ଓଏଚ୍‌ଆର୍‌ସିଙ୍କ ଆଦେଶକୁ ଏମିତି ଖାତିର! ଅଭିଯୁକ୍ତ ସ୍ବାମୀଙ୍କ ଘରେ ଚଢ଼ଉ ନକରି ଫେରିଲା ପୁଲିସ

Advertisment
ଓଏଚ୍‌ଆର୍‌ସିଙ୍କ ଆଦେଶକୁ ଏମିତି ଖାତିର! ଅଭିଯୁକ୍ତ ସ୍ବାମୀଙ୍କ ଘରେ ଚଢ଼ଉ ନକରି ଫେରିଲା ପୁଲିସ

India Today

ଭୁବନେଶ୍ବର: ଏକ ଯୌତୁକ ନିର୍ଯାତନା ମାମଲାରେ ରାଜ୍ୟ ମାନବାଧିକାର କମିସନ(ଓଏଚ୍‌ଆର୍‌ସି) ଅଭିଯୁକ୍ତ ସ୍ବାମୀ ଘରୁ ଯୌତୁକ ସାମଗ୍ରୀ ଜବତ କରିବାକୁ କମିସନରେଟ୍‌ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପୁଲିସ ଦିନସାରା ପୀଡ଼ିତାଙ୍କୁ ଥାନାରେ ବସାଇ ଶେଷରେ ନିରାଶ କରିଛି। ପୀଡ଼ିତାଙ୍କୁ ନେଇ ପୁଲିସ ଅଭିଯୁକ୍ତ ଘରକୁ ଯାଇଥିଲେ ବି ସେଠାରୁ ଖାଲି ହାତରେ ଫେରିଆସିଛି। ରାଜ୍ୟ ମାନବାଧିକାର କମିସନଙ୍କ ଆଦେଶ ସତ୍ତ୍ବେ ଅଭିଯୁକ୍ତ ଘରୁ ପୁଲିସ ଭ୍ୟାନ୍‌ ଖାଲି ଫେରିବା ଘଟଣାକୁ ନେଇ ପୀଡ଼ିତା ପ୍ରଶ୍ନ ଉଠାଇଛନ୍ତି। ମହିଳା ଥାନା ପୁଲିସର ଏଭଳି ଆଚରଣକୁ ନେଇ ସାଧାରଣରେ ବି ପ୍ରଶ୍ନବାଚୀ ସୃଷ୍ଟି‌ ହୋଇଛି। କେଉଁ ଅଦୃଶ୍ୟ ଚାପରେ ପୁଲିସ ଏଭଳି କଲା ବୋଲି ଚର୍ଚ୍ଚା ହେଉଛି।

ପୀଡ଼ିତାଙ୍କ କହିବା କଥା ଆଦିତ୍ୟ ପାର୍କ କନ୍‌ଷ୍ଟ୍ରକ୍‌ସନ ମାଲିକଙ୍କ ପୁଅ ତଥା ବିଲ୍ଡର ପ୍ରିୟବ୍ରତ ମିଶ୍ରଙ୍କୁ ସେ ବିବାହ କରିଥିଲେ। ବାହାଘର ସମୟରେ ସେ ପ୍ରାୟ ୫୦ ଲକ୍ଷ ଟଙ୍କା ସହିତ କୋଟିଏ ଟଙ୍କାର ସୁନାଗହଣା ଓ ଦାମୀ ଗାଡ଼ି ଯୌତୁକ ବାବଦରେ ଦେଇଥିଲେ। କିନ୍ତୁ ପରେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆଯାଇଥିଲା ଓ ଘରୁ ବାହାର କରିଦିଆଯାଇଥିଲା। ଏନେଇ ସେ ମହିଳା ଥାନା ସହ ଓଏଚ୍‌ଆର୍‌ସିରେ ଅଭିଯୋଗ କରିଥିଲେ। ଗତ ୧୭ ତାରିଖରେ ମାମଲାର ଶୁଣାଣି କରି ଓଏଚ୍‌ଆର୍‌ସି ଯୌତୁକ ସାମଗ୍ରୀ ଫେରାଇବା ପାଇଁ ନିର୍ଦେଶ ଦେଇଥିଲେ। ଆଜି ସମସ୍ତ ଯୌତୁକ ଜିନିଷ ଜବତ କରିବା ପାଇଁ ମହିଳା ଥାନା ପୁଲିସ ତାଙ୍କୁ ଡାକିଥିଲା। ତେଣୁ ସେ ଦିନ ୧୧ଟାରୁ ଥାନାରେ ପହଞ୍ଚିଥିଲେ।

ଅପରାହ୍ନ ୩ଟା ପର୍ଯ୍ୟନ୍ତ ଥାନାରେ ବସିଥିଲେ। ପ୍ରାୟ ୬ଘଣ୍ଟା କାଳ ଥାନାରେ ବସିବା ପରେ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ମହିଳା ଥାନା ପୁଲିସ ତାଙ୍କୁ ନେଇ ପ୍ରିୟବ୍ରତଙ୍କ ଘରକୁ ଯାଇଥିଲା। ପୁଲିସ ତାଙ୍କୁ ଭ୍ୟାନ୍‌ରେ ବସାଇ ଅଭିଯୁକ୍ତ ପ୍ରିୟବ୍ରତଙ୍କ ସୂର୍ଯ୍ୟନଗରସ୍ଥିତ ଘରକୁ ଯାଇଥିଲା। ବହୁ ସମୟ ଧରି ଘର ବାହାରେ ପୁଲିସ ଭ୍ୟାନ୍‌ କେବଳ ଠିଆ ହେଲା। ଘର ଭିତରକୁ ପଶିବାକୁ ପୁଲିସର ଜୁ’ ପାଇଲା ନାହିଁ। ଶେଷରେ ଚଢ଼ଉ ନକରି ଖାଲି ହାତରେ ପୀଡ଼ିତାଙ୍କୁ ପୁଲିସ ଫେରାଇ ଆଣିଥିଲା। ଆସନ୍ତା ୮ତାରିଖରେ ଚଢ଼ଉ ହେବ କହି ପୁଲିସ ପୀଡ଼ିତାଙ୍କୁ ବୁଝାଇଦେଇଥିଲା। ପ୍ରକାଶ ଥାଉ କି, ଅଭିଯୁକ୍ତ ପ୍ରିୟବ୍ରତଙ୍କ ନାମରେ ଦୁଇ ଦୁଇ ଜଣ ମହିଳା ଅଭିଯୋଗ କରିଛନ୍ତି। ଏନେଇ ପ୍ରଥମ ପତ୍ନୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବା ବେଳେ ଏହି ଦ୍ବିତୀୟ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି। କ୍ୟାପିଟାଲ୍‌ ଥାନା ପୁଲିସ ପ୍ରିୟବ୍ରତଙ୍କୁ ଗିରଫ କରିଥିବା ବେଳେ ଏବେ ସେ ଜାମିନ୍‌ରେ ‌ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe