ଅପପ୍ରଚାର ଯୋଗୁଁ କରୋନା କଟକଣା ମାନୁନାହାନ୍ତି

ଅପପ୍ରଚାର ଯୋଗୁଁ କରୋନା କଟକଣା ମାନୁନାହାନ୍ତି

ଭୁବନେଶ୍ୱର : ଯେବେ କରୋନା ଆରମ୍ଭ ହେଉଥିଲା, କଟକଣା କଡ଼ାକଡ଼ି ପାଳନ ହେଉଥିଲା। ଏବେ କରୋନା କାୟା ମେଲାଇ ଚାଲିଥିଲେ ହେଁ କଟକଣା କୋହଳ ହୋଇଗଲାଣି। ଆରମ୍ଭରେ କରୋନାକୁ ନେଇ ଯେଭଳି କୋକୁଆ ଭୟ ମନରେ ବସା ବାନ୍ଧିଥିଲା, ଅନ୍ତତଃ ସେ ଭୟ ଆଉ ନାହିଁ। ବଜାର ହାଟରେ ଜମୁଥିବା ଭିଡ଼ର ଚିତ୍ର ଓ ସମାଗମ ହିଁ ଏହା ବୟାନ କରୁଛି। କରୋନାର ଭୟାବହତା ସତ୍ତ୍ବେ କୋହଳ ମନୋଭାବ ଯୋଗୁଁ ଧୀରେଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ବାରମ୍ବାର ଚେତାବନୀ ଦେଉଥିଲେ ବି ଅମାନିଆମାନେ ଶୁଣିବାକୁ ନାରାଜ। କରୋନାରୁ ମୁକୁଳି ସୁସ୍ଥ ହୋଇ ଫେରିଥିବା କିଛି ବ୍ୟକ୍ତିଙ୍କ ଅପପ୍ରଚାର ହିଁ ଏହା ପଛର ପ୍ରମୁଖ କାରଣ ପାଲଟିଛି।

ନିକଟରେ ରାଜଧାନୀରେ ଜଣେ ବ୍ୟକ୍ତିଙ୍କ ପରିବାରରୁ ପତି-ପତ୍ନୀ କରୋନା ଆକ୍ରାନ୍ତ ହୋଇଥିବା ‌ପରୀକ୍ଷାରୁ ଜଣାପଡ଼ିଲା। ପତ୍ନୀ ଜ୍ବରରେ ପୀଡ଼ିତ ଥିବାରୁ ଉଭୟ ପତି-ପତ୍ନୀ ଟେଷ୍ଟ୍‌ କରାଇ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲେ। ତେଣୁ ଡାକ୍ତର ଘରେ ପୃଥକବାସରେ ରହିବାକୁ ପରାମର୍ଶ ଦେଲେ। ମାତ୍ର ଉଭୟ ମାତ୍ର ୫ ଦିନ ଘରେ ରହିବା ପରେ ବାହାରେ ବୁଲିବା ଆରମ୍ଭ କଲେ। ସାଧାରଣ ମଣିଷ ଭଳି ଚଳପ୍ରଚଳ କରୁଥିଲେ। ‌ଦୁହେଁ ଏକଥା ମଧ୍ୟ ସାହି ପଡ଼ିଶାର କିଛି ଲୋକଙ୍କୁ କହି ବୁଲିଲେ ଥଣ୍ଡା ଜ୍ବର ହୋଇଥିଲା ବୋଲି ଆ‌ମକୁ କରୋନା ଆକ୍ରାନ୍ତ ହୋଇଥିବା କୁହାଗଲା। ବାସ୍ତବରେ ଆମେ ଆକ୍ରାନ୍ତ ନୁ‌ହଁ। ସାଧାରଣ ମଣିଷ ଭଳି ଚଳପ୍ରଚଳ କରୁଥିବାରୁ କିଛି ବ୍ୟକ୍ତି ପ୍ରଥମେ ସେମାନଙ୍କ ପାଖ ମାଡ଼ୁନଥିଲେ। ହେଲେ ପରବର୍ତୀ ସମୟରେ ସେମାନଙ୍କ ପାଖରେ ବସା ଉଠା କଲେ। ଦୁର୍ଭାଗ୍ୟ ଯେ କେହି ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ ନାହିଁ। ଫଳରେ କିଛିଦିନ ପରେ ତାଙ୍କ ପଡ଼ିଶା ଘରର ଆଉ ଦୁଇଜଣ ଆକ୍ରାନ୍ତ ହେଲେ। ଏହା ପରେ ଚେତା ପଶିଲା। ଏହା କେବଳ ସେଇ ଗୋଟିଏ ସ୍ଥାନର କି ଜଣେ ବ୍ୟକ୍ତିଙ୍କ ଅପପ୍ରଚାରର କଥା ନୁହେଁ, ଅନେକ ସ୍ଥାନରେ ଏବେ ସେହିଭଳି କୋହଳ ମନୋଭାବର ପରିଣତି ସ୍ବରୂପ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି।

ଏ ସମ୍ପର୍କରେ ଭେଷଜ ବିଶେଷଜ୍ଞ ଡାକ୍ତର ଇନ୍ଦ୍ରମଣି ଜେନା କହିଛନ୍ତି, ରୋଗଟା ସରଳ ହୋଇପାରେ। ମାତ୍ର ଯେଉଁମାନେ ଅପପ୍ରଚାର ଶୁଣି କଟକଣା ମାନୁନାହାନ୍ତି ବା ଅବହେଳା କରୁଛନ୍ତି ସେମାନେ ଜାଣି ରଖିବା ଉଚିତ୍‌ ଯେ ସେମାନେ ଏପର୍ଯ୍ୟନ୍ତ କୌଣସି ରୋଗରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି, ତା’ର ଅର୍ଥ ନୁହେଁ ସେମାନେ ସୁସ୍ଥ ବ୍ୟକ୍ତି। ସୁସ୍ଥ ଜୀବନ ଯାପନ କରୁଥିବା ଏବଂ ଏପର୍ଯ୍ୟନ୍ତ କୌଣସି ରୋଗର ଶିକାର ହୋଇନଥିବା ବ୍ୟକ୍ତିଙ୍କଠାରେ ବି କିଡ୍‌ନି, ଶ୍ବାସ, ହୃଦରୋଗ, ଶ୍ବାସ ପ୍ରଶ୍ବାସ ସମ୍ବନ୍ଧୀୟ ଅନ୍ୟ ରୋଗ ଥାଇପାରେ। ଯାହା ହୁଏତ ଏପର୍ଯ୍ୟନ୍ତ ସେମାନେ ପରୀକ୍ଷା କରାଇ ଜାଣିନାହାନ୍ତି। ଏହା ବ୍ୟତୀତ ଯେଉଁମାନେ ଅବହେଳା କରୁଛନ୍ତି, ଯଦି ସେମାନଙ୍କ ମାଧ୍ୟମରେ ମଧୁମେହ ଓ ହୃଦରୋଗୀଙ୍କ ଦେହକୁ କରୋନା ଯାଏ ତାହା ବି ଭୟଙ୍କର ସାବ୍ୟସ୍ତ ହୋଇପାରେ। ବିଶେଷକରି ମଧୁମେହ ନିୟନ୍ତ୍ରଣରେ ରହୁନଥିବା ଓ ହୃଦରୋଗ ଥିବା ବ୍ୟକ୍ତିବିଶେଷ ସତର୍କତା ଆପଣାଇବା ନିତାନ୍ତ ଆବଶ୍ୟକ। ମାସ୍କ ପିନ୍ଧିବା ସହ ଅନ୍ୟଠୁ ଦୂରତା ବଜାୟ ରଖିବା ଆବଶ୍ୟକ। ପରିବାରର ଯୁବକ କିମ୍ବା ଅନ୍ୟ ସଦସ୍ୟମାନେ ଯଦି ଚିକିତ୍ସା ପଦ୍ଧତିକୁ ସରଳ ଭାବି ଅଣଦେଖା କରୁଛନ୍ତି ସେମାନେ ଅନ୍ତତଃ ନିଜ ପରିବାର କଥା ଭାବିବା ଉଚିତ୍‌ ବୋଲି ସେ କହିଛନ୍ତି।

ସେ ଏକଥା ବି କହିଛନ୍ତି, ଏପର୍ଯ୍ୟନ୍ତ କରୋନା ପାଇଁ ଟିକା ବାହାରି ନାହିଁ। କିଛି ଔଷଧ ଦ୍ବାରା ତା’ର ଚିକିତ୍ସା କରାଯାଉଛି। ଯେଉଁମାନେ ସୁସ୍ଥ ହୋଇ ଫେରୁଛନ୍ତି, ସେମାନେ ଯଦି ସେହି ଚିକିତ୍ସା ପଦ୍ଧତିକୁ ହେୟ ଜ୍ଞାନ କରି ବାହାରେ ଏହାର ଅପପ୍ରଚାର କରୁଛନ୍ତି ସେମାନେ ମସ୍ତବଡ଼ ଭୁଲ୍‌ କରୁଛନ୍ତି। ଅପପ୍ରଚାର କରୁଥିବା ବ୍ୟକ୍ତି ଓ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବା ପରେ ବାହାରେ ବୁଲାବୁଲି କରୁଥିବା କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣିବା ମାତ୍ରେ ପ୍ରଶାସନକୁ ଜଣାଇବା ନିତାନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଡାକ୍ତର ଜେନା କହିଛନ୍ତି। ନଚେତ୍‌ କରୋନା ନିୟନ୍ତ୍ରଣକୁ ଆସିବା ଅପେକ୍ଷା ଗମ୍ଭୀର ସ୍ତରକୁ ଚାଲିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe