରୋନା ଯୋଗୁଁ ବିଳମ୍ବିତ ହୋଇଥିବା ଏହି କାମ ଏବେ ପାଇଲଟ୍ ପ୍ରକଳ୍ପ ଭାବେ ତିନିଟି ଜୋନ୍ର ତିନିଟି ୱାର୍ଡରେ ଆରମ୍ଭ ହେବ।
ବିଏମ୍ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀର ପ୍ରତି ଘର ପାଇଁ ଏକ ଡିଜିଟାଲ ନମ୍ବର ଦିଆଯିବ। ଘର ସମ୍ମୁଖରେ ଏହି ନମ୍ବର ଲେଖାଯିବ। ଜୁନ୍ ମାସରେ ଏନେଇ ବିଏମ୍ସି ଓ ନବଯୁଗ ସ୍ପାସିଆଲ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ ଏବଂ ଜିପର୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଥିଲେ ହେଁ କରୋନା ପାଇଁ ସର୍ଭେ କାମ ଆରମ୍ଭ ହୋଇପାରିନଥିଲା। ଏବେ ଏହା ଦକ୍ଷିଣ ପଶ୍ଚିମ ଜୋନ୍ର ୱାର୍ଡ ୨୩ (କଳିଙ୍ଗ ନଗର ଅଞ୍ଚଳ), ଦକ୍ଷିଣ-ପୂର୍ବ ଜୋନ୍ର ୱାର୍ଡ ୩୦ (ସହିଦ ନଗର) ଏବଂ ଉତ୍ତର ଜୋନ୍ରେ ୱାର୍ଡ ୬ (ଶୈଳଶ୍ରୀ ବିହାର)ରେ ଆରମ୍ଭ ହେବ। ୧୧ରୁ ୧୨ ଦିନରେ ଏହି ସର୍ଭେ ଶେଷ ହେବ। ୬୭ଟି ଯାକ ୱାର୍ଡରେ ଡିଜିଟାଲ ଡୋର୍ ନମ୍ବରିଂ ହେବ। ଏଥିପାଇଁ ୩କୋଟି ୯୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏନେଇ ବିଏମ୍ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ପାଇଲଟ୍ ପ୍ରକଳ୍ପ ଆରମ୍ଭ ହେଲେ ଆମେ ଡିଜିଟାଲ ଡୋର୍ ନମ୍ବରିଂ କିପରି ସଫଳ ହେବ ଜାଣିପାରିବୁ। ଏହି ନମ୍ବରରେ ଘରର ସଂପୂର୍ଣ୍ଣ ତଥ୍ୟ, ଠିକଣା, ହୋଲଡିଂ ଟିକସ ଠାରୁ ଆରମ୍ଭ କରି ସବୁ ପ୍ରକାରର ତଥ୍ୟ ମିଳିବ। କେବଳ ଗୋଟିଏ କ୍ଲିକ୍ରେ ସବୁ ରେକର୍ଡ ମିଳିଯିବ। ଏହାଦ୍ବାରା ରାଜସ୍ବ ଆଦାୟ ବଢ଼ିବ, ଲୋକଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ସହଜରେ ମିଳିବ।
Follow Us