ବିପର୍ଯ୍ୟୟରୁ ଉଦ୍ଧାର କୌଶଳ ଶିଖିଲେ ୫୯, ‌‌ଖୋଲିଲା ଫାୟାର ପାର୍କ

Advertisment
ବିପର୍ଯ୍ୟୟରୁ ଉଦ୍ଧାର କୌଶଳ ଶିଖିଲେ ୫୯, ‌‌ଖୋଲିଲା ଫାୟାର ପାର୍କ

ଭୁବନେଶ୍ବର: ରାଜ୍ୟ ଅଗ୍ନିଶମ ଓ ପ୍ରଶମନ ପ୍ରତିଷ୍ଠାନରେ ଖୋଲିଥିବା ଫାୟାର୍‌ ପାର୍କ ଆଜି ପ୍ରଥମଥର ସର୍ବସାଧାରଣଙ୍କ ପାଇଁ ଖୋଲିଛି। ପ୍ରଥମ ଦିନରେ ୫୯ଜଣ ପରିଦର୍ଶନ କରିବା ସହ ବିପର୍ଯ୍ୟୟରୁ ଉଦ୍ଧାର ପାଇଁ ବିଭିନ୍ନ କଳାକୌଶଳ ଶିଖିଥିଲେ। ଅଗ୍ନିଶମ କର୍ମଚାରୀମାନେ ୭ ପ୍ରକାରର ବିପର୍ଯ୍ୟୟରୁ ଉଦ୍ଧାର ପାଇଁ ଲୋକଙ୍କ ସମ୍ମୁଖରେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଏଥିପାଇଁ ୭ଟି ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଥିଲା।

ଉଚ୍ଚ ଅଟାଳିକାରେ ଘଟିଥିବା କୌଣସି ଅଘଟଣ, ପାଣିରେ ବୁଡ଼ି ଯାଉଥିବା, ଗ୍ୟାସ୍‌ ସିଲିଣ୍ଡରେ ନିଆଁ ଲାଗିଲେ, ଟ୍ରେନ୍‌ ଦୁର୍ଘଟଣା, ବାତ୍ୟା, ବନ୍ୟା କିମ୍ବା କୋଠା ଭୁଶୁଡ଼ିବା, ରାସ୍ତାରୁ ଗଛ ହଟାଇବା ସହ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ କିପରି ରକ୍ଷା କରାଯାଇପାରିବ, ଅଗ୍ନିଶମ କର୍ମଚାରୀମାନେ ତାହାର ଡେମୋ ପ୍ରଦର୍ଶନ କରିଥିଲେ। ପରିଶେଷରେ ୧୯୪୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ୍ରାଫ୍ ଦ୍ବାରା ବ୍ୟବହୃତ ପ୍ରାୟ ୨୫୦ରୁ ଅଧିକ ପୁରୁଣା ଓ ଆଧୁନିକ ଉପକରଣ ପ୍ରଦର୍ଶିତ ହୋଇଥିଲା।

ଓଡ୍ରାଫ୍‌ର ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି, ପ୍ରଥମ ଦିନରେ ଆଶାତୀତ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ଲୋକ ଯେପରି ଏହି ଫାୟାର ପାର୍କର ସେବା ପାଇପାରିବେ, ସେ ନେଇ ବ୍ୟବସ୍ଥା କରାଯିବ। ବିଶେଷକରି ସ୍କୁଲ, କଲେଜ୍‌ ପିଲାଙ୍କୁ ସଚେତନ କରାଯିବା ଉପରେ ବେଶି ଗୁରୁତ୍ବ ଦିଆଯିବ। ଆଜି ଆସିଥିବା ଲୋକଙ୍କଠାରୁ ଫାୟାର ପାର୍କ ସମ୍ବନ୍ଧରେ ମତାମତ ନିଆଯାଇଛି। ଦୈନନ୍ଦିନ ଜୀବନରେ ଘଟୁଥିବା ବିଭିନ୍ନ ଅଘଟଣକୁ ସମ୍ମୁଖୀନ ହେବା ପାଇଁ ଶିକ୍ଷା ଦିଆଯିବ ବୋଲି ଶ୍ରୀ ସେଠୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଫାୟାର୍‌ ପାର୍କର ଉଦ୍‌ଘାଟନ କରିଥିଲେ। ପ୍ରତି ଶନିବାର ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe