କରୋନା କଟକଣା କଡ଼ାକଡ଼ି: ଏଥର କାର୍ଯ୍ୟାନୁଷ୍ଠାନ

Advertisment
କରୋନା କଟକଣା କଡ଼ାକଡ଼ି: ଏଥର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନାକୁ ନେଇ କଠୋର ହୋଇଛି ବିଏମ୍‌ସି। ମଲ୍‌, ବ୍ୟାବସାୟିକ ପ୍ରତିଷ୍ଠାନ, ଜଳଖିଆ ଦୋକାନ, ଠେଲାଗାଡ଼ି, ସିନେମା ହଲ୍‌, ଅଡିଟୋରିୟମ, ଲସି ଓ ଜୁସ୍‌ ଦୋକାନୀଙ୍କ ପାଇଁ ଆଜି ବିଏମ୍‌ସି ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି। ଏହାକ ନ ମାନିଲେ ମହାମାରୀ ଆଇନ ଓ ଓଡ଼ିଶା କୋଭିଡ୍‌ ରେଗୁଲେସନ୍‌ସ୍‌-୨୦୨୦ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଭୁବନେଶ୍ବରରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅାଜି ଭୁବନେଶ୍ବରରେ ୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ କମିସନର ବିଜୟ ଅମୃତ କୁଲାଙ୍ଗେ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପ୍ରଥମେ ମଲ୍‌, ବ୍ୟାବସାୟିକ ପ୍ରତିଷ୍ଠାନକୁ ବିଏମ୍‌ସି ଗୁରୁତ୍ବ ଦେଇଛି।

ବେଡ୍‌ ସଂଖ୍ୟା ବଢ଼ିଲା

ଅନ୍ୟପଟେ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି କୋଭିଡ୍‌ ବେଡ୍‌ସଂଖ୍ୟା ବଢ଼ାଇ ଦିଆଯାଇଛି। ବେଡ୍‌ ଅଭାବରୁ ଆକ୍ରାନ୍ତ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌ରେ ବେଡ୍‌ ସଂଖ୍ୟା ୯୦ରୁ ୧୫୦କୁ ବୃଦ୍ଧି କରାଯାଇଛି। ଜେନେରାଲ ବେଡ୍‌ ୧୦ଟି ରହିଥିବା ବେଳେ୧୫ଟି ଏଚ୍‌ଡିୟୁ(ହାଇ ଡିପେଣ୍ଡେନ୍‌ସି ୟୁନିଟ୍‌), ୫୫ଆଇସିୟୁ(ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌), ୧୦ଟି ଡାୟାଲିସିସ୍‌ ବେଡ୍‌, ୨୦ଟି ମାଟର୍‌ନିଟି ଏଚ୍‌ଡିୟୁ, ୧୫ଟି ଏନ୍‌ଆଇସିୟୁ, ୫ଟି ପିଆଇସିୟୁ ଓ ୨୦ଟି ସ୍ପେସାଲ କ୍ୟାବିନ୍‌ ଉପଲବ୍ଧ କରିବାକୁ ବିଏମ୍‌ସି ହସ୍‌ପିଟାଲ ଅଧୀକ୍ଷକଙ୍କୁ ଚିଠି ଲେଖିଛି। ଏହା ଛଡ଼ା ଏକ ଓଟି ଓ ଏକ ଲେବରରୁମ୍‌ ମଧ୍ୟ ପ୍ରସ୍ତୁତ ହୋଇଛି। ଯେ କୌଣସି ଜଟିଳ ରୋଗରେ ପୀଡ଼ିତ ଥିଲେ ମଧ୍ୟ ‌ଯେଭଳି ଚିକିତ୍ସା ସହଜରେ କରିହେବ ସେନେଇ ପ୍ରଥମ ଥର ପାଇଁ ଏଭଳି ବେଡ୍‌ ବ୍ୟବସ୍ଥା କରାଯାଇଛି।

ପାର୍ସଲ ଦେବେ ଫାଷ୍ଟଫୁଡ୍‌ ଦୋକାନୀ

ଗ୍ରାହକମାନେ ଦୋକାନରେ ଥିବା ବେଳେ ପରସ୍ପର ଠାରୁ ୬ଫୁଟ୍‌ ଦୂର‌ରେ ରହିବେ। ଏହାକୁ ବ୍ୟବସାୟୀମାନେ ନିଶ୍ଚିତ କରିବେ। ଯଦି ଭିଡ଼ ହୁଏ କିମ୍ବା ଗ୍ରାହକଙ୍କ ମଧ୍ୟରେ ଏହି ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହୁଏ ନାହିଁ, ତେବେ ବ୍ୟବସାୟୀ କେବଳ ପାର୍ସଲ ଦେବେ। ଏବଂ ଯଥା ଶୀଘ୍ର ଦୋକାନ ଫାଙ୍କା କରିବେ। ବିଶେଷ କରି ଜଳଖିଆ, ଫାଷ୍ଟଫୁଡ୍‌, ଚା’, ଗୁପ୍‌ଚୁପ୍‌, ଦହିବରା, ଲସି ଓ ଜୁସ୍‌ ଦୋକାନୀମାନେ ଏହି କଟକଣାକୁ ପାଳନ କରିବେ।

ସପିଂ ମଲ୍‌ ନିଯୁକ୍ତ କରିବେ ସିସିଓ

ସେହିଭଳି ସପିଂ ମଲ୍‌ ସମେତ ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକରେ କଡ଼ା ନଜର ରଖିବା ସହ କିଭଳି ଗାଇଡ୍‌ଲାଇନ୍‌ ପାଳନ ହେବ ସେ ନେଇ ନିଶ୍ଚିତ କରିବାକୁ ମାଲିକମାନଙ୍କୁ କୁହାଯାଇଛି। ଆଜି ନୂଆପଲ୍ଲୀ ଭି୨ ମଲ୍‌ରେ ବିଏମ୍‌ସିର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିବା ସହ ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ ଜରିଆରେ ସଚେତନ କରାଇଛି। ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ଜରିଆରେ ଗ୍ରାହକଙ୍କ ଶରୀର ତାପମାତ୍ରା ପରୀକ୍ଷା କରିବେ। ପ୍ରବେଶ ପଥରେ ପ୍ରତ୍ୟେକଙ୍କର ହାତ ଧୋଇବା ପାଇଁ ସାନିଟାଇଜର୍ ବ୍ୟବସ୍ଥା କରିବେ। ସପିଂ ମଲ୍‌ ମାଲିକମାନେ ଜଣେ ଜଣେ ‘କୋଭିଡ୍‌ କମ୍ପ୍ଲାୟନ୍ସ ଅଫିସର’(ସିସିଓ) ନିଯୁକ୍ତ କରିବେ। ସେମାନେ ଗ୍ରାହକଙ୍କ ଉପ‌ରେ ନଜର ରଖି ଏହି କଟକଣା ପାଳନ ହେଉଛି ବୋଲି ନିଶ୍ଚିତ କରିବେ। ସେହିଭଳି ସେଲୁନ୍‌, ସ୍ପା ପ୍ରଭୃତିରେ କର୍ମଚାରୀମାନେ ଶତପ୍ରତିଶତ ମାସ୍କ ପିନ୍ଧିବା ନିଶ୍ଚିତ କରିବେ। ଭିତରେ ଯେଭଳି ଭିଡ଼ ନ ହେବ ବା ସାମାଜିକ ଦୂରତା ରକ୍ଷା ହେବ ସେ ନେଇ ସତର୍କ ରହିବେ ବୋଲି କୁହାଯାଇଛି। ସେହିଭଳି ରୁଦ୍ଧଦ୍ବାର ପ୍ରେକ୍ଷାଳୟ ଯେମିତିକି ସିନେମାହଲ୍‌, ଥିଏଟର ଓ ଅନ୍ୟାନ୍ୟ ଅଡିଟୋରିୟମ ଗୁଡ଼ିକରେ କୋଭିଡ୍‌ କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe